ମୁଖ୍ୟମନ୍ତ୍ରୀଙ୍କ ପରେ କୋଭିଡ୍‌-୧୯ ପାଣ୍ଠିକୁ ଦାନ କଲେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପାଣ୍ଠି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଜରିଆରେ କୋଭିଡ୍‌-୧୯ ପାଣ୍ଠିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ୩ ମାସର ଦରମା ପ୍ରଦାନ କରିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ସହାୟତା ପ୍ରଦାନ କରିବା ଆରମ୍ଭ କରିଛନ୍ତି। ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ରଘୁନନ୍ଦନା ଦାସଙ୍କ ସମେତ ୧୬ ଜଣ ବିଧାୟକ ସେମାନଙ୍କର ୩ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିଛନ୍ତି।

ରିଲିଫ୍‌ ପାଣ୍ଠିକୁ ପ୍ରଦାନା ବିଧାୟକ ଓ ବିଧାୟିକାମାନଙ୍କ ଭିତରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ କୁମାର ଜଗଦ୍ଦେବ, ସୁଶାନ୍ତ କୁମାର ରାଉତ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ଧ୍ରୁବ ଚରଣ ସାହୁ, ଭାଗିରଥୀ ସେଠୀ, ଶଶିଭୁଷଣ ବେହେରା, ପ୍ରଶାନ୍ତ ମୁଦୁଲି, ଶାରଦା ପ୍ରସାଦ ନାୟକ, ସୁବ୍ରତ ତରାଇ, ଭବାନୀ ଶଙ୍କର ଭୋଇ, ସଞ୍ଜୀବ କୁମାର ମଲ୍ଲିକ, ବିଧାୟିକା ସାବିତ୍ରୀ ଅଗ୍ରଓ୍ବାଲ୍‌ ଓ ଲତିକା ପ୍ରଧାନ ସାମିଲ ଅଛନ୍ତି।

କରୋନା ରୋଗର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଯେଭଳି ପଦକ୍ଷେପ ନେଇଛନ୍ତି, ତାକୁ ବାଚସ୍ପତି ଶ୍ରୀ ପାତ୍ର ପ୍ରଶଂସା କରିଛନ୍ତି। ଏହି ଦୁଃସମୟରେ ପ୍ରଭାବିତ ଲୋକମାନଙ୍କ ସହାୟତା ପାଇଁ ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଦସ୍ୟାଙ୍କ ସମେତ ସବୁ ଦଳର ବିଧାୟକମାନଙ୍କୁ ସେମାନଙ୍କର ଦରମା ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି।

ମାସକର ପେନ୍‌ସନ୍‌ ଦାନ କରିବେ ପୂର୍ବତନ ବିଧାୟକ ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ବର : କରୋନା ପାଇଁ ସାରା ରାଜ୍ୟରେ ତାଲା ବନ୍ଦ ଯୋଗୁଁ ଗରିବ, ଖଟିକିଆଙ୍କ ରୋଜଗାର ବନ୍ଦ ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାସହିତ ବିଧାନସଭାର ଜଣେ ପୂର୍ବତନ ସଦସ୍ୟଭାବେ ସେ ତାଙ୍କର ଗୋଟିଏ ମାସର ପେନ୍‌ସନ୍‌ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, କାମଧନ୍ଦା ବନ୍ଦ ଯୋଗୁଁ ଏସବୁ ବର୍ଗର ଗରିବ ଲୋକମାନେ ନିଜର ଗୁଜରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ିବ। ରାଜ୍ୟ ସରକାର କରୋନା ମୁକାବିଲା ଦୃଷ୍ଟିରୁ ସାମାଜିକ ଦୂରତା ରକ୍ଷା ପାଇଁ ତାଲା ବନ୍ଦ ନିଷ୍ପତ୍ତି ନେଇଥିଲେ ବି ଏହି ବର୍ଗର ଲୋକମାନଙ୍କ ପାଇଁ ଅବିଳମ୍ବେ ସହାୟତା ଘୋଷଣା କରନ୍ତୁ। ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସରକାର ଯେପରି ଦିନ ମଜୁରିଆ ଓ ଛୋଟ ବ୍ୟବସାୟୀଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ସେହିଭଳି ଏବେ ଆଦାୟ ହେଉଥିବା ଦାନ ଅର୍ଥରେ ସେସବୁ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଓଡ଼ିଶା ସରକାର ଆଗେଇ ଆସନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ବିଧାୟକ ହାତପାଣ୍ଠିରୁ ୧ କୋଟି ମଞ୍ଜୁର କଲେ ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ବର : କରୋନା ରୋଗର ମୁକାବିଲା ପାଇଁ ରାଜ୍ୟ ସରକାର ଗତକାଲି ବିଧାୟକ ହାତପାଣ୍ଠି ଅର୍ଥ ଖର୍ଚ୍ଚ କରିବା ନେଇ ନିଷ୍ପତ୍ତି ନେଲେ। ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ନିଜର ବିଧାୟକ ହାତପାଣ୍ଠିରୁ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲିରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ନିଜେ ମନ୍ତ୍ରୀ ଟୁଇଟ୍‌ ଯୋଗେ ଜଣାଇଛନ୍ତି।

ଗୋଟିଏ ଦିନର ଦରମା ଦାନ କରିବ ଆଇଏଏସ୍‌ ସଂଘ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କୋଭିଡ୍‌-୧୯ ପାଣ୍ଠି ବାବଦରେ ରାଜ୍ୟ ପ୍ରଶାସନରେ କାର୍ଯ୍ୟରତ ଆଇଏଏସ୍‌ମାନେ ଗୋଟିଏ ଦିନର ଦରମା ଦାନ କରିବେ। ଆଜି ଏ ନେଇ ଆଇଏଏସ୍‌ ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି। ସମ୍ପ୍ରତ୍ତି ରାଜ୍ୟରେ କରୋନା ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିବା ପରେ କରୋନା ପାଣ୍ଠିକୁ ରାଜନେତା, ପ୍ରଶାସନିକ ଅଧିକାରୀ, ଶିଳ୍ପପତି, ବ୍ୟବସାୟୀ ଓ ସାଧାରଣ ଲୋକମାନେ ଦାନ କରୁଛନ୍ତି।

କ୍ଷୁଦ୍ର ଶିଳ୍ପ ନିଗମ ଦେଲା ୩ ଲକ୍ଷ ଟଙ୍କା
ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ ସହାୟତାର ହାତ ବଢ଼ାଇଛି। ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ଜଣାଇଛନ୍ତି।

ଖଦୀ ବୋର୍ଡ ଅଧ୍ୟକ୍ଷ ଦେଲେ ୩ ମାସର ଦରମା
ଖଦୀ ଓ ଗ୍ରାମୋଦ୍ୟାଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ତାଙ୍କର ତିନି ମାସର ଦରମା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର