‘ଶଲାବୁଢ଼ା’ର ସ୍ରଷ୍ଟା କପିଳେଶ୍ବର ମହାପାତ୍ରଙ୍କ ପରଲୋକ

୧୬ରେ ସୁବର୍ଣ୍ଣପୁର ଜିଲ୍ଲା ଲେହେ‌ଡ଼ିରେ ହେବ ଶେଷକୃତ୍ୟ

ସୋନପୁର : ବିଶି‌ଷ୍ଟ ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ବାପା କପିଳେଶ୍ବର ପ୍ରସାଦ ମହାପାତ୍ର ଗତ ରାତିରେ ତାଙ୍କ ଲେହେଡିସ୍ଥିତ ବାସଭବନରେ ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କ ପରିବାର ଲୋକମାନେ ମୁମ୍ବାଇରେ ରହୁଥିବାରୁ ସେମାନେ ଫେରିଲେ ଆସନ୍ତା ୧୬ ତାରିଖରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି।

ସ୍ବର୍ଗତ ମହାପାତ୍ର ଲେହେଡି ଗ୍ରାମରେ ୧୯୩୧ ମସିହା ଅଗଷ୍ଟ ୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ସ୍ବର୍ଗତ ଗଙ୍ଗାଧର ମହାପାତ୍ର। ସେ ଥିଲେ ଜଣେ ଲେଖକ, ସମାଜ ସଂସ୍କାରକ, ଗାନ୍ଧୀବାଦୀ ଓ ଗବେଷକ। ଅନ୍ୟର ମଙ୍ଗଳ ଲାଗି ନିଜକୁ ଉତ୍ସର୍ଗ କରିଥିଲେ। ଶିକ୍ଷକତା କରୁଥିବା ବେଳେ ଗରିବ ଲୋକଙ୍କ ମାଗଣାରେ ହୋମିଓପାଥିକ ଚିକିତ୍ସା କରୁଥିଲେ। ସେ ଅବସର ଗ୍ରହଣ କରିବା ପରେ ଚେତନା ଟ୍ରଷ୍ଟ ନାମକ ଏକ ସେବାମୂଳକ ନିଜ ଗ୍ରାମ ଲେହେଡିରେ ପ୍ରତିଷ୍ଠା କରିଥିଲେ।

ତାଙ୍କ ପୁଅ ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ଅନ୍ୟ ପୁଅମାନଙ୍କ ଚଳଚ୍ଚିତ୍ର ଆୟରୁ ନିର୍ଦ୍ଦିଷ୍ଟାଂଶ ଏହି ଟ୍ରଷ୍ଟକୁ ସହଯୋଗ କରୁଥିବାରୁ ତାଙ୍କର ଲୋକକଲ୍ୟାଣ ଇଚ୍ଛା ପୂରଣ ହୋଇଥିଲା। ତାଙ୍କ ସହଯୋଗରେ ଚେତନା ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରତିଷ୍ଠିତ ହୋଇଥିଲା ଗଙ୍ଗାଧର ଆୟୁର୍ବେଦ ଚିକିତ୍ସାଳୟ, ଚେତନା ପାଠାଗାର, ଜରା ନିବାସ, ଗ୍ରମାଞ୍ଚଳରେ ଚାଲିଥିବା ୩୨ଟି ବିଦ୍ୟାଳୟ ପଶ୍ଚିମ ଓଡ଼ିଶାରେ ଅଭାବଗ୍ରସ୍ତ ଲୋକଙ୍କ ମଧ୍ୟରେ ଆଶାର ଆଲୋକ ସୃଷ୍ଟି କରିଛି।

ଏହି ଅଞ୍ଚଳର ଭାଷା, କଳା ଓ ସଂସ୍କୃତିର ସଂରକ୍ଷଣ ତଥା ଉନ୍ନତି ସକାଶେ ଗ୍ରାମାଞ୍ଚଳ କ୍ରୀଡ଼ା (ବାଡ଼ିନାଚ), ଏବଂ ସମ୍ଭ୍ରାନ୍ତ ପତ୍ରିକା ଚେତନା ବାର୍ତ୍ତାର ପ୍ରକାଶ ସେ କରୁଥିଲେ।

ସ୍ବର୍ଗତ ମହାପାତ୍ରଙ୍କର ଶଲାବୁଢ଼ା, ଶଲାବୁଢ଼ାର ନାଟ୍ୟ ଦର୍ଶନ, ଶଲାବୁଢ଼ାର କଥାନୀ, ଶଲାବୁଢ଼ାର ଗୀତା ଦର୍ଶନ ଓ ଶଲାବୁଢ଼ାର ଶ୍ରୀମନ୍ଦିର ଦର୍ଶନ ଆଦି ରଚିତ ପୁସ୍ତକ ଗୁଡ଼ିକ ପାଠକୀୟ ସ୍ବୀକୃତି ଲାଭ କରିଥିଲା।

ତାଙ୍କ ରଚିତ ଶଲାବୁଢ଼ା ଓ ଆଦିମ ବିଚାର ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମି ଦ୍ବାରା ମଧ୍ୟ ସେ ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କ ବଡ଼ପୁଅ ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ସୁଶାନ୍ତ ମହାପାତ୍ର, ବୃକୋଦର ଚିଣ୍ଟୁ ମହାପାତ୍ର, ମଣ୍ଟୁ ମହାପାତ୍ର, ରାଜେନ୍ଦ୍ର ମହାପାତ୍ର, ପ୍ରକାଶ ମହାପାତ୍ର ପ୍ରମୁଖ ୬ ପୁଅ ଏବଂ ତିନି ଝିଅ ଅଛନ୍ତି। ପରିବାର ବର୍ଗ ବାହାରେ ରହୁଥିବାରୁ ତାଙ୍କର ଶେଷକୃତ୍ୟ ପରେ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର