ତୈଳ ସଂରକ୍ଷଣ ସଚେତନତା ପାଇଁ ସକ୍ଷମ କାର୍ଯ୍ୟକ୍ରମ : ୨୦୨୨ ସୁଦ୍ଧା ସବୁ ଜିଲ୍ଲାରେ ସିଏନ୍‌ଜି

ଭୁବନେଶ୍ବର : ଏବେ ଘରେ ଘରେ ବିଜୁଳି ଏବଂ ରନ୍ଧନ ଗ୍ୟାସ ପହଞ୍ଚିଛି। ଦେଶର ୪ଶହ ଜିଲ୍ଲାରେ ସିଏନ୍‌ଜି ପହଞ୍ଚି ସାରିଛି। ୨୦୨୨ ସୁଦ୍ଧା ଏହାକୁ ସବୁ ଜିଲ୍ଲାରେ ପହଞ୍ଚାଯିବାର ଲକ୍ଷ୍ୟ ରଖାଯାଇଛି। ଏହା ସହିତ ଶକ୍ତି ସଂରକ୍ଷଣ ପାଇଁ ସମସ୍ତଙ୍କୁ ଦାୟିତ୍ବ ନେବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଜୟଦେବ ଭବନଠାରେ ‌େପଟ୍ରୋଲିୟମ କଞ୍ଜର୍‌ଭେସନ୍ ରିସର୍ଚ ଆସୋସିଏସନ (ପିସିଆରଏ) ପକ୍ଷରୁ ଆୟୋଜିତ ‘ସକ୍ଷମ’ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଇନ୍ଧନ ସଂରକ୍ଷଣ ଦ୍ବାରା ଲାଭ ହିଁ ଲାଭ ଦେଇଥାଏ।

ଏହାଦ୍ବାରା ଦେଶର ପ୍ରାକୃତିକ ସମ୍ପଦକୁ ଲମ୍ବା ସମୟ ପର୍ଯ୍ୟନ୍ତ ରକ୍ଷା କରାଯାଇ ପାରିବ। ଇନ୍ଧନ ସଂରକ୍ଷଣ କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ରହିଛି। କିନ୍ତୁ ମୁଣ୍ଡ ପିଛା ଇନ୍ଧନ ଖର୍ଚରେ ଅନ୍ୟଦେଶ ସହ ତୁଳନା କଲେ ଭାରତ ବହୁତ ତଳେ ଅଛି। ବହୁ ବିକଶିତ ଦେଶ ବି ଭାରତଠାରୁ ଅଧିକ ବିଜୁଳି ଉପଯୋଗ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ପିସିଆରଏ ଦ୍ବାରା ସବୁ ବର୍ଷ ଜାନୁଆରି ୧୬ରୁ ମାସରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହି ସଚେତନତା କାର୍ଯ୍ୟକ୍ରମକୁ କେବଳ ସ୍କୁଲ କଲେଜରେ ସୀମିତ ନ ରଖି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ୨୦୧୪ ସୁଦ୍ଧା ଦେଶର ୧୩ କୋଟି ଗ୍ୟାସ ସଂଯୋଗ ହୋଇଥିବାବେଳେ ଗତ ସାଢ଼େ ୪ବର୍ଷ ଶାସନରେ ଏହି ସଂଖ୍ୟା ୨୬ କୋଟିରେ ପହଞ୍ଚିଛି। ତେବେ ଆଗାମୀ ଦିନରେ ଏହି ଇନ୍ଧନ ଖର୍ଚ ବଢ଼ିବ। ଗ୍ରାମାଞ୍ଚଳରେ ମଧ୍ୟ ‌େପଟ୍ରୋଲ ଖର୍ଚ ବଢ଼ିବାରେ ଲାଗିଲାଣି। କାରଣ ଏବେ ସାଇକେଲ ବଦଳରେ ମୋଟର ସାଇକେଲ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ ହେଲେଣି। ତେଣୁ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ ଶକ୍ତି ସଂରକ୍ଷଣକୁ ନେଇ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ମନ୍ତ୍ରୀ ଶକ୍ତି ସଂରକ୍ଷଣର ଶପଥ ପାଠ କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ସଂଜୟ ଶର୍ମା, ପ୍ରୀତିଶ ଭରତ, ଧର୍ମେନ୍ଦ୍ର ବେହୁରା, ଦେବାଶିଷ ପାଲିତ ଓ ପିକେ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର