ମାଲକାନଗିରି: ଜିଲ୍ଲାରେ ଏବେ ପାରଦ ୪୩ ଡିଗ୍ରିରୁ ତଳକୁ କମୁ ନାହିଁ। ଲୋକେ ଗରମରେ ଅସ୍ତବ୍ୟସ୍ତ ହୋଇଗଲେଣି। ଜିଲ୍ଲାର ସମସ୍ତ ଅଂଚଳ ଏବେ ଉତ୍ତପ୍ତ ହୋଇପଡିଛି।ବଣ୍ଡାଘାଟି ଏଥିରୁ ବାଦ ପଡିନାହିଁ। ବଣ୍ଡାଘାଟିରେ ମଧ୍ୟ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ବଣ୍ଡା ଜନଜାତି ଗରମରୁ ରକ୍ଷା ପାଇବା ପାଇଁ ନା ଫ୍ୟାନ ବ୍ୟବହାର କରୁଛନ୍ତି ନା ଏସି ବ୍ୟବାହର କରୁଛନ୍ତି। ବର୍ଷ ବର୍ଷ ଧରି ଯେଭଳି ଜୀବନ ବିତାଇ ଆସୁଛନ୍ତି ସେଭଳି ଆଜି ମଧ୍ୟ ବିତାଉଛନ୍ତି। ଗରମରୁ ରକ୍ଷା ପାଇବା ପାଇଁ ଖରାଦିନେ ରାତିରେ ବାହାରେ ଶୋଇବା ଛଡା ଅନ୍ୟ ଉପାୟ ନାହିଁ। ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ବାହାରେ ହିଁ ରହନ୍ତି ଓ ଗଛ ଛାଇରେ ଦିନବେଳା କାଟନ୍ତି।
ତେବେ ଘାଟିରେ ଥଣ୍ଡା ପାନୀୟର ବ୍ୟବହାର ଲୋକେ ଜାଣିଥିଲେ ମଧ୍ୟ ପାରଂପାରିକ ଥଣ୍ଡା ପାନୀୟ ଭାବେ ସଲପ ରସକୁ ହିଁ ସେମାନେ ଜାଣନ୍ତି। ଖରାଦିନ ଆସିଲେ ସଲପ ରସର ଚାହିଦା ବଣ୍ଡାଘାଟିରେ ବେଶ ବଢିଯାଏ। ଏବେ ବଣ୍ଡା ମହିଳାମାନେ ଘାଟିର ବିଭିନ୍ନ ସ୍ଥାନରେ ସଲପ ରସ ବିକ୍ରି କରୁଥିବା ଦେଖିବାକୁ ମିଳେ। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ଆସିବା କରୁଥିବା ପୁରୁଷ ମହିଳା ସମେତ ଅନ୍ୟ ବାଟୋଇ ଭାଇମାନେ ମଧ୍ୟ ସଲପ ବିକ୍ରି ହେଉଥିବା ସ୍ଥାନରେ କିଛି ସମୟ ରହି ଗୋଟିଏ କିମ୍ବା ଦୁଇଟି ଗ୍ଲାସ ସଲପ ରସ ପିଇବା ସହ ଏହାର ମଜା ଉଠାନ୍ତି। ସଲପ ରସରେ ନିଶାଦ୍ରବ୍ୟ ପକାଇ ଏହାକୁ ହାଲକା ନିଶାଳିଆ କରାଯାଇଥାଏ, ଯାହାଫଳରେ ଦିନ ତମାମ ଲୋକେ ନିଶାରେ ମଧ୍ୟ ରହିଥାନ୍ତି।
ଗ୍ଲାସ ପ୍ରତି ଦଶ ଟଂକାରେ ଏହି ରସକୁ ବିକ୍ରି କରାଯାଉଛି। ଦିନସାରା ଏହି ରସ ବିକ୍ରି କରି ମହିଳାମାନେ ବେଶ ଦିପଇସା ରୋଜଗାର କରନ୍ତି। କାହିଁ କେଉଁ କାଳରୁ ସଲପ ଏବଂ ଖଜୁରି ଗଛର ରସକୁ ସେମାନେ ଥଣ୍ଡା ପାନୀୟ ଭାବେ ବ୍ୟବହାର କରି ଆସୁଛନ୍ତି। ଏହା ନିଶାଦ୍ରବ୍ୟରେ ଯାଉନଥିବାରୁ ହୁଏତ ଅବକାରୀ କିମ୍ବା ପୁଲିସ ଏହା ଉପରେ ଚଢାଉ କରନ୍ତି ନାହିଁ। କେବଳ ବଣ୍ଡାଘାଟି ନୁହେଁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଂଚଳରେ ଏବେ ସଲପ ରସର ପସରା ରାସ୍ତାଘାଟରେ ଦେଖିବାକୁ ମିଳୁଛି। ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ଲୋକେ ଏହାକୁ ଗ୍ରହଣ କରିଥାନ୍ତି।