କଟକ : କଟକ ବଡ଼ ମେଡିକାଲ୍‌ରେ କର୍ତ୍ତୃପକ୍ଷଙ୍କ ନଜର ଆଢୁଆଳରେ ଚାଲିଛି ବଡ଼ ଧରଣର କେଳେଙ୍କାରୀ। ଗଲା ୧୧ ବର୍ଷ ଧରି ଚାଲିଥିବା ଏହି କେଳେଙ୍କାରୀରେ ମାଲାମାଲା ହୋଇ ଚାଲିଛନ୍ତି ନିର୍ଦ୍ଦିଷ୍ଟ କିଛି କର୍ମଚାରୀ। ସେମାନେ ନିଜର ପଦୋନ୍ନତି ଓ ଦରମା ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସର୍ଭିସ୍‌ କୋଡ୍‌କୁ ବାରମ୍ବାର ଖିଲାପ କରିଚାଲିଛନ୍ତି। ଏ ପ୍ରକାର ଦରମା ଫିକ୍ସିଂରେ ମେଡିକାଲ୍‌ ସ୍ୱତନ୍ତ୍ର ଟ୍ରେଜେରିରୁ ପାଖାପାଖି ୧୦ କୋଟି ଟଙ୍କା ହଡ଼ପ ହୋଇସାରିଲାଣି। କିନ୍ତୁ ଟଙ୍କା କିଏ, କେମିତି ନେଉଛି ତାହାର କେହି ଟେର୍‌ ପାଉନାହାନ୍ତି। ଅନ୍ୟପକ୍ଷରେ ଦରମା ପାଇଁ ମେଡିକାଲ୍‌ ପକ୍ଷରୁ ଦର୍ଶାଯାଉଥିବା ବାର୍ଷିକ ବଜେଟ୍‌ ଅସ୍ୱଭାବିକ ଭାବେ ବୃଦ୍ଧି ହୋଇ ଚାଲିଛି।

Advertisment

ଏଭଳି ଏକ କେଳେଙ୍କାରୀ ସଂପର୍କରେ କଟକ ବଡ଼ ମେଡିକାଲର କନିଷ୍ଠ କିରାଣି ଜୟଦେବ ଦାସ ଗଲା ସେପ୍ଟେମ୍ବର ୧୫ ତାରିଖରେ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଅର୍ଥ ବିଭାଗ ସଚିବଙ୍କ ସମେତ ଏଜି ଏବଂ କଟକ ବଡ ମେଡିକାଲ୍‌ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ବଡ ମେଡିକାଲ୍‌ ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନଗୋ ବର୍ତ୍ତମାନ ଏ ସଂପର୍କରେ କିଛି ମତ ଦେଇ ପାରିବେ ନାହିଁ ବୋଲି କହିଛନ୍ତି।

ଅଭିଯୋଗ ଅନୁଯାୟୀ ଏସ୍‌ସିବି ମେଡିକାଲ୍‌ରେ ୨/୩ଜଣଙ୍କୁ ବାଦ୍‌ ଦେଲେ ଅନ୍ୟ କର୍ମଚାରୀ ଆବଶ୍ୟକତାଠାରୁୁ କମ୍‌ ଯୋଗ୍ୟତା ଥାଇ ବି ଥଇଥାନ (ଆର୍‌ଏ) ଯୋଜନାରେ ନିଯୁକ୍ତି ପାଇଛନ୍ତି। ଏସ୍‌ସିବି ମେଡିକାଲ୍‌ରେ ମିନିଷ୍ଟେରିଆଲ୍‌ କ୍ୟାଡରରେ ଆସିଷ୍ଟାଣ୍ଟ ଷ୍ଟୁଆର୍ଡ, ଜୁନିଅର୍‌ ଷ୍ଟୋର୍‌ କିପର, ଇନ୍‌କ୍ୱାରି ଆସିଷ୍ଟାଣ୍ଟ, ଟାଇମ୍‌ କିପର ଓ ଜୁନିଅର୍‌ କ୍ଲର୍କ ରହିଛନ୍ତି। ସେମାନଙ୍କ ଦରମା ୫,୨୦୦ରୁ ୨୦,୮୦୦ ଟଙ୍କା ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି। ୨୦୦୮ରେ ଗଠନ ହୋଇଥିବା ପେ ଫିକ୍ସେସନ୍‌ ନିୟମ ଅନୁଯାୟୀ ୨୦୦୬ ମସିହାରୁ ପିଛିଲା ଭାବେ ଏହି ଦରମା ପ୍ରଦାନ କରାଯିବାକୁ ନିୟମ କରାଯାଇଥିଲା। ସେହିପରି ଗୋଟିଏ କ୍ୟାଡର ଅଧୀନରେ ଦୁଇରୁ ଅଧିକ ଗ୍ରେଡ୍‌ ରହିପାରିବ ଏବଂ ସମସ୍ତଙ୍କ ଦରମା ସମାନ ରହିବ। କିନ୍ତୁ କିଛି କର୍ମଚାରୀ ଚଞ୍ଚକତା କରି ସେମାନଙ୍କ ଗ୍ରେଡ୍‌କୁ ଆଉ ଏକ କ୍ୟାଡର ଭାବେ ଦର୍ଶାଇ ପଦୋନ୍ନତିରେ ଉଚ୍ଚସ୍ତରର ଦରମା ନେଇ ଚାଲିଛନ୍ତି। ଫଳରେ ନିୟମକୁ ଚାପିଦେଇ ସେମାନଙ୍କ ଦରମା ୯,୩୦୦ରୁ ୩୪,୮୦୦କୁ ବଢାଇ ଦିଆଯାଇଛି। ମୂଳ ଦରମାରୁ ୧,୯୦୦ ଟଙ୍କା, ୨,୪୦୦ ଟଙ୍କା ଏବଂ ୨,୮୦୦ ଟଙ୍କା ଗ୍ରେଡ୍‌ ପେ ଯଥାକ୍ରମେ ୧୦, ୨୦ ଓ ୩୦ ବର୍ଷ ଅନୁପାତରେ ପ୍ରଦାନ କରାଯିବା ନିୟମ ରହିଛି। କିନ୍ତୁ ତାହାକୁ ଉକ୍ତ କର୍ମଚାରୀମାନେ ୨,୮୦୦ ଟଙ୍କା, ୪,୨୦୦ ଟଙ୍କା, ୪,୮୦୦ ଟଙ୍କା ଓ ୫,୨୦୦ ଟଙ୍କା ଗ୍ରେଡ୍‌ ପେ’ ଉପଭୋଗ କରିଆସୁଛନ୍ତି। କେବଳ ଏତିକି ନୁହେଁ ଗୋଟିଏ ପଦବିରେ ଦୁଇ ଜଣ ନିଯୁକ୍ତି ପାଇଥିଲାବେଳେ ଭୁଲ୍‌ ଡିପିସି ଯୋଗୁଁ ଅନ୍ୟ ୪/୫ଜଣ କର୍ମଚାରୀ ମଧ୍ୟ ଉଚ୍ଚସ୍ତରର ଦରମା ଉଠାଉଛନ୍ତି।

ଏସଂକ୍ରାନ୍ତରେ ଅଡିଟ୍‌କୁ ମଧ୍ୟ ଅନ୍ଧାରରେ ରଖାଯାଇଥିବା ଜଣାପଡ଼ିଛି। ଏଜି ଅଡିଟ୍‌ରେ ୨୫ ପ୍ରତିଶତ ଓ ବିଭାଗୀୟ ଅଡିଟ୍‌ରେ ୩ପ୍ରତିଶତ ଫାଇଲ୍‌କୁ ଯାଞ୍ଚ କରାଯାଇପାରିବ। ତେଣୁ ଯେଉଁ ଫାଇଲ୍‌ ଗୁଡିକରେ ତ୍ରୁଟି ରହିଛି, ସେଗୁଡିକୁ ଅଡିଟ୍‌ ବେଳେ ଲୁଚାଇ ଦିଆଯାଉଛି। ଫଳରେ ଧାର୍ଯ୍ୟ ପ୍ରତିଶତ ଫାଇଲ୍‌ ଯାଞ୍ଚ କରାଯିବା ପରେ ଅଡିଟର୍‌ ବଳକା ଫାଇଲ୍‌ଗୁଡ଼ିକୁ ପାସ୍‌ କରିଦେଉଛନ୍ତି। ଏହିପରି ଭାବେ ଦରମା କ୍ଷେତ୍ରରେ ଦେଖାଦେଇଥିବା ଦୁର୍ନୀତି ଉପରୁ ପରଦା ଉଠିବା ପରିବର୍ତ୍ତେ ପୂର୍ବଭଳି ଟଙ୍କା ହଡ଼ପ ହେବାରେ ଲାଗିଛି।

୨୦୧୧ରେ ମିନିଷ୍ଟେରିଆଲ୍‌ କ୍ୟାଡରର ଗ୍ରେଡେସନ୍‌ ତାଲିକା ପ୍ରସ୍ତୁତ କରାନଯାଇ କିଛି କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇଥିଲା। ଫଳରେ ଓସିଏସ୍‌ (ସିସିଏ) ୧୯୬୨ ନିୟମର ଧାରା ୨୨ ଓ ୨୩କୁ ଉଲ୍ଲଙ୍ଘନ କରାଯାଇଥିବା ଦର୍ଶାଇ ଜଣେ କର୍ମଚାରୀ ସ୍ୟାଟ୍‌ରେ ଅଭିଯୋଗ କରିଥିଲେ। ଡିଏମ୍‌ଇଟି ଏହାର ତଦନ୍ତ କରିବାକୁ ସ୍ୟାଟ୍‌ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ଆବେଦନକାରୀଙ୍କ ଅଭିଯୋଗକୁ ଯଥାର୍ଥ ବୋଲି ଦର୍ଶାଇ ଡିଏମ୍‌ଇଟି ତାଙ୍କୁ ନାଯ୍ୟ ଅଧିକାର ଦେବାକୁ ୨୦୧୨, ଫେବ୍ରୁଆରି ୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ମିନିଷ୍ଟେରିଆଲ୍‌ କ୍ୟାଡର ଅଧୀନରେ ଆସୁଥିବା ସମସ୍ତ ପଦବିର ଗ୍ରେଡେସନ୍‌ ଉପରେ ଡିଏମ୍‌ଇଟି ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଉକ୍ତ ନିୟମର ଧାରା ୨୯ ଅନୁଯାୟୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅଧସ୍ତନ ଅଧିକାରୀ ମାନିବାକୁ ବାଧ୍ୟ।

ଯଦି କିଛି ପରିବର୍ତ୍ତନ ଆବଶ୍ୟକ ହୁଏ, ତାହେଲେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ପୁନଃ ଆବେଦନ କରିବାକୁ ହୁଏ। ହେଲେ ଏଠାରେ ଏସ୍‌ସିବିର ତତ୍କାଳୀନ ଅଧୀକ୍ଷକ ତାହାକୁ ପାଳନ କରିନଥିଲେ। ବରଂ ନିର୍ଦ୍ଦେଶକୁ ଚାପି ଦେଇଥିଲେ। ଗୋଟିଏ ଷ୍ଟିଓ୍ଵାର୍ଡ ପଦବିରେ ଦୁଇ ଜଣଙ୍କୁ ରଖାଯାଇଥିଲା। ଜଣଙ୍କର ଅବସର ପରେ ଅନ୍ୟଜଣଙ୍କୁ ମଂଜୁରୀ ନିର୍ଦ୍ଦେଶ ବିନା ୬ମାସ ପରେ ଦରମା ଦିଆଯାଇଥିଲା। ଅନ୍ୟପକ୍ଷରେ ତ୍ରୁଟିପୂର୍ଣ୍ଣ ଡିପିସି ଯୋଗୁଁ ଅନେକ ବରିଷ୍ଠ କର୍ମଚାରୀଙ୍କୁ ଅଣଦେଖା କରାଯାଇ କନିଷ୍ଠ ମାନଙ୍କୁ ପଦୋନ୍ନତି ଦିଆଯାଇଛି। ସେହିପରି ଜଣେ ବରିଷ୍ଠ ଟାଇପିଷ୍ଟଙ୍କ ପଦୋନ୍ନତି ବିନା କୌଣସି କାରଣରେ ଅଟକାଇ ଦିଆଯାଇଥିଲା। ଏହିପରି ଭାବେ ଏକାଧିକ କର୍ମଚାରୀଙ୍କୁ ବିନା କୌଣସି ଯାଞ୍ଚରେ ପଦୋନ୍ନତି ଦିଆଯାଇଥିଲାବେଳେ ନିମ୍ନ କ୍ୟାଡର ପଦବି ହୋଇଥିଲେ ବି ଉଚ୍ଚ ଦରମା ଦିଆଯାଉଛି। ଏହାର ବିଧିବଦ୍ଧ ତଦନ୍ତ ହେଲେ ଏକ ବଡ଼ ଧରଣର କେଳେଙ୍କାରୀ ସାମନାକୁ ଆସିବ ବୋଲି ମତ ପ୍ରକାଶ ପାଇଛି।