ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢ଼ୁଥିବା ଛାତ୍ରୀଙ୍କ ଉପରେ ନିର୍ଯାତନା ଘଟଣାରେ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ଶିକ୍ଷାନୁଷ୍ଠାନରେ ଯେପରି ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରାଯିବ, ବିଗତ ଦିନରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କ ପ୍ରତି ଯେଉଁଭଳି ଅପରାଧ ଘଟୁଛି, ସେହିଭଳି ଘଟଣାକୁ ରୋକିବାକୁ ରାଜ୍ୟ ସରକାର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ଏବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟ ସରକାରଙ୍କ ୧୬ଟି ବିଶ୍ବବିଦ୍ୟାଳୟ, ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ଯୋଜନା କରିଛନ୍ତି। ଏହି ବିକଶିତ ଓଡ଼ିଶାରେ ସବୁ ନାଗରିକଙ୍କ ବ୍ୟକ୍ତିଗତ ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ। ବିଶେଷକରି ମହିଳାଙ୍କ ସୁରକ୍ଷା, ସମ୍ମାନ, ନିରାପତ୍ତା ଦିଗରେ କୌଣସି ପ୍ରକାରର ସାଲିସ୍ କରାଯିବନି। ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ସମାଜର ବିଭିନ୍ନ ସ୍ଥାନରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବାକୁ ସରକାର ଯାହା ଆବଶ୍ୟକ ସବୁ ପ୍ରକାରର ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେବେ। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଇବା ସହିତ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଛାତ୍ରୀମାନଙ୍କର ସଶକ୍ତୀକରଣ ଓ ସର୍ବାଙ୍ଗୀନ ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆମ ସରକାର ବର୍ତ୍ତମାନ ଘଟୁଥିବା ଘଟଣା ଗୁଡ଼ିକ ପ୍ରତି ସମ୍ବେଦନଶୀଳ ଅଛନ୍ତି। ଯେଉଁମାନେ ଏଭଳି ଅପରାଧ ଯୋଗୁ ପ୍ରଭାବିତ ହେଉଛନ୍ତି, ଯୌନ ନିର୍ଯାତନାର ଶିକାର ହେଉଛନ୍ତି ସେମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ସହାୟକ ହେବ।
ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ଏଥିରେ ୮ଟି ପ୍ରମୁଖ ଦିଗ ରହିଛି। ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏକ ସ୍ଥାୟୀ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’ ସ୍ଥାପନ କରାଯିବ। ଯାହା ଉକ୍ତ ଅନୁଷ୍ଠାନର ଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେବ। ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ରରେ ଜଣେ ଛାତ୍ରୀ ‘ଶକ୍ତିଶ୍ରୀ ସାଥୀ’ ଓ ଜଣେ ଅଧ୍ୟାପିକା ‘ଶକ୍ତିଶ୍ରୀ ସଂଯୋଜିକା’ ଭାବରେ ଉକ୍ତ କେନ୍ଦ୍ରର ପରିଚାଳନା କରିବେ। ଏହାସହିତ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା ‘ଶକ୍ତି ଅପା’ ଭାବେ କାର୍ଯ୍ୟ କରିବେ। ଏହି ‘ଶକ୍ତି ଅପା’ମାନେ ପ୍ରତି ୩ ମାସରେ ଥରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ ଏବଂ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଓ ସଶକ୍ତୀକରଣ ଦିଗରେ ଏହି ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର କାର୍ଯ୍ୟ କରିବ। ଏହି କେନ୍ଦ୍ର ଦ୍ବାରା ଏକ ୬ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ସହ ଆଇନଗତ ଅଧିକାର ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ମଧ୍ୟ ଶିକ୍ଷା ପ୍ରଦାନ କରାଯିବ। ସେହିପରି ‘ଶକ୍ତିଶ୍ରୀ ଆପ୍’ ନାମରେ ଏକ ନୂତନ ମୋବାଇଲ ଆପ୍ କାର୍ଯ୍ୟକାରୀ ହେବ। କ୍ୟାମ୍ପସ୍ରେ ଛାତ୍ରୀମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ। ଏହି ଆପ୍ରେ କଲେଜରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଏହାର ନିୟମାବଳୀ ଓ କାର୍ଯ୍ୟକ୍ରମ, କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କ ଫୋନ୍ ନମ୍ବର ଦିଆଯିବ। ଯଦି କୌଣସି ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ତେବେ ସେ ନିଜର ପରିଚୟକୁ ଗୋପନୀୟ ରଖି ନିଜର ଅଭିଯୋଗକୁ ମେସେଜ୍, ଅଡିଓ ବା ଭିଡିଓ ବାର୍ତ୍ତା ମାଧ୍ୟମରେ ଉକ୍ତ ଆପ୍ରେ ପଞ୍ଜୀକୃତ କରିପାରିବେ। ଏହାପରେ ଏହା ସିଧାସଳଖ କମିଟିର ଅଧ୍ୟକ୍ଷଙ୍କ ନିକଟରେ ପହଞ୍ଚିଯିବ।
୧୬ ବିଶ୍ବବିଦ୍ୟାଳୟ, ୭୩୦ଟି ମହାବିଦ୍ୟାଳୟରେ କାର୍ଯ୍ୟକାରୀ ହେବ, ପ୍ରତିବର୍ଷ ଡିସେମ୍ବର ୩୧ ସୁଦ୍ଧା ଆସିବ କ୍ୟାମ୍ପସ୍ ସୁରକ୍ଷା ରିପୋର୍ଟ
ଆପ୍ରେ ଅଭିଯୋଗ କରିପାରିବେ
ସିସିଟିଭି ନଜରରେ ରହିବ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ
‘ଶକ୍ତି ଅପା’ ୩ମାସରେ ଥରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ
ଛାତ୍ରୀମାନେ ଯଦି ଚାପ, ଦୁଶ୍ଚିନ୍ତା ଆଦି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ଆପ୍ ମାଧ୍ୟମରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇପାରିବେ। ଏଥିସହ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଆପ୍ରେ ଥିବା ଏସ୍ଓଏସ୍ ବଟନ୍କୁ ବ୍ୟବହାର କରି ଛାତ୍ରୀମାନେ ଶକ୍ତିଶ୍ରୀ ସାଥୀ ଏବଂ ଶକ୍ତିଶ୍ରୀ ସଂଯୋଜିକାଙ୍କ ସହ କଥା ହୋଇପାରିବେ ଓ ତୁରନ୍ତ ସାହାଯ୍ୟ ପାଇପାରିବେ। ଶକ୍ତିଶ୍ରୀ ମୋବାଇଲ ଆପ୍ରେ ବିଭିନ୍ନ ଜିଲ୍ଲାଗୁଡ଼ିକରେ ରହିଥିବା ଲୋକାଲ୍ କମିଟି ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ପ୍ରଦାନ କରାଯିବ। ଯଦି କୌଣସି ଛାତ୍ରୀ ହୃଦୟଙ୍ଗମ କରନ୍ତି ଯେ, ତାଙ୍କର ଅଭିଯୋଗ ସମ୍ପୃକ୍ତ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଦ୍ୱାରା ସମାଧାନ ହେଉନାହିଁ, ତେବେ ସେ ନିଜର ଅଭିଯୋଗ ସମ୍ବନ୍ଧରେ ଲୋକାଲ୍ କମିଟିକୁ ମଧ୍ୟ ଅବଗତ କରାଇପାରିବେ। ଏନେଇ ଖୁବ୍ ଶୀଘ୍ର ଏସ୍ଓପି ଜାରି ହେବ।
ଏହାବାଦ୍ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେବ। ଏହା ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏକ ବାର୍ଷିକ ଅନଲାଇନ୍ ଟ୍ରେନିଂ ମଡ୍ୟୁଲ୍କୁ ସମ୍ପୂର୍ଣ୍ଣ କରିବେ, ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ମହିଳା ସୁରକ୍ଷା, ଲିଙ୍ଗଗତ ସମ୍ବେଦନଶୀଳତା ସମ୍ବନ୍ଧରେ ସଚେତନତା ବୃଦ୍ଧି ହୋଇପାରିବ।
ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ‘ଶକ୍ତିଶ୍ରୀ ଆକ୍ସନ୍ସ ଫର୍ ଫିମେଲ୍ ଏମ୍ପାୱାରମେଣ୍ଟ’ ବା ‘ସେଫ୍’ ନାମକ ଏକ କ୍ୟାମ୍ପେନ୍ର ଆୟୋଜନ କରାଯିବ। ଏହି କ୍ୟାମ୍ପେନ୍ ମାଧ୍ୟମରେ ବାର୍ଷିକ ଦୁଇ ଥର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର, ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆଦିର ଆୟୋଜନ କରାଯିବ। ପ୍ରତ୍ୟେକ କ୍ୟାମ୍ପସ କେତେ ସୁରକ୍ଷିତ ଅଛି ସେନେଇ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିବର୍ଷ ଡିସେମ୍ବର ୩୧ ସୁଦ୍ଧା ଏକ ସବିସ୍ତୃତ ରିପୋର୍ଟ ପ୍ରଦାନ କରିବେ। ଏଥିରେ ଶିକ୍ଷାନୁଷ୍ଠାନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ, ପଞ୍ଜୀକୃତ ହୋଇଥିବା ଅଭିଯୋଗ ଓ ଏହାର ସମାଧାନ, ଆପତକାଳୀନ ସ୍ଥିତିର ମୁକାବିଲା ପାଇଁ ରହିଥିବା ବିଭିନ୍ନ ଭିତ୍ତିଭୂମି ଆଦି ସମ୍ପର୍କରେ ସୂଚନା ରହିବ।
ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ୨୪ଘଣ୍ଟା ସିସିଟିଭି ନଜରରେ ରହିବ। ଏହାସହ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ରହିବ। କଲେଜରେ ଥିବା ଆଭ୍ୟନ୍ତରୀଣ କମିଟିର ସଦସ୍ୟ ଏବଂ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ପରାମର୍ଶ ଅନୁଯାୟୀ ସିସିଟିଭି କ୍ୟାମେରା ଲଗାଇବାର ସ୍ଥାନ ଚିହ୍ନଟ କରାଯିବ। କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ ଓ ପ୍ରତିକାର) ଅଧିନିୟମ, ୨୦୧୩ ଏବଂ ଏହା ସମ୍ବନ୍ଧରେ ୟୁଜିସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ଅନଲାଇନ କୋର୍ସ ପ୍ରଦାନ କରାଯିବ। ରାଜ୍ୟର ସମସ୍ତ ଶକ୍ତିଶ୍ରୀ ସାଥୀ, ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତି ଅପାମାନଙ୍କ ପାଇଁ ବାର୍ଷିକ ଏକ-ଦିବସୀୟ କର୍ମଶାଳା ‘ଶକ୍ତି ସ୍ୱରୂପିଣୀ’ର ଆୟୋଜନ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ।