ଆଗରପଡ଼ା: ବେଆଇନ ବାଲି ଖନନ ଯୋଗୁ ବନ୍ତ ତହସିଲ ଅଧୀନ ଆଗରପଡ଼ା ଅଞ୍ଚଳରେ ସାଳନ୍ଦୀ ନଦୀ ଗତିପଥ ପରିବର୍ତ୍ତନ କରି ଧୀରେ ଧୀରେ ଗାଁ ମୁହାଁ ହେଉଛି। ଫଳରେ ଲୋକେ ଆଶଙ୍କା ଭିତରେ ରହୁଛନ୍ତି।
ସାଳନ୍ଦୀ ନଦୀ ପଠାରେ ବେଆଇନ ଭାବେ ଗଢ଼ି ଉଠୁଥିବା ଇଟାଭାଟି ଓ ବାଲି ଖନନ ଯୋଗୁ ନଦୀ କ୍ରମଶଃ ବିପଦ ମୁହଁକୁ ଠେଲିଯାଉଛି। ଆଗରପଡ଼ା ଥାନା ଅଧୀନ ସାହୁପଡ଼ା, ଟିକିରା, କାଣ୍ଡବା, ଗୋପୀନାଥପୁର, ବଡ଼ମହିଷଗୋଠ, ମହାନ୍ତିିପଡ଼ା, ଚାରିଗାଁ ଏବଂ ଅଣିଜୋ ଆଦି ସାଳନ୍ଦୀ ନଦୀଘାଟରୁ ଦୀର୍ଘ ଦିନ ଧରି ବେଆଇନ ଭାବେ ମାଫିଆମାନେ ଦିନ ଦ୍ୱିପ୍ରହରରେ ବାଲି ଉତ୍ତୋଳନ କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଘାଟଗୁଡ଼ିକୁ ଗତ ବର୍ଷ ନିଲାମ କରାଯାଇଥିଲା। ନିଲାମ ପରେ ଅଞ୍ଚଳବାସୀ ବେଅାଇନ ବାଲି ଖନନ ଉପରେ ରୋକ ଲାଗିବ ବୋଲି ଅାଶା କରିଥିବା ବେଳେ ଏଥିରେ ଫଳ କିନ୍ତୁ ଶୂନ।
ସରକାରଙ୍କ ପ୍ରଦତ୍ତ ନିୟମକୁ କେହି ବି ମାନୁନାହାନ୍ତି। ପୂର୍ବ ପରି ରାଜସ୍ବ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ଦିନ ଦ୍ୱିପ୍ରହରରେ ଖୋଲାଖୋଲି ଭାବେ ଅଧିକ ବାଲି ଖୋଳାଯାଇ ଟ୍ରାକ୍ଟର ଓ ଟ୍ରକ୍ରେ ବେଅାଇନ ଚାଲଣ କରାଯାଉଛି। ଏହା ଜାଣି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି। ଗ୍ରାମବାସୀମାନେ ଏହାକୁ ବିରୋଧ କଲେ ମାଫିଅାମାନଙ୍କ ଅାକ୍ରୋଶର ଶିକାର ହେଉଛନ୍ତି। ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ। ଘାଟ ନିଲାମ କେବଳ ପ୍ରହସନ ପାଲଟିଛି।
ପ୍ରତିଦିନ ବେଧଡକ ବାଲି ଖୋଳାଯାଉଥିବାରୁ ନଦୀର ଗତିପଥ ପରିବର୍ତ୍ତନ ଘଟୁଛି। ଯାହାକି ସାମାନ୍ୟ ବର୍ଷା ହେଲେ ନଦୀ ବଢ଼ି ପାଣି ଗାଁ ମଧ୍ୟକୁ ପଶି ଆସି ଲୋକମାନଙ୍କର ବ୍ୟାପକ କ୍ଷତି ପହଞ୍ଚାଇବ। ଅାହୁରି ମଧ୍ୟ ବାଲି ମାଫିଆମାନେ ନଦୀତଟକୁ ଦୁଇ ତିନି ମଣିଷ ଲେଖାଏଁ ଖୋଳି ଦେବା ଦ୍ୱାରା ବିଭିନ୍ନ ସମୟରେ ଗୃହପାଳିତ ପଶୁମାନେ ଏଥିରେ ଖସି ପଡି ଖଣ୍ଡିଆ ଖାବରା ହେଉଛନ୍ତି। ସାଳନ୍ଦୀ ନଦୀ ପାର୍ଶ୍ୱରେ ଥିବା ଗ୍ରାମଗୁଡିକରେ ଅବାଧ ବାଲି ଖନନ ଯୋଗୁଁ ନଦୀ ଗାଁ ମୁହାଁ ହେଉଥିବାରୁ ସାହୁପଡ଼ା, ଟିକିରା, କାଣ୍ଡବା, ଗୋପୀନାଥପୁର, ଘଣ୍ଟଗଡିଆ, ମହାନ୍ତିିପଡ଼ା, ଚାରିଗାଁ ଏବଂ ଅଣିଜୋ ଗ୍ରାମଗୁଡ଼ିକ ସାଳନ୍ଦୀ ନଦୀରେ ଲୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏ ବାବଦରେ ତହସିଲଦାରଙ୍କୁ ଗ୍ରାମବାସୀମାନେ ଲିଖିତ ଅଭିଯୋଗ ଦେଇଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।