ଶାଳଦେଈ ହତ୍ୟାକାଣ୍ଡ: ମୃତକଙ୍କ ପରିବାରକୁ ଭେଟିଲେ ନିରଞ୍ଜନ ପଟ୍ଟନାୟକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଶାଳଦେଈ ଗ୍ରାମରେ ବାଲିଘାଟ ବିବାଦକୁ କେନ୍ଦ୍ରକରି ଶାସକ ବିଜେଡି ସମର୍ଥକଙ୍କ ଆକ୍ରମଣରେ ମଲ୍ଲୀ ଜେନାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ଚାରିଦିନ ବିତିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଛି। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଅପରାହ୍‌ଣରେ ଶାଳଦେଈ ଗ୍ରାମକୁ ଯାଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

ଗତ ୨୨ ତାରିଖରେ ଶାଳଦେଈ ବ‌ାଲିଘାଟକୁ ବିରୋଧ କରୁଥିବା ଗ୍ରାମର ନବଘନ ଜେନାଙ୍କ ପତ୍ନୀ ମଲ୍ଲୀ ଜେନାଙ୍କୁ ବିଜେଡି ସମର୍ଥକମାନେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଘସିପୁରା ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ବାମୀ ମଦନ ମୋହନ ସାହୁ ଓରଫ ବାବନ, ତରୁଆଁର ପୂର୍ବତନ ସରପଞ୍ଚ ବଳରାମ ବେହେରା, ଶାଳଦେଈର ରାମକୃଷ୍ଣ ବୋଇତେଇ, ଭାଗ୍ୟକମଳ ବୋଇତେଇ, ତରୁଆଁର ସିପୁନା ବେହେରାଙ୍କ ସମେତ ଶହେରୁ ଊର୍ଦ୍ଧ୍ବ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି। ୨୨ ତାରିଖରେ ଘଟଣା ଘଟିଥିବା ବେଳେ ମଲ୍ଲୀଙ୍କ ୨୯ ତାରିଖରେ କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।
ଏହାପରେ ଗିରଫ ଭୟରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଅଧିକାଂଶ ରାଜ୍ୟ ବାହାରକୁ ଚାଲିଯାଇଥିବା ମଧ୍ୟ ଆଲୋଚନା ହେଉଛି। ପୂର୍ବତନ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମୃତକଙ୍କ ପରିବାରକୁ ଭେଟିଛନ୍ତି। ଗ୍ରାମବାସୀଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ପ୍ରଶାସନ ଗ୍ରାମର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ସେ କରିଛନ୍ତି। ଏହି ଅବସରରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଚତୁର୍ଭୁଜ ନାୟକ, ବ୍ଲକ୍‌ କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ର, ବରିଷ୍ଠ ନେତା ତ୍ରିଲୋଚନ ପରିଡ଼ା, ଅଭିମନ୍ୟୁ ନାଥ, ବିପିନ ମାଝୀ, ତାରିଣୀ ପଟ୍ଟନାୟକ, ଦିଲୀପ କୁମାର ରାଉତ, ଅଲେଖ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର