ଧନ୍ଦାମୂଳକ ପ୍ରଶିକ୍ଷକ, ସଂଯୋଜକଙ୍କ ଦରମା ବଢ଼ିଲା

ଭୁବନେଶ୍ୱର: ସମଗ୍ର ଶିକ୍ଷା ଯୋଜନା ଅଧୀନରେ କାର୍ଯ୍ୟରତ ଧନ୍ଦାମୂଳକ ପ୍ରଶିକ୍ଷକ ଓ ସଂଯୋଜକଙ୍କ ପାରିତୋଷିକ/ଦରମା ବୃଦ୍ଧି କରାଯାଇଛି। ଚଳିତବର୍ଷ ଉଭୟ ପ୍ରଶିକ୍ଷକ/ପ୍ରଶିକ୍ଷିକା ଓ ସଂଯୋଜକ/ସଂଯୋଜିକାଙ୍କର ଦରମା ବୃଦ୍ଧି ନିମନ୍ତେ ଦିଆଯାଇଥିବା ପ୍ରସ୍ତାବକୁ ସମଗ୍ର ଶିକ୍ଷାର ପିଏବି ୨୦୨୨-୨୩ରେ ଅନୁମୋଦନ କରାଯାଇଛି। ତଦନୁଯାୟୀ ରାଜ୍ୟ ସରକାର ଧନ୍ଦାମୂଳକ ପ୍ରଶିକ୍ଷକ/ପ୍ରଶିକ୍ଷିକାମାନଙ୍କର ମାସିକ ଦରମା ୧୫ ହଜାର ୫୦ ଟଙ୍କାରୁ ୨୦ ହଜାରକୁ ବୃଦ୍ଧି କରିଛନ୍ତି। ସେହିପରି ସଂଯୋଜକ/ସଂଯୋଜିକାଙ୍କ ଦରମା ମାସିକ ୨୫ ହଜାରରୁ ୩୦ ହଜାରକୁ ବୃଦ୍ଧି ପାଇଛି। ଏହି ପ୍ରଶିକ୍ଷକ, ସଂଯୋଜକମାନଙ୍କ କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦରମା ବୃଦ୍ଧି କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ୨୦୨୨ ଏପ୍ରିଲ ପହିଲାରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ ବୋଲି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି।

ଗଣଶିକ୍ଷା ବିଭାଗ ଅଧୀନରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୦୬ଟି ଉଚ୍ଚ ବିଦ୍ୟାଳୟ ଓ ୫୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୧ଟି ବିଭାଗ ଯଥା କୃଷି, ଖାଦ୍ୟ ପ୍ରକିୟାକରଣ, ମୋଟରଯାନ, ପୋଷାକ, ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ, ସୌନ୍ଦର୍ଯ୍ୟ ଓ ସୁସ୍ଥତା, ନିର୍ମାଣ, ପାଇପ୍‌ ମିସ୍ତ୍ରି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଖୁଚୁରା ବ୍ୟବସାୟ ପରିଚାଳନା, ଇଲେକ୍‌ଟ୍ରୋନିକ୍ସ ଓ ହାର୍ଡୱେର ଆଦି ବିଷୟରେ ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ବିଦ୍ୟାଳୟଗୁଡ଼ିକରେ ୧୯୨୨ ଜଣ ପ୍ରଶିକ୍ଷକ/ପ୍ରଶିକ୍ଷିକା ଓ ୬୪ ଜଣ ସଂଯୋଜକ/ସଂଯୋଜିକା କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର