ଟିଟୋ ହାତ ଛାଡ଼ି ଧଳସାମନ୍ତ ଗ୍ୟାଙ୍ଗ୍‌ରେ ସକିଲ

ପୁଲିସର ଚିନ୍ତା ବଢ଼ାଉଛି ଗ୍ୟାଙ୍ଗଷ୍ଟରଙ୍କ ଗ୍ୟାଙ୍ଗ୍‌ ବଦଳ, ସକିଲ-କାଲା ବାବୁ ଗୋଷ୍ଠୀ ମୁହାଁମୁହିଁ, ଗ୍ୟାଙ୍ଗ ୱାର୍‌ ଆଶଙ୍କା

କଟକ-ମହାନଦୀବିହାର : କେନ୍ଦ୍ରାପଡ଼‌ାର ମାଫିଆ ଡନ୍‌ ଟିଟୋର ଅପରାଧ ସାମ୍ରାଜ୍ୟକୁ କଟକରେ ସମ୍ଭାଳୁ ଥିବା ସକିଲ ଏବେ ଗ୍ୟାଙ୍ଗ ବଦଳାଇ ଧଳସାମନ୍ତ ଭାଇଙ୍କ ଗ୍ୟାଙ୍ଗରେ ସାମିଲ ହୋଇଛି। ସହରରେ କାଲା ବାବୁ ନିଜର ପ୍ରଭାବ ବିସ୍ତାର କରି ସକିଲ ପାଇଁ ଚାଲେଞ୍ଜ ହୋଇଥିବା ବେଳେ ସକିଲ ଏବେ ଏଭଳି ଗ୍ୟାଙ୍ଗ ବଦଳ କରିଥିବା କୁହାଯାଉଛି। କିନ୍ତୁ ସକିଲର ଗ୍ୟାଙ୍ଗ ବଦଳ ଯୋଗୁଁ ତା’ର କିଛି ଘନିଷ୍ଠ ସହଯୋଗୀ ତା’ଠାରୁ ଦୂରେଇ ଯାଇଥିବା ବେଳେ ପୂର୍ବରୁ ତା’ର ବିରୋଧୀ ରହି ଆସିଥିବା କେତେକ ଗ୍ୟାଙ୍ଗଷ୍ଟର ଏବେ ତା’ ସହିତ ହାତ ମିଳାଇଛନ୍ତି। ଗ୍ୟାଙ୍ଗଷ୍ଟରଙ୍କ ଏଭଳି ଗ୍ୟାଙ୍ଗ ବଦଳ ଗୋଟିଏ ପଟେ ପୁଲିସର ଚିନ୍ତା ବଢ଼ାଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଆଗାମୀ ଦିନରେ ଗ୍ୟାଙ୍ଗୱାର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି। ନିୟମିତ ଏନକାଉଣ୍ଟରରୁ ପୁଲିସ ଓହରି ଯାଇଥିବା ବେଳେ ବେଫିକର ହୋଇ ଏହି ଦୁର୍ଦ୍ଦାନ୍ତ ଅପରାଧୀମାନେ ଏବେ ସହରରେ ମୁଣ୍ଡ ଟେକିବା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ‌େଯ ପୂର୍ବରୁ କାଲା ବାବୁ ବେଆଇନ ଗାଈ ଚାଲାଣରେ ସମ୍ପୃକ୍ତ ରହି ଆସିଛି। କିଛି ଦିନ ପୂର୍ବରୁ ସକିଲ ସହଯୋଗୀ ଖାନନଗର ଅଂଚଳର କାଳୀ ପ୍ରସନ୍ନ ଦାସକୁ ମାଡ଼ ମାରି ନଈ ପଠାରେ ଫିଙ୍ଗି ଦେଇଥିଲା। ଗତ ଫେବ୍ରୁଆରି ମାସରେ ଦରଘା ବଜାର ଅଂଚଳର ଶେଖ ସାହରୁଖକୁ ପାଞ୍ଚ ଲକ୍ଷ ଟଙ୍କା ବଟି ବି ମାଗିଥିଲା। ଚୌଦ୍ୱାର ଜେଲରେ କିଛି ଦିନ ପୂର୍ବରୁ ସକିଲ ଏବଂ ତାର ସହଯୋଗୀ ରାଜା ବସ୍ତିଆ, ଚାନ୍ଦ, ସହିଦ, ସଦ୍ଦାମ ଖାଁ, ବରଣ ବାବୁ, ଅବଦୁଲଙ୍କ ସହ କାଲା ବାବୁ ଗୋଷ୍ଠୀର ଡେଙ୍ଗା, ଟୁଟୁନି, ରାହୁଲ, ମଣ୍ଟୁ, ଜନି, ଭେଲରଙ୍କ ଗଣ୍ଡଗୋଳ ହୋଇଥିଲା। ସେହି ଘଟଣାରେ ଚୌଦ୍ୱାର ଜେଲରେ ଥିବା ଧଳସାମନ୍ତ ସହଯୋଗୀ ଭଜନା, ଗୁଡୁ, ଆରିଫ, ପିଣ୍ଟା, ଲିଟୁଆ ପ୍ରମୁଖ ସକିଲକୁ ସହଯୋଗ କରିଥିଲେ। କିନ୍ତୁ ସକିଲ ସହଯୋଗୀ ତୌସିଫ, ରାଜୁ, ଅମନ, ରାଜେଶ, ଜାହାଙ୍ଗିର ସକିଲକୁ ଛାଡ଼ି ଦିୱାନ ବଜ଼ାର ଅଂଚଳର ଛୋଟ ରାହୁଲ ପାଇଁ କାମ କରିବା ଆରମ୍ଭ କରିଥିବା ବେଳେ ଏବେ ସକିଲକୁ ଗତିରାଉତ ପାଟଣା ଅଞ୍ଚଳର ବିକା, ଭଦିମୂଳର ସୁଧା, ଟୁଲିଆ ଜେନା, ଚିକନ ବାବୁ, ନିଆଳିର ମାଧ ଖୁଣ୍ଟିଆ ବାହାରୁ ସହଯୋଗ କରିବା ଆରମ୍ଭ କରିଛନ୍ତି। କିନ୍ତୁ ଟିଟୋ ଓ ଧଳସାମନ୍ତ ଭାଇ ଜେଲରେ ଥିବା ବେଳେ ଏବେ କଟକରେ ସକିଲ ଓ କାଲା ବାବୁଙ୍କ ପତିଆରା ଲଢ଼େଇ ଯେ କୌଣସି ମୁହୂର୍ତ୍ତରେ ଗ୍ୟାଙ୍ଗୱାର୍‌ ରୂପ ନେବା ଆଶଙ୍କା କରାଯାଉଛି।

ସକିଲ ବର୍ତମାନ ସ୍ଥିତିରେ ଆର୍‌ ଆଣ୍ଡ ବି, ମହାନଗର ନିଗମ, ସାଉଥ ଡିଭିଜନ ଏବଂ ଆର୍‌ଡିରେ ହେଉଥିବା ବିଭିନ୍ନ ଟେଣ୍ଡର ଫିକ୍ସିଂ କରିବା ପାଇଁ ଯୋଜନା ଆରମ୍ଭ କରିଥିବା ବେଳେ କାଲା ବାବୁ ସହଯୋଗୀ ବି ବିଭିନ୍ନ ଠିକାଦାରଙ୍କୁ ଧମକ ଦେଉଛନ୍ତି। କଟକ ସହରରେ ସକିଲର ଗ୍ୟାଙ୍ଗକୁ ସୁଦୃଢ଼ କରିବା ପାଇଁ ତାର ପ୍ରମୁଖ ସହଯୋଗୀ ଅବଦୁଲ କାଦିର କିଛି କଲେଜ ପିଲାଙ୍କୁ ଗ୍ୟାଙ୍ଗରେ ସାମିଲ କରିବା ଯୋଜନାରେ ଅଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିବା ଅନୁଯାୟୀ ବର୍ତ୍ତମାନ ସ୍ଥିତିରେ ସକିଲ, ଟିଟୋ, ଧଳସାମନ୍ତ, କାଲା ବାବୁଙ୍କ କାର୍ଯ୍ୟକଳାପ ଉପରେ ନଜ଼ର ରଖାଯାଇଛି। ସହରରେ ସକ୍ରିୟ ଥିବା କାଦିରକୁ କାବୁ କରିବା ପାଇଁ ମଧ୍ୟ ପୁଲିସ ପଦକ୍ଷେପ ନେଉଛି। ଧଳସାମନ୍ତ ଭାଇ ଗିରଫ ପରେ କଟକ ସହରରେ ଯେଭଳି ‘ଗ୍ୟାଙ୍ଗ ଦମନ’ ଅଭିଯାନ ଚାଲିଥିଲା, ତାହା ବର୍ତ୍ତମାନ କିଛି ମାତ୍ରାରେ ଥଣ୍ଡା ପଡ଼ି ଯାଇଥିବାରୁ ଏହି ଅପରାଧୀମାନେ ଏବେ ମୁଣ୍ଡ ଟେକିବା ଉଦ୍ୟମ ଆରମ୍ଭ କରିଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ କଟକ ପୁଣି ପୁରୁଣା ସ୍ଥିତି ଫେରିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ।

ସମ୍ବନ୍ଧିତ ଖବର