ଫୁଲବାଣୀ : ଚଳିତବର୍ଷ କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ଶାଳଫୁଲ ଉଭାନ ହୋଇଯାଇଛି। ପାଣିପାଗର ପରିବର୍ତ୍ତନ କାରଣରୁ ଚଳିତ ବର୍ଷ ଜଙ୍ଗଲମାନଙ୍କରେ ଶାଳଫୁଲ ଆଦୌ ଆସିନାହିଁ ବୋଲି ଅନୁମାନ କରାଯାଉଛି। ଫଳରେ, ଶାଳଫୁଲ ଉପରେ ନିର୍ଭର କରି ବଞ୍ଚୁଥିବା କନ୍ଧମାଳ ଜିଲ୍ଲାର ଆଦିବାସୀଙ୍କ ଜୀବନଜୀବିକା ଓ ଅର୍ଥନୀତି ପ୍ରଭାବିତ ହୋଇଛି।

Advertisment

କନ୍ଧମାଳ ଜିଲ୍ଲାରେ ପ୍ରତିବର୍ଷ ମେ-ଜୁନ୍‌ ମାସ ବେଳକୁ ଶାଳଫୁଲ ବିକ୍ରିବଟାକୁ ନେଇ କୋଟି କୋଟି ଟଙ୍କାର କାରବାର ହୋଇଥାଏ। କିନ୍ତୁ, ଚଳିତବର୍ଷ ଜଙ୍ଗଲରେ ଆଦୌ ଶାଳଫୁଲ ଫୁଟି ନଥିବାରୁ ଆଦିବାସୀମା‌ନେ ହାତବାନ୍ଧି ବସିଛନ୍ତି। ଗତବର୍ଷର ଏକ ହିସାବରୁ ଜଣାପଡ଼ିଛି ଯେ ଜଣେ କନ୍ଧ ମହିଳା ଶାଳଫୁଲ ଋତୁରେ ୭୦ରୁ ୮୦ କିଲୋ ପର୍ଯ୍ୟନ୍ତ ଶାଳଫୁଲ ସଂଗ୍ରହ କରିଥାଏ। କନ୍ଧମାଳ ଜିଲ୍ଲାର ପାଖାପାଖି ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଶାଳଫୁଲ ଋତୁରେ ଶାଳଫୁଲ ସଂଗ୍ରହ କରିଥାନ୍ତି। ଶାଳ ମଞ୍ଜି କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି କରିଥା’ନ୍ତି। ବେଲଘରର ପିଟୁକୁ ମାଝିଙ୍କ କହିବା ଅନୁସାରେ, ଗତବର୍ଷ ସେ ଓ ତାଙ୍କ ପରିବାର ସଦସ୍ୟ ମିଶି ପାଖାପାଖି ୩ କ୍ବିଣ୍ଟାଲ ଶାଳ ମଞ୍ଜି ସଂଗ୍ରହ କରିଥିଲେ। ମାତ୍ର ଚଳିତ ବର୍ଷ ଦୁଇ କିଲୋ ଶାଳ ମଞ୍ଜି ବି ସଂଗ୍ରହ କରିପାରିନାହାନ୍ତି। ଫିରିଙ୍ଗିଆ ବ୍ଲକର କ୍ଷେତାପାଜୁ ଗାଁର ଡମ୍ବରୁଧର କହଁର ମଧ୍ୟ ଗତବର୍ଷ ୨ କ୍ବିଣ୍ଟାଲ ଶାଳ ମଞ୍ଜି ସଂଗ୍ରହ କରିଥିଲେ। ଫୁଲବାଣୀ ବ୍ଲକର କଟ୍ରିଙ୍ଗିଆ ପଞ୍ଚାୟତ ବାଡ଼ାଗାଣ୍ଡା ଗାଁର ସ୍ବାମୀ-ସ୍ତ୍ରୀ ପ୍ରଦୀପ କହଁର ଓ ସୁଲୋଚନା କହଁର ମିଶି ପାଖାପାଖି ଦେଢ କ୍ବିଣ୍ଟାଲ ଶାଳ ମଞ୍ଜି ସଂଗ୍ରହ କରିଥିଲେ। ମାତ୍ର ଚଳିତବର୍ଷ ଗଛରେ ଗୋଟିଏ ହେଲେ ବି ଶାଳଫୁଲ ଫୁଟିନାହିଁ ବୋଲି କହନ୍ତି ସୁଲୋଚନା କହଁର। ଦୁହେଁ ଗତବର୍ଷ ଦେଢ କ୍ବିଣ୍ଟାଲ ଶାଳମଞ୍ଜି ବିକ୍ରି କରି ୩ ହଜାର ଟଙ୍କା ପାଇଥିଲେ।

publive-image

କନ୍ଧମାଳ ଜିଲ୍ଲାର ଲକ୍ଷ ଲକ୍ଷ ଆଦିବାସୀ ପୁରୁଷ ଓ ମହିଳା ମେ ରୁ ଜୁନ୍‌ ମାସ ମଧ୍ୟରେ ଜଙ୍ଗଲରୁ ଶାଳ ମଞ୍ଜି ସଂଗ୍ରହ କରନ୍ତି। ବେପାରୀମାନେ ସେମାନଙ୍କଠାରୁ ଅଳ୍ପ ମୂଲ୍ୟରେ ଶାଳମଞ୍ଜି କିଣି ନିଅନ୍ତି। ଯଦି ଆଦିବାସୀଙ୍କ ଠାରୁ ଟିଡିସିସି କିମ୍ବା ନିୟନ୍ତ୍ରିତ ବଜାର କମିଟି ଜରିଆରେ ଶାଳ ମଞ୍ଜି କିଣାଯାଇ ପାରନ୍ତା, ତେବେ ଆଦିବାସୀମାନେ ଲାଭବାନ ହୋଇପା‌ରନ୍ତେ। ମାତ୍ର, ବାହାରର ଦଲାଲ୍‌ମାନେ ଆଦିବାସୀଙ୍କ ଠାରୁ ଶାଗମାଛ ଦରରେ ଶାଳମଞ୍ଜି କିଣି ନେଇ ରାଜ୍ୟ ବାହାରେ ଚଢ଼ା ଦରରେ ବିକ୍ରି କରୁଛନ୍ତି ।

publive-image

ଶାଳ ମଞ୍ଜିରୁ ଅନେକ ପ୍ରକାର ଉତ୍ପାଦ ଯଥା ବନସ୍ପତି ଘିଅ, ତେଲ, ବିଭିନ୍ନ ପ୍ରକାର କସ୍‌ମେଟିକ୍ସ, ସାବୁନ, କ୍ରିମ୍‌, ଔଷଧ ପ୍ରସ୍ତୁତ ହୋଇଥାଏ। କିନ୍ତୁ ଶାଳ ମଞ୍ଜିରୁ ଉଚିତ୍‌ ଦର ଧାର୍ଯ୍ୟ କରାଯାଇ ନଥିବାରୁ ଆଦିବାସୀମାନେ ଶୋଷଣର ଶିକାର ହୋଇଥାନ୍ତି। ଚଳିତ ବର୍ଷ ଜଙ୍ଗଲରେ ଆଦୌ ଶାଳଫୁଲ ଫୁଟି ନଥିବାରୁ ଆଦିବାସୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେମାନେ ଧରଣୀପେନୁ, ସରୁପେନୁ ଓ ଜାକେରିପେନୁଙ୍କୁ ପୂଜା କରି ନଥିବାରୁ ଚଳିତବର୍ଷ ଦେବତା ରିସା ହେବା କାରଣରୁ ଶାଳ ଗଛ ଫୁଲ ଧରିନି ବୋଲି ବାଡାଗାଣ୍ଡା ଗ୍ରାମର ପରବାସୀ କହଁର କହିଛନ୍ତି। ପାଣିପାଗରେ ପରିବର୍ତ୍ତନ ଓ ଅନିୟମିତ ବୃଷ୍ଟିପାତ କାରଣରୁ ଚଳିତ ବର୍ଷ ଶାଳ ଗଛରେ ଫୁଲ ଆସିନି ବୋଲି ବିଶିଷ୍ଟ ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି।

ସେ ଯାହା ବି ହେଉ, ଚଳିତବର୍ଷ ଶାଳଫୁଲ ନଥିବାରୁ ଆଦିବାସୀମାନେ ଆର୍ଥିକସ୍ତରରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ ଆମ୍ବ ମଧ୍ୟ ଫଳ ଧରିନି। ଆଦିବାସୀମାନେ ଆମ୍ବ ବିକ୍ରି କରି ଦି' ପଇସା ‌ରୋଜଗାର କରୁଥିଲେ। ମାତ୍ର, ଆମ୍ବ ଫଳି ନଥିବା କାରଣରୁ ଆଦିବାସୀମାନଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।