ରାଧାପାଦ ସ୍ପର୍ଶ ଦର୍ଶନ କଟକଣା ପ୍ରସଙ୍ଗ, ପୂର୍ବରାତି ନୀତି ବିଶୃଙ୍ଖଳା ପାଇଁ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସାକ୍ଷୀଗୋପାଳ ଗୋପୀନାଥଦେବଙ୍କ ପୀଠରେ ପାଳିତ ଅଁଳା ନବମୀ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ତେବେ ରାଧାପାଦ ସ୍ପର୍ଶ ଦର୍ଶନ ଉପରେ କଡ଼ାକଡ଼ି ହେବାରୁ ଭକ୍ତଙ୍କ ସଂଖ୍ୟା କମିଛି ବୋଲି କେତେକ ଗଣମାଧ୍ୟମ ପ୍ରଚାର କରିବା ପରେ ଦେବୋତ୍ତର କମିସନ କ୍ଷୁବ୍ଧ ହୋଇଛନ୍ତି। ସେ କହିଛନ୍ତି, ୧୪ ବର୍ଷ ତଳେ ମୁକ୍ତି ମଣ୍ଡପ ପରାମର୍ଶ କ୍ରମେ ଏହି ସ୍ପର୍ଶ ଦର୍ଶନ ଉପରେ କଟକଣା ହୋଇଥିଲା। କିନ୍ତୁ ଗତବର୍ଷ ଏ ନେଇ ପ୍ରବଳ ବିଶୃଙ୍ଖଳା ହେବାରୁ ଚଳିତବର୍ଷ କଡ଼ାକଡ଼ି କରିବା ପାଇଁ ପୁଣି ଥରେ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଗର୍ଭଗୃହରେ ସ୍ବତନ୍ତ୍ର ବ୍ୟାରିକେଡ୍‌ କରାଯାଇ ବିଗ୍ରହଙ୍କଠାରୁ କିଛି ଦୂରରୁ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦିଆଯାଇଥିଲା। ଫଳରେ ବହୁ ଭକ୍ତ ଶୃଙ୍ଖିଳତ ଭାବେ ଦର୍ଶନ ସୁଯୋଗ ପାଇଥିଲେ। ଆସନ୍ତା ବର୍ଷମାନଙ୍କରେ ଏହି କଟକଣା ସହ ବିଶୃଙ୍ଖଳା ରୋକିବା ପାଇଁ ନୂଆ ପଦକ୍ଷେପ ନିଆଯିବ ବୋଲି କମିସନ କହିଛନ୍ତି। ଅନ୍ୟପଟେ ଅଁଳା ନବମୀ ରାତିରେ ବିଭିନ୍ନ ଦାବି ନେଇ ସେବାୟତମାନେ ନୀତି ବିଳମ୍ବ କରିଥିଲେ। ମନ୍ଦିର ପରିସରରେ ଉତ୍ତେଜନା ପ୍ରକାଶ ପାଇବା ସହ ନୀତି ଅଟକି ରହିଥିଲା। ଏ ନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ଯେଉଁମାନେ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିସନ କହିଛନ୍ତି। ଦେବୋତ୍ତର ବିଭାଗ ଅଧୀନରେ ରହିଥିବାରୁ କୌଣସି ପ୍ରକାରର ନୀତି ପ୍ରଭାବିତ ହେବା ବା କୌଣସି ପ୍ରକାରର ଦାବି ଉପସ୍ଥାପନ କରିବା ପୂର୍ବରୁ କମିସନଙ୍କୁ ଅବଗତ କରାଇବା କଥା। କିନ୍ତୁ କୌଣସି ପୂର୍ବ ସୂଚନା ନଦେଇ ଏଭଳି ନୀତି ବିଳମ୍ବ କରାଯାଇଛି। ଏଣୁ ଏହି ନୀତି ବିଳମ୍ବର ଜବାବ୍‌ ତଲବ ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବାଲି କମିସନ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର