ସାଳନ୍ଦୀରେ ସାଲାଇନ୍ ବନ୍ଧ ପ୍ରତି ବିପଦ ଘନଉଛି, ନିମ୍ନମାନର କାମ ଯୋଗୁଁ ନଦୀକୂଳିଆ ଲୋକେ ଆତଙ୍କିତ

ଭଦ୍ରକ : ଭଦ୍ରକ ଜିଲ୍ଲାର ୩ ଟି ପ୍ରମୁଖ ନଦୀ ବୈତରଣୀ, ସାଳନ୍ଦୀ ଓ ମନ୍ତେଈ ନଦୀରେ ପ୍ରତିବର୍ଷ ବର୍ଷାଦିନେ ବନ୍ୟା ଆସିଲେ ଜିଲ୍ଲାର ବ୍ୟାପକ ଅଞ୍ଚଳ କ୍ଷତି କରୁଛି। ଏଇସବୁ ନଦୀବନ୍ଧ କାମ ଲାଗି ପ୍ରତିବର୍ଷ ଜଳ ସଂପଦ ବିଭାଗ କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି। ମାତ୍ର ବିଭାଗୀୟ କିଛି ଯନ୍ତ୍ରୀ ଓ ଠିକାଦର ଏହାର ସିଂହ ଭାଗ ଅର୍ଥ ଲୁଟି ଖାଉଛନ୍ତି। ଅନେକ ସ୍ଥାନରେ ଫଲସ୍ ବିଲ୍ କରି ଟଙ୍କା ଖାଇ ଲୋକଙ୍କୁ ବନ୍ୟାରେ ବୁଡାଇ ମାରୁଛନ୍ତି।ଏଭଳି କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଭଦ୍ରକ ଜିଲ୍ଲାର ଲୋକମାନେ ପ୍ରତିବର୍ଷ ବନ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ଧନ ଜୀବନ ମଧ୍ୟ ବିପଦରେ ପଡୁଛି। ବନ୍ୟା ପାଇଁ ଜିଲ୍ଲାର ବ୍ୟାପକ ଚାଷ ଜମି ନଷ୍ଟ ହେଉଛି। ବନ୍ୟାର ସ୍ଥାୟୀ ପ୍ରତିକାର ନେଇ ଏଇସବୁ ନଦୀବନ୍ଧ ଦାୟୀତ୍ବରେ ଥିବା ବିଭାଗୀୟ ଅଧିକାରୀମାନେ କେବେ ଆନ୍ତରିକତା ପ୍ରକାଶ କରୁନଥିବା ସାଧାରଣରେ ଅଭିଯୋଗ ହୋଇଛି।

Wikimapia

ଅଭିଯୋଗରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲାର ସାଳନ୍ଦୀ ନଦୀର ସାଲାଇନ୍ ବନ୍ଧ ନିର୍ମାଣ ପାଇଁ ଗତ ଦୁଇବର୍ଷ ତଳେ ୮କୋଟି ୪୦ ଲକ୍ଷ ଟଙ୍କା ଆସିଥିଲା। ଏଇ ଅନୁଦାନରେ ବୋଡକରୁ–ତିନିତର ବନ୍ଧ ଓ ତିନିତରରୁ ଆରଡି–ନାନ୍ଦପୁର ପର୍ଯ୍ୟନ୍ତ ସାଳନ୍ଦୀ ସାଲାଇନ୍ ନଦୀବନ୍ଧ କାମ ଗତବର୍ଷ ହୋଇଥିଲା। ମାଟିକାମ ଓ ପଥର ପେକିଂ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିଲା। ଯାହାର କିଛି ଅଞ୍ଚଳ ଏବେ ଧୋଇଯିବାକୁ ବସିଛି। ଏଇ ବନ୍ଧର ଏହାର ସ୍ଥାୟୀତ୍ବ ନେଇ ଏବେ ଅଞ୍ଚଳବାସୀ ପ୍ରଶ୍ନ ଉଠାଇବା ସହ ଏହି ବନ୍ଧ କାର୍ଯ୍ୟର ପୁନଃ ନିର୍ମାଣ କରିବାକୁ ଦାବି କରିଛନ୍ତି। ଯେଉଁ କାମ ହୋଇଥିଲା, ସେ କାମର ମାନ ଠିକ୍ ଭାବେ କରାଯାଇ ନଥିବା ବେଳେ ଅନେକ ସ୍ଥାନରେ ପଥର ପ୍ୟାକିଂ ସ୍ଥାନରେ ମାଟି ଓ ବାଲି ଭର୍ତ୍ତି କରାଯାଇ ଉପରେ କେବଳ ପଥର ପକାଇ ଦିଆଯାଇଛି। ଯାହା ଗତ ବର୍ଷ ବର୍ଷା ଦିନେ କେତେକ ସ୍ଥାନରେ ଧୋଇ ଯାଇଥିବା ବେଳେ ଏବର୍ଷ ବର୍ଷା ଦିନେ ବନ୍ଧ ପୁଣି ଧୋଇଯିବାର ଅଶଙ୍କା ପ୍ରକାଶ ପାଇଛି। ଏଇ ନଦୀବନ୍ଧ କାର୍ଯ୍ୟରେ ବ୍ୟାପକ ଅର୍ଥ ବାଟମାରଣା କରାଯାଇଛି। ବର୍ଷାଦିନ ପୂର୍ବରୁ ସାଳନ୍ଦୀ ନଦୀବନ୍ଧକୁ ପୁନଃ ନିର୍ମାଣ କରାଯିବା ନେଇ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Twitter

ବନ୍ଧର ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। କେବଳ ସାଳନ୍ଦୀର ଏଇ ସାଲାଇନ୍ ବନ୍ଧ ନୁହେଁ, ଭଦ୍ରକ ସହର ନିକଟବର୍ତ୍ତୀ ଓ ସହର ଉପକଣ୍ଠ ଅଞ୍ଚଳରେ ସାଳନ୍ଦୀ ନଦୀ ଗର୍ଭରେ ଅନେକ ସ୍ଥାନରେ ଦଳ ଭର୍ତ୍ତି ହୋଇଥିବା ବେଳେ ବର୍ଷା ଦିନରେ ନଦୀରେ ବନ୍ୟା ଜଳ ପ୍ରବାହିତ ହେବା କଷ୍ଟକର ହୋଇପଡିବ। ଗତ ଚାରି ଦିନ ତଳେ ଭଦ୍ରକ ଜିଲ୍ଲାପାଳ ଓ ସାଳନ୍ଦୀ ଜଳ ସଂପଦ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସାଳନ୍ଦୀ ନଦୀବନ୍ଧର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ବର୍ଷା ଆସିବା ପୂର୍ବରୁ ଦଳ ଛଡା ଯିବା ଓ ଦୁର୍ବଳ ବନ୍ଧ ପ୍ରତି ଦୃଷ୍ଟି ଦିଆଯିବା ନେଇ ଗୁରୁତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର