ଭଦ୍ରକ: ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀବନ୍ଧର ସୁରକ୍ଷା ପାଇଁ ବିଭିନ୍ନ ସମୟରେ ସାଳନ୍ଦୀ ସୁରକ୍ଷା ମଞ୍ଚ ଦାବି କରି ଆସୁଛି। ହେଲେ ଜଳସଂପଦ ବିଭାଗ ଏହାକୁ ଅଣଦେଖା କରୁଛି। ବନ୍ତ ବ୍ଲକର ଆଗରପଡା ଦେଇ ଭଦ୍ରକ ବ୍ଲକର କାଉପୁର, ଭଦ୍ରକ, ତିହିଡି ଦେଇ ଚାନ୍ଦବାଲି ବ୍ଲକର ଆରଡି ପର୍ଯ୍ୟନ୍ତ ଲମ୍ବିଛି ସାଳନ୍ଦୀ। ଆରଡିର ତିନିତର ନିକଟରେ ସାଳନ୍ଦୀ ଓ ବୈତରଣୀ ନଦୀର ମିଳନ ଘଟିଛି। ସାଳନ୍ଦୀ ନବୀର ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ହୋଇଯାଇଛି। କେତେକ ସ୍ଥାନରେ ବନ୍ଧ ଧୋଇ ନବୀଗର୍ଭରେ ଲୀନ ହେବାକୁ ବସିଛି। ଯେଉଁଥି ପାଇଁ ନଦୀକୂଳବାସୀ ଆତଙ୍କିତ ହୋଇ ରହିଛନ୍ତି।
ନିକଟରେ ଆରଡି ନିକଟ ଶୀତଳପୁରଠାରେ ୪୦୦ ଫୁଟ ଲମ୍ବର ନଦୀବନ୍ଧ ଧସି ଯାଇଥିଲା। ଶୀତଳପୁର ଗାଁ ନିକଟ ଦେଇ ସାଳନ୍ଦୀ ନଦୀ ପ୍ରବାହିତ ହୋଇଥିବାରୁ ନଦୀକୂଳିଆ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ନଦୀକୂଳରେ ଅନେକ ବାସଗୃହ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହାମଧ୍ୟରେ କିଛି ଲୋକ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ନଦୀ ଜୁଆରିଆ ରହୁଥିବା ବେଳେ କୁମ୍ଭୀର ଆତଯାତ ହେଉଥିବାରୁ ଧନଜୀବନ ସୁରକ୍ଷା ନେଇ ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ଗତ କିଛି ବର୍ଷ ହେଲା ସାଳନ୍ଦୀ ନଦୀର ଗତିପଥ ବଦଳୁଛି। ଶୀତଳପୁର ନିକଟରେ ନଦୀଗର୍ଭକୁ ଧସିଥିବା ବନ୍ଧ ମରାମତି କାର୍ଯ୍ୟ ଠିକ୍ ଭାବେ କରାଯାଇ ନଥିବାରୁ ଗାଁ ଲୋକ ଆଶଙ୍କାରେ ରହିଛନ୍ତି। ଯାଜପୁର ଜଳସଂପଦ ବିଭାଗ ନଦୀବନ୍ଧ କାର୍ଯ୍ୟ ଗତ ୩ ମାସ ତଳେ ଆରମ୍ଭ କରିଥିବା ବେଳେ ନିମ୍ନମାନର କାର୍ଯ୍ୟ ପାଇଁ ନଦୀବନ୍ଧ ଧସି ଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ ତଦାରଖ କରୁ ନଥିବା ବେଳେ ନଦୀବନ୍ଧର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/32-3.jpg)