ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ପାଇଁ ଖୁସି ଖବର : ମିଳିବ ବକେୟା ଦରମା

ଭୁବନେଶ୍ବର : ବ୍ଲକଗ୍ରାଣ୍ଟ ତଥା ଗ୍ରାଣ୍ଟ-ଇନ୍‌-ଏଡ୍‌ ଯୋଗ୍ୟ ବିବେଚିତ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ପୁଣି ଖୁସି ଖବର। ଲିଖିତ ସତ୍ୟପାଠ ଉଚ୍ଛେଦ ହେବାର କିଛି ଘଣ୍ଟା ମଧ୍ୟରେ ବକେୟା ଦରମା ପ୍ରଦାନ ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୁପାରିସ ଅନୁଯାୟୀ ବକେୟା ଦରମା ପ୍ରଦାନ କରିବାକୁ ଥିବା ଫାଇଲ୍‌କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ଜଣାପଡ଼ିଛି। ଏଭଳି ନିଷ୍ପତ୍ତିକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ସ୍ବାଗତ କରାଯାଇଛି। ଏଥିସହ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ ପରିସରଭୁକ୍ତ କରିବା, ୭ମ ବେତନ କମିସନ ଲାଗୁ, ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ କଲେଜର ଶିକ୍ଷକ ଓ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ସହ ଚାକିରି ସର୍ତ୍ତାବଳୀ ପ୍ରଦାନ ପାଇଁ ଦାବି କରାଯାଇଛି। ରାଜ୍ୟ ସରକାର ସହୃଦୟତାର ସହ ଦାବିଗୁଡ଼ିକ ଉପରେ ବିଚାର କରି ନିର୍ବାଚନ ପୂର୍ବରୁ ପୂରଣ କରିବେ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା ଆଶା ପ୍ରକଟ କରିଛନ୍ତି।

ବ୍ଲକଗ୍ରାଣ୍ଟ ଉଚ୍ଛେଦ ଦାବିରେ ବ୍ଲକଗ୍ରାଣ୍ଟ ହାଇସ୍କୁଲ ଓ କଲେଜର ଶିକ୍ଷକମାନେ ଲଗାତାର ଭାବେ ଆନ୍ଦୋଳନ କରୁ ଆସିଥିଲେ। ବିଭିନ୍ନ ସମୟରେ ପରୀକ୍ଷା ପରିଚାଳନା‌ରେ ଅସହଯୋଗ କରିବା ସହ ଉତ୍ତର ଖାତା ମୂଲ୍ୟାୟନକୁ ବର୍ଜନ କରିଥିଲେ। ୨୦୧୫ରୁ ଆନ୍ଦୋଳନକୁ ବ୍ୟାପକ କରି ବ୍ଲକଗ୍ରାଣ୍ଟ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ପରିଣାମ ସ୍ବରୂପ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କ ଦରମା ସ୍ଥଗିତ କରାଯାଇଥିଲା। ବାରମ୍ବାର ଆନ୍ଦୋଳନ ଓ ଦାବି ଉପସ୍ଥାପନ ପରେ ବି ରାଜ୍ୟ ସରକାର ଶୁଣି ନଥିଲେ। ୨୦୧୬ ଜୁନ୍‌ ମାସରେ କଲେଜ ଅଧ୍ୟାପକମାନେ ବି କର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ‌ତେଣୁ ‘ନୋ ୱାର୍କ, ନୋ ପେ’ ଅନୁଯାୟୀ ଅଧ୍ୟାପକମାନଙ୍କୁ ଦରମା ଦିଆଯାଇ ନ ଥିଲା। ମିଳିତ ମଞ୍ଚ ଗଠନ ହେବା ପରେ ୨୦୧୮ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସ୍କୁଲ ଓ କଲେଜର ୬୦ ହଜରରୁ ଅଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟ ବନ୍ଦରେ କରିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। କାର୍ଯ୍ୟରେ ଯୋଗ ଦେଇ ନଥିବାରୁ ଦରମା ମିଳି ନଥିଲା।

ଆଗକୁ ସାଧାରଣ ନିର୍ବା‌ଚନ ଥିବାରୁ ରାଜ୍ୟ ସରକାର ଶିକ୍ଷକ ଓ କର୍ମଚାରୀଙ୍କ ଆସ୍ଥାଭାଜନ ହେବାରେ ଲାଗିପଡ଼ିଛନ୍ତି। ସେମାନଙ୍କର ଗୋଟିଏ ପରେ ଗୋଟିଏ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି। ରବିବାର ସୁଦ୍ଧା ସପ୍ତମ ବେତନ କମିସନ ଲାଗୁ ନେଇ କିଛି ନିଷ୍ପତ୍ତି ହୋଇପାରେ। ମିଳିତ ମଞ୍ଚର ଦୁଇଟି ପ୍ରମୁଖ ଦାବି ପୂରଣ ହୋଇଥିବାରୁ ରବିବାର ସଂଗଠନର ପରବର୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର