ଭଦ୍ରକ : ତରୁଣ ଲେଖକମାନେ ସାହିତ୍ୟ ସାଳନ୍ଦୀର ନୂଆ ସ୍ରୋତ। ସ୍ରୋତ କମିଗଲେ ନଈ ଶୁଖିଯିବା ପରି ନବପ୍ରତିଭାମାନେ ସାମ୍ନାକୁ ନ ଆସିଲେ ସାହିତ୍ୟର ଧାରା ଶିଥିଳ ହୋଇଯିବ ବୋଲି ସାଳନ୍ଦୀ ବହିମେଳାର ଷଷ୍ଠ ସନ୍ଧ୍ୟାରେ ‘ଟାଇମପାସ୍’ ପ୍ରକାଶନୀ ପକ୍ଷରୁ ଆୟୋଜିତ ବିଶେଷ କାର୍ଯ୍ୟକ୍ରମ ‘ତରୁଣ ତରଙ୍ଗ’ରେ ଅତିଥିମାନେ ମତପୋଷଣ କରିଛନ୍ତି।
ସାହିତ୍ୟର ତରୁଣ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜିତ ଏହି କର୍ମଶାଳାରେ ଅଧ୍ୟାପକ ଓ ପ୍ରାବନ୍ଧିକ ବିଶ୍ୱରଂଜନ ଦାସ, ବିଶିଷ୍ଟ କବୟିତ୍ରୀ ତଥା ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା, କବି ଚିତ୍ତରଞ୍ଜନ ନାୟକ ପ୍ରମୁଖ ବିଚାରକ ତଥା ସମୀକ୍ଷକ ଭାବେ ଯୋଗଦେଇ ସମୀକ୍ଷା କରିଥିଲେ। ଲେଖକ-ପ୍ରକାଶକ ସରୋଜ ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଯ୍ୟାମୀ ମିଶ୍ର, ଭାଗିରଥୀ ସେନାପତି, ବିଚିତ୍ରାନନ୍ଦ ଜେନା, ବିଜୟ ବାରିକ, ବିସ୍ମୟ ବିହାରୀ ସାହୁ, ଚନ୍ଦନ କୁମାର ଦାସ, ଦୀପିକା ପେରେଇ, ଜ୍ୟୋତିର୍ମୟ ଜ୍ୟୋତିରଞ୍ଜନ ନାୟକ, କୈବଲ୍ୟ ନାୟକ, ନିଖିଳେଶ ମିଶ୍ର, ଓମ୍ପ୍ରକାଶ ବିଶ୍ୱାଳ, ପତିତପାବନ ପାଣି, ସଂଗ୍ରାମ ମହାରଣା, ସଞ୍ଜୟ ପଣ୍ଡା, ସ୍ୱପ୍ନାଜିତା ଶଙ୍ଖୁଆ, ସରୋଜିନୀ ଶଙ୍ଖୁଆ, ସସ୍ମିତା ଘୋଷ୍, ସିପୁନୁ ଜେନା ଏବଂ ସ୍ନେହଲତା ନନ୍ଦ ପ୍ରମୁଖ ତରୁଣ ଲେଖକ-ଲେଖିକା ଯୋଗ ଦେଇ ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିଲେ। ଉତ୍ସବରେ ଯୁବ ଗାଳ୍ପିକ କୈଳାସ ବେହେରା ସ୍ୱାଗତ ଭାଷଣ ଦେଇଥିଲେ।
ଅନ୍ୟପକ୍ଷରେ, ସଂପାଦକ ଅଭିଜିତ୍ ନାୟକ, ଗାଳ୍ପିକା ଚିରଶ୍ରୀ ଇନ୍ଦ୍ରସିଂ ଚଳିତବର୍ଷର ‘ସାଳନ୍ଦୀ ବହିମେଳା ପୁରସ୍କାର’ ପାଇବେ ବୋଲି ଘୋଷଣା କରାଯାଇଛି।