ଦଶପଲ୍ଲା : ଫାର୍ମ ହାଉସ୍‌ ପାଇଁ ଶାଳ ଜଙ୍ଗଲ ନଷ୍ଟ

ଶ୍ରୀହିନ ହେଉଛି ଏକର ଏକର ଜଙ୍ଗଲ, ସ୍ଥାଣୁ ପାଲଟିଛି ବନବିଭାଗ

ଦଶପଲ୍ଲା : ଫାର୍ମ ହାଉସ୍‌ ପାଇଁ ନଷ୍ଟ ହେଉଛି ଶହ ଶହ ବର୍ଷର ଏକର ଏକର ଜଙ୍ଗଲ। ବନ କର୍ମଚାରୀଙ୍କ ଆଖି ଆଗରେ ଦୀର୍ଘ ଦିନ ଧରି ଏଭଳି ମୂଲ୍ୟବାନ ଶାଳ ଗଛଗୁଡ଼ିକୁ ନଷ୍ଟ କରି ଦିଆଯାଉଥିବା ବେଳେ ସବୁ ଜାଣି ନିରବ ରହିଛନ୍ତି କର୍ମଚାରୀ। ଯାହାକୁ ନେଇ ଦିନକୁ ଦିନ ଶ୍ରୀହିନ ହେବାକୁ ଯାଉଛି ଘଞ୍ଚ ଜଙ୍ଗଲ। ଏହା କୌଣସି ଉପାନ୍ତ ଅଂଚଳର ଦୃଶ୍ୟ ନୁହେଁ। ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ଟାକରା ସେକ୍ସନର ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ବର ଦୁର୍ଗାପ୍ରାସାଦ ଗ୍ରାମ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଯେଉଁ ସ୍ଥାନ ଦିନେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ରହିଥିଲା ତାହା ଆଜି ଧ୍ବଂସ ହୋଇ ଚାଲିଛି। ହେଲେ ଏହି ଗଛ ସବୁ ନଷ୍ଟ ହେବା ପଛରେ ବନ କର୍ମଚାରୀଙ୍କ ହାତଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏହି ଘଞ୍ଚ ଜଙ୍ଗଲଟି ଉଭୟ ବନ୍ୟପ୍ରାଣୀ ବିଭାଗ ଓ ଟେରିଟୋରିଆଲ୍‌କୁ ସଂଯୋଗ କରୁଛି। ଏହି ସ୍ଥାନଟି ଜଣେ ବ୍ୟକ୍ତିଙ୍କର ହୋଇଥିବା କହି ସଂପୃକ୍ତ ବ୍ୟକ୍ତି ସେହି ସ୍ଥାନରୁ ଶହ ଶହ ସଂଖ୍ୟାରେ ବିଶାଳକାୟ ଶାଳ ଗଛ ସବୁକୁ ନଷ୍ଟ କରି ଚାଲିଛନ୍ତି। ବଡ଼ବଡ ଶାଳ ଗଛର ମୂଳ ଭାଗରୁ ଛାଲି ଛଡ଼ାଯାଇ ଗଛଗୁଡ଼ିକୁ ମରିବାକୁ ଛାଡ଼ିଦିଆଯାଉଛି। ଏମିତି ଗଛ ମୂଳରୁ ଛାଲି ଛଡ଼ାଇ ଦେଲେ କିଛି ଦିନ କିଛି ଦିନ ପରେ ଗଛ ଆପେ ଶୁଖି ମରିଯିବା ପରେ କାଟି ନିଆଯିବ। ବନ କର୍ମଚାରୀ ସବୁ ଜାଣୁଛନ୍ତି, ସଂପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଜାଣନ୍ତି ଏବଂ ହାତ ବାନ୍ଧି ଚୁପ୍‌ ହେଇ ବସିଛନ୍ତି। ଏହି ସ୍ଥାନରେ ଫାର୍ମ ହାଉସ୍‌ କରିବା ପାଇଁ ଏଭଳି କରାଯାଉଛି। ଏ ସମ୍ପର୍କରେ ଟାକରା ସେକ୍ସନର ବନପାଳ ମନୋଜ କୁମାର ସେଠୀଙ୍କ କହିବା ଅନୁଯାୟୀ, ଏଭଳି କାର୍ଯ୍ୟ ନ କରିବାକୁ ସଂପୃକ୍ତ ବ୍ୟକ୍ତିଙ୍କୁ ମନା କରାଯାଉଛି। ମାତ୍ର ସେହି ସ୍ଥାନଟି ତାଙ୍କର ହୋଇଥିବା ସେ କହିବା ସହ ଏଭଳି ଗଛ ନଷ୍ଟ କରୁଥିବା କହିଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ ବନାଞ୍ଚଳ ଅଧିକାରୀଙ୍କ ସମ୍ପର୍କିୟ ହୋଇଥିବା ବେଳେ, ତାଙ୍କୁ ଜଣାଇ ସେ ଏଭଳି ଗଛ କାଟୁଥିବା ସେ କହିଛନ୍ତି।

କିନ୍ତୁ ବଡ଼କଥା ହେଉଛି ସେହି ସ୍ଥାନକୁ ଚିହ୍ନଟ କରାନଯାଇ କିଭଳି ଶହ ଶହ ସଂଖ୍ୟାରେ ଶାଳ ଗଛ ସବୁକୁ ମାରି ଦିଆଯାଉଛି? କେଉଁ ପ୍ରଭାବଶାଳୀ ବ୍ୟକ୍ତି ଏହା ପଛରେ ଅଛନ୍ତି ଏବଂ ବନ କର୍ମଚାରୀମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ଆଇନର ଊର୍ଦ୍ଧ୍ବରେ ବୋଲି କାହିଁକି ଭାଗୁଛନ୍ତି? ପୁନଶ୍ଚ ଶହ ଶହ ବର୍ଷ ଧରି ଘଞ୍ଚ ଜଙ୍ଗଲ ଥିବା ଗୋଟିଏ ଜମି ଜଣକର ବ୍ୟକ୍ତିଗତ ଖାତାକୁ ଗଲା କେମିତି? ବନ କର୍ମଚାରୀମାନେ ସେହି ଜଙ୍ଗଲର ହାଲ ଓ ସାବିକ ଖାତା-ପ୍ଲଟ୍‌ ନମ୍ବର ଯାଞ୍ଚ୍‌ କରୁନାହାନ୍ତି କାହିଁକି? ତେବେ ଏଭଳି ଗଛଗୁଡ଼ିକୁ ମାରି ଦିଆଯାଉଥିବା ବେଳେ ବନପାଳ କାହିଁକି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥି ପ୍ରତି ବିଭାଗୀୟ ଅଧିକାରୀ ଏବଂ ପରିବେଶବିତ୍‌ମାନେ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର