ରିଅଲ୍ ଇଷ୍ଟେଟ୍ କଂପାନି ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ମାମଲା: ଗ୍ୟାଙ୍ଗ୍‌ଷ୍ଟର ସକିଲର ବାନ୍ଧବୀ ମାନସୀ ଗିରଫ

ହତ୍ୟା ଅଭିଯୋଗରେ ପୂର୍ବରୁ ଗିରଫ ହୋଇଥିଲା

କଟକ : ଗ୍ୟାଙ୍ଗ୍‌ଷ୍ଟର ମହମ୍ମଦ ସକିଲର ଗାର୍ଲଫ୍ରେଣ୍ଡ ଡେଜି ଓରଫ ନସରିନ୍ ଖାଁ ଏବଂ ରେସମ ଓରଫ ନିଖାତ୍ ନସିମ୍ ପୂର୍ବରୁ ଧରା ପଡ଼ିଥିବା ବେଳେ ଏବେ ତୃତୀୟ ବାନ୍ଧବୀ ଭାବେ ମାନସୀ ନାୟକ (୨୮)କୁ ଲାଲବାଗ ଥାନା ପୁଲିସ ଗିରଫ କରିଛି। ପୁରୀଘାଟ ତେଲେଙ୍ଗା ବଜାର ଅଞ୍ଚଳରେ ରହୁଥିବା ରିଅଲ ଇଷ୍ଟେଟ୍ କମ୍ପାନିର ମ୍ୟାନେଜର ମହମ୍ମଦ ରହେମାନଙ୍କୁ ଶିଶୁଭବନ ପଛପଟ ରିଙ୍ଗରୋଡରେ ବନ୍ଧୁକ ଲଗାଇ ଆକ୍ରମଣ ଓ ହତ୍ୟା ଧମକ ଅଭିଯୋଗରେ ଲାଲବାଗ ଥାନା ପୁଲିସ ମାନସୀକୁ ଗିରଫ କରିଛି। ୨୦୧୪ରେ ମାନସୀ ଏକ ହତ୍ୟା ମାମଲାରେ ଚୌଦ୍ବାର ସର୍କଲ ଜେଲରେ ଥିବା ବେଳେ ଗ୍ୟାଙ୍ଗଷ୍ଟର ସକିଲ ସହ ତାର ପରିଚୟ ହୋଇଥିଲା।

ତ୍ରିଶୂଳିଆର ବର୍ଦ୍ଧନ ରିଅଲ ଇଷ୍ଟେଟ୍ କମ୍ପାନିରେ ମ୍ୟାନେଜର ଥିବା ପୁରୀଘାଟ ଥାନା ଫିରିଙ୍ଗିବଜାର ଅଞ୍ଚଳର ମହମ୍ମଦ ରହେମାନଙ୍କୁ ଗଲା ୧୮ ତାରିଖ ରାତି ପ୍ରାୟ ୭ଟା ୩୦ ବେଳେ ଶିଶୁଭବନ ପଛପଟ ରିଙ୍ଗରୋଡରେ ବନ୍ଧୁକ ଲଗାଇ ଆକ୍ରମଣ ଘଟଣାରେ ପରିବାର ଲୋକେ ଆରମ୍ଭରୁ ଗ୍ୟାଙ୍ଗଷ୍ଟର ସକିଲର ସମ୍ପୃକ୍ତି ସନ୍ଦେହ କରୁଥିଲେ।

ପୁଲିସର ତଦନ୍ତରୁ ମିଳିଥିବା ସୂଚନା ମୁତାବକ ରହେମାନ୍ କେଶରପୁରର ଡାଡୁ, ମେହେନ୍ଦୀପୁରର ସଞ୍ଜୟ, କାଳୀଗଳିର ନଓାଜ ସରିଫ୍ ଏବଂ ଗୋଲି ଓରଫ ଆରିଫ୍ ଖାଁଙ୍କ ସହିତ ପୂର୍ବରୁ ପରିଚିତ ଥିଲେ। ଗ୍ୟାଙ୍ଗଷ୍ଟର ସକିଲର ବାନ୍ଧବୀ ମାନସୀ ପାଇଁ ବର୍ଦ୍ଧନ ରିଅଲ ଇଷ୍ଟେଟ୍ କମ୍ପାନିରେ ଏକ ଚାକିରି ଦେବାକୁ ଡାଡୁ ଚଳିତ ବର୍ଷ ରହେମାନଙ୍କୁ କହିଥିଲା। ରହେମାନ ଉକ୍ତ ସଂସ୍ଥାରେ ମାନସୀକୁ ଟେଲି-କଲର୍ ଭାବେ ନିଯୁକ୍ତି ଦେଇଥିଲେ। କିନ୍ତୁ ବିଭିନ୍ନ କାରଣରୁ ଗଲା ପ୍ରାୟ ୬ ମାସ ତଳେ ମାନସୀକୁ କମ୍ପାନିରୁ ବିଦା କରିଦେଇଥିଲେ। ତଥାପି ସେ ରହେମାନଙ୍କ ଯୋଗାଯୋଗରେ ଥିଲା। ଗଲା ୧୫ ତାରିଖରେ ମାନସୀର ଜନ୍ମଦିନରେ ରହେମାନ ତାକୁ ଫୋନ୍ କରି ଶୁଭେଚ୍ଛା ଜଣାଇବା ସହିତ ଥଟ୍ଟାମଜା କରିଥିଲେ। ମାନସୀ ଏ ସମ୍ପର୍କରେ ଡାଡୁକୁ ଜଣାଇଥିଲା। ଡାଡୁ, ନୱାଜ, ଗୋଲି ଓ ସଞ୍ଜୟ ମିଶି ରହେମାନଙ୍କୁ ସାବାଡ଼ କରିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ଗଲା ୧୮ ତାରିଖ ରାତି ପ୍ରାୟ ୭ଟା ୩୦ ବେଳେ ରହେମାନଙ୍କୁ ଶିଶୁଭବନ ପଛପଟକୁ ମାନସୀ ଡକାଇ ଉପରୋକ୍ତ ୪ ସହଯୋଗୀଙ୍କ ମାଧ୍ୟମରେ ବନ୍ଧୁକ ଲଗାଇ ପ୍ରାଣାନ୍ତକ ଆକ୍ରମଣ କରାଇଥିଲା। ଏହି ଘଟଣାରେ ପ୍ରଥମେ ଲାଲବାଗ ଥାନା ପୁଲିସ ଗଲା ୨୨ ତାରିଖରେ ମେହେନ୍ଦୀପୁର କାଳୀଗଳି ଅଞ୍ଚଳର ନୱାଜ ସରିଫ୍ ଏବଂ ଗୋଲି ଓରଫ ଆରିଫ୍ ଖାଁକୁ ଗିରଫ କରିଥିଲା। ଏବେ ଡାଡୁ ଓ ସଞ୍ଜୟ ଫେରାର ଅଛନ୍ତି। ପୁଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି।

ମାନସୀର ରେକର୍ଡ
ମାନସୀ ମାମଲାରେ ପୁଲିସ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆଣିଛି। ମାନସୀ ଟାଙ୍ଗୀ ଥାନା ଗୋବିନ୍ଦପୁର ଅଞ୍ଚଳର ସୁନିଲ କୁମାର ନାୟକକୁ ବିବାହ କରିଥିଲା। ତେବେ ୨୦୧୪ରେ ଜଣେ ପଡ଼ୋଶୀଙ୍କୁ ମାନସୀ ଓ ସୁନିଲ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ହତ୍ୟା ମାମଲାରେ ଟାଙ୍ଗୀ ଥାନା ପୁଲିସ ଏହି ଦମ୍ପତିଙ୍କୁ ଗିରଫ କରି ଚୌଦ୍ବାର ସର୍କଲ ଜେଲକୁ ପଠାଇଥିଲା। ତେବେ ସର୍କଲ ଜେଲରେ ମାନସୀ ଥିବା ବେଳେ ଗ୍ୟାଙ୍ଗଷ୍ଟର ସକିଲ ବି ଚୌଦ୍ବାର ଜେଲରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଥିଲା। ଜେଲରେ ହିଁ ସକିଲ ଓ ମାନସୀ ଭିତରେ ପରିଚୟ ବଢିଥିଲା। ଦୁଇଟି ପିଲାର ମା ମାନସୀ ୧୦ ମାସ ଜେଲରେ ରହି ଫେରିବା ପରେ ସ୍ବାମୀ ସୁନିଲ ସହିତ ସମ୍ପର୍କ ତିକ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ ମାନସୀ ସକିଲ ସହିତ କେଶରପୁରର ଡାଡୁ ଓ ନୱାଜ ସହିତ ବି ସମ୍ପର୍କରେ ରହିଥିଲା। ସେପଟେ ଚୌଦ୍ବାର ଜେଲରୁ କେନ୍ଦୁଝର, ବ୍ରହ୍ମପୁର ଓ ଏବେ ଗଲା ଦୁଇ ମାସ ହେବ କୋରାପୁଟ ଜେଲକୁ ସ୍ଥାନାନ୍ତର ହୋଇଥିବା ଗ୍ୟାଙ୍ଗଷ୍ଟର ସକିଲ ସହିତ ନିୟମିତ ଯୋଗାଯୋଗରେ ଥିଲା ମାନସୀ। ଚୌଦ୍ବାର ଜେଲରୁ ସକିଲ ଅନ୍ୟତ୍ର ସ୍ଥାନାନ୍ତର ପର୍ଯ୍ୟନ୍ତ ମାନସୀ ତାକୁ ଭେଟିବାକୁ ଯାଉଥିଲା। ରହେମାନ ସଂସ୍ଥାରୁ ମାନସୀକୁ ବିଦା କରିବା ପରେ ତ୍ରିଶୂଳିଆ ଛକରେ ଥିବା ଏକ ଚା ଦୋକାନ ନିକଟରେ ରହେମାନଙ୍କୁ ଗଲା ୬ ମାସ ତଳେ ୫ ଜଣ ଦୁର୍ବୃତ୍ତ ସକିଲର ନାଁ ନେଇ ବଟି ମାଗିଥିଲେ। ବଟି ନଦେଲେ ହତ୍ୟା କରିଦେବାକୁ ଧମକ ବି ଦିଆଯାଇଥିଲା। ଏହା ପଛରେ କାର୍ପଟଦାର ମାନସୀ ରହିଥିଲା ବୋଲି ପୁଲିସ କହିଛି।

ଇଏ ଥିଲା ସେହି ଫେରାର୍ ଗାର୍ଲଫ୍ରେଣ୍ଡ!
୨୦୧୯ ଡିସେମ୍ବର ୧୪ ତାରିଖରେ ବକ୍ସିବଜାରର ଆନନ୍ଦ ସ୍ପୋର୍ଟସ୍ ମାଲିକ ଯୋଗେଶ ଅଗ୍ରଓାଲଙ୍କୁ ଚୌଦ୍ବାର ଜେଲରୁ ଭିଡିଓ କଲରେ ୧୦ ଲକ୍ଷ ଟଙ୍କା ବଟି ମାଗିବା ମାମଲାରେ ଦରଘାବଜାର ଥାନା ପୁଲିସ ସକିଲର ଦୁଇ ଗାର୍ଲଫ୍ରେଣ୍ଡଙ୍କୁ ଗିରଫ କରିଥିଲା। କେଶରପୁରର ରେସମ ଓରଫ ନିଖାତ୍ ନସିମ୍ ୨୦୨୦ ଜାନୁଆରି ୧ ତାରିଖରେ ଗିରଫ କରିଥିଲା। ଡେଜି ଓରଫ ନସରିନ୍ ଖାଁକୁ ୨୦୨୦ ଜାନୁଆରି ୩ ତାରିଖରେ ଗିରଫ କରିଥିବା ବେଳେ ତୃତୀୟ ଗାର୍ଲଫ୍ରେଣ୍ଡକୁ ପୁଲିସ ସେବେଠାରୁ ଖୋଜୁଥିଲା। ତେବେ ଆଜି ମାନସୀ ଗିରଫ ପରେ ସକିଲର ସେହି ତୃତୀୟ ଗାର୍ଲଫ୍ରେଣ୍ଡ ବୋଲି କୁହାଯାଉଛି, ଯାହାକୁ ପୁଲିସ ଏକ ବର୍ଷ ତଳେ ଖୋଜୁଥିଲା।

ସମ୍ବନ୍ଧିତ ଖବର