ଆନନ୍ଦପୁର : ଘସିପୁରା ବ୍ଲକ୍ ଶାଳଦେଈ ବାଲିଘାଟ ବିବାଦକୁ ନେଇ ହତ୍ୟା ଘଟଣା ପରେ ଗାଁରେ ପୁଲିସ ପଇଁତରା ମାରୁଥିବା ବେଳେ ଶତାଧିକ ଲୋକ ଫେରାର ହୋଇଯାଇଛନ୍ତି। ସେପଟେ ପୁଲିସ ଉପସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ ମୃତ ମଲ୍ଲୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।
ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଶାଳଦେଈ ଗ୍ରାମରେ ଗତ ୨୨ ତାରିଖରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଶାଳଦେଈ ଗ୍ରାମର ମଲ୍ଲୀ ଜେନା ଗୁରୁତର ହୋଇଥିଲେ। ପରିବାର ଲୋକେ ମଲ୍ଲୀଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଦୀର୍ଘ ୮ ଦିନ ଧରି ଜୀବନ ସହ ସଂଘର୍ଷ କରି ବୁଧବାର ମୃତ୍ୟୁବରଣ କରିଥିଲେ। ସନ୍ଧ୍ୟାରେ ମଲ୍ଲୀଙ୍କ ମୃତଦେହ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକେ ୨୦ ନଂ ଜାତୀୟ ରାଜପଥର ସୁଆଁପଦା ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତୁରନ୍ତ ଗିରଫ କରିବା ପାଇଁ ମଲିଙ୍କ ପରିବାର ଲୋକେ ଦାବି କରିଥିଲେ।
/sambad/media/post_attachments/wp-content/uploads/2023/03/keonjhar-saladei-murder-case-750x430.jpg)
ଘଟଣା ସ୍ଥଳରେ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା, ଘସିପୁରା ଥାନା ଅଧିକାରୀ ବିକ୍ରମ ଭୂୟାଁ, ରାମଚନ୍ଦ୍ରପୁର ଥାନା ଅଧିକାରୀ ଅବିନାଶ ପରିଡ଼ା, ଆନନ୍ଦପୁର ଥାନା ଅଧିକାରୀ ଦେବକୀ ନାଏକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ବିଳମ୍ବିତ ରାତିରେ ପୁଲିସ ଉପସ୍ଥିତିରେ ମୃତ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଆଇନ ଶୃଙ୍ଖଳା ସ୍ଥିତିକୁ ଦେଖି ଗ୍ରାମରେ ପୋଲିସ ମୁତୟନ କରାଯାଇଛି। ମଲ୍ଲୀଙ୍କ ପରିବାରର ଅଭିଯୋଗ ଆଧାରରେ ପୁଲିସ ଘସିପୁରା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ମଦନମୋହନ ସାହୁ ଓରଫ୍ ବାବନ, ତରୁଆଁର ପୂର୍ବତନ ସରପଞ୍ଚ ବଳରାମ ବେହେରା, ଶାଳଦେଇର ପୂର୍ବତନ ସରପଞ୍ଚ ରମୁ ବୋଇତେଇଙ୍କ ସହ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗତ ଦୁଇ ଦିନ ପୂର୍ବରୁ ବାବନ ସାହୁ, ବଳରାମ ବେହେରା ଫେରାର ଥିବା ବେଳେ ତରୁଆ ଏବଂ ଶାଳଦେଇ ଗ୍ରାମର ୧୦୦ ରୁ ଊର୍ଦ୍ଧ୍ବ ବିଧାୟକଙ୍କ ସମର୍ଥକ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ken-dddd-1.jpg)