ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ଜିଲ୍ଲାର ଖଇରପୁଟ ବ୍ଲକର ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଘାଟି ଉପରେ ରହିଛି ବଣ୍ଡାଘାଟି। ଏଠାରେ ରହିଛି ଦୁଇଟି ପଞ୍ଚାୟତ। ଗୋଟିଏ ମୁଦୁଲିପଡ଼ା ଓ ଅନ୍ୟଟି ଅଣ୍ଡ୍ରାହାଲ। ଏହି ଦୁଇଟି ପଞ୍ଚାୟତରେ ପ୍ରାୟ ୩୨ଟି ଗାଁ ରହିଥିବା ବେଳେ ୭ ହଜାର ଲୋକ ବସବାସ କରୁଛନ୍ତି। ଦିନ ଥିଲା ବଣ୍ଡାଘାଟି ଜଂଗଲରେ ପରିପୂର୍ଣ୍ଣ ଥିଲା।ଘଂଚ ଜଂଗଲରେ ଆଦିମ ଜନଜାତିର ଲୋକେ କୁଡ଼ିଆ କରି ରହୁଥିଲେ। ଜଂଗଲରେ ହିଂସ୍ରଜନ୍ତୁ ଠାରୁ ଆରମ୍ଭ କରି ନାନା ଜାତିର ପକ୍ଷୀଙ୍କ କଳରାବ ଶୁଭୁଥିଲା। କାହିଁ କେଉଁକାଳରୁ ବଣ୍ଡା ସଂପ୍ରଦାୟର ଲୋକେ ନିଜ ଜମିରେ ସଲପ ଗଛ ଲଗାଉଥିଲେ। ଗୋଟିଏ କମ୍ବା ଦୁଇଟି ନୁହେଁ। ଶତାଧିକ ଗଛ ଜଂଗଲରେ ଏବଂ ନିଜର ଡଙ୍ଗରରେ ଲଗାଉଥିଲେ। ଏକ ପ୍ରଚାର ଜଂଗଲର ଭ୍ରମ ସୃଷ୍ଟି କରୁଥିଲା।
ବଣ୍ଡା ସଂପ୍ରଦାୟର ଲୋକେ ଏହି ସଲପ ଗଛରୁ ରସ ବାହାର କରି ନିଜର ଗୁଜରାଣ ମେଣ୍ଟାଉଥିଲେ। ପ୍ରତ୍ୟେକ ସ୍ଥିତିରେ ଏହି ଗଛ ଲୋକଙ୍କୁ ସହଯୋଗ କରିଆସୁଥିଲା।ଏପରିକି କୌଣସି ବଣ୍ଡା ଲୋକର କିଛି ବି ସମସ୍ୟା ହେଉଥିଲା କମ୍ବା କେହି ରୋଗରେ ପଡୁଥିଲେ କିମ୍ବା କାହାର ଦେହାନ୍ତ ହୋଇଗଲା ଦଶାହ କାର୍ଯ୍ୟ ପାଇଁ ଟଂକା ଦରକାର ପଡୁଥିଲା। ସେହି ସମୟରେ ବଣ୍ଡା ଲୋକେ ନିଜର ସଲପ ଗଛଗୁଡିକକୁ ବିକ୍ରି କରୁଥିଲେ। ନଚେତ ଦୁଇ ତିନି ବର୍ଷ ପାଇଁ ଲିଜ ଆକାରରେ ଦେଉଥିଲେ।
ସୂଚନାଯୋଗ୍ୟ ଯେ ବଣ୍ଡା ଲୋକେ ନିଜର ଜଂଗଲ ଏବଂ ଜଂଗଲ ଜମିରେ ସୁଆଁ, ମାଣ୍ଡିଆ ବୁଣିବା ସହ ସଲପର ମଞ୍ଚି ମଧ୍ୟ ଫଙ୍ଗି ଦେଉଥିଲେ। ଫଳରେ ସେହି ସ୍ଥାନରେ ସଲପ ଗଛଗୁଡ଼ିକ ଉଠିଲେ ପରେ ସେହି ସ୍ଥାନରେ ନିଆଁ ଲଗାଇ ଦେଉଥିଲେ। ଫଳରେ ଅନାବନା ଗଛ ମରିବା ସହ ସଲପ ଗଛକୁ ପ୍ରଚୁର ପାଣି ମିଳିପାରିବ। ସେତେବେଳେ ଲୋକଙ୍କ ମଧ୍ୟରେ ସଲପ ଗଛ ଲଗାଇବାକୁ ଏକ ପ୍ରକାର ପ୍ରତିଯୋଗିତା ହେଉଥିଲା। ଯାହାର ଯେତେ ସଲପ ଗଛ ସେ ସେତେ ଧନୀ ବୋଲି ଗଣାଯାଉଥିଲା। ଏବେ ଆଉସେହି କାଳ ନାହିଂ।
ବଣ୍ଡାଘାଟିଲେ କାଁ ଭାଁ ସ୍ଥାନରେ ସଲପ ଗଛ ଦେଖିବାକୁ ମିଳୁଛି। କିଛି ବଣ୍ଡା ଲୋକ ନିଜ ବାଜିରେ ଏହି ଗଛ ଲଗାଉଥିବା ବେଳେ ଜଂଗଲରେ ଆଉ ସଲପ ଗଛ ନାହିଁ। ଯାହା ଏକ ଚିନ୍ତାର କାରଣ ମଧ୍ୟ ବୋଲି ବିଶେଷଜ୍ଞ ମତ ଦିଅନ୍ତି। ସଲପ ଗଛ ବଣ୍ଡାଘାଟିରେ ବିଲୁପ୍ତ ହେବାକୁ ବସିଲାଣି। ଫଳରେ ବଣ୍ଡାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହେବାକୁ ଲାଗିଛି।ଫଳରେ ଦାଦନ ସଂଖ୍ୟା ସବୁଠାରୁ ବେଶୀ ରହିଛି। ଲୋକେ ଆଜି ବି ସଚେତନ ହେଲେ ଆଗାମୀ ଦିନରେ ଏହା ପୁଣି ଜଂଗଲ ସୃଷ୍ଟି କରିପାରିବେ ବୋଲି କୁହାଯାଇଛି। ତେବେ ଏହା ବିଲୁପ୍ତ ହେବାର ମୁଖ୍ୟ କାରଣ ମାଗଣାରେ ଚାଉଳ, ଟଂକା ମିଳୁଥିବା ସ୍ଥାନୀୟ ଲୋକେ କହନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/adf1701c-e493-440c-bba7-dde23d5dcff1.jpeg)