ଏସ୍‌ସିବି ମେଡିକାଲ୍‌ରେ ଦରମା ଫିକ୍ସିଂ: ଭିଜିଲାନ୍ସ ରୁଜୁ କଲା ମାମଲା

କଟକ : କଟକ ବଡ଼ ମେଡିକାଲ୍‌ରେ ଦରମା ଫିକ୍ସିଂ ଘଟଣାକୁ ନେଇ ଭିଜିଲାନ୍ସରେ ରୁଜୁ ହୋଇଛି ମାମଲା। ବର୍ଷବର୍ଷ ଧରି ନିର୍ଦ୍ଦିଷ୍ଟ କିଛି କର୍ମଚାରୀ ଏଭଳି କେଳେଙ୍କାରୀ କରି ଚାଲିଥିବା ବେଳେ ଏବେ ଏହାର ତଦନ୍ତ ହେବାକୁ ଯାଉଛି। ଗଲା କିଛି ବର୍ଷ ମଧ୍ୟରେ କର୍ମଚାରୀମାନେ କ୍ୟାଡର ନିୟମ ଓ ଗ୍ରେଡେସେନ୍‌ ନିୟମର ଉଲ୍ଲଙ୍ଘନ କରି ମେଡିକାଲ୍‌ର ସ୍ୱତନ୍ତ୍ର ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବା ଘଟଣା ସଂପର୍କରେ ‘ସମ୍ବାଦ’ରେ ପ୍ରଥମ ରିପୋର୍ଟ ପ୍ରକାଶ ପାଇଥିଲା। ଏସମ୍ପର୍କରେ ଭିଜିଲାନ୍ସ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ସିରିଜ୍‌ ଖବର ପ୍ରକାଶ ପାଇବା ପରେ ଆଜି ଭିଜିଲାନ୍ସ ପକ୍ଷରୁ ଉକ୍ତ କେଳେଙ୍କାରୀ ଉପରେ ମାମଲା (ନଂ ୫୪୪/୨୦୧୭) ରୁଜୁ କରାଯାଇଥିବା ସୂଚନା ମିଳିଛି। ଭିଜିଲାନ୍ସ ଏସ୍‌ପି ଅଭିଯୋଗର ତଦନ୍ତ ପାଇଁ ଇନିସ୍‌ପେକ୍ଟର ଏସ୍‌.କେ. ମିଶ୍ରଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ ସର୍ଭିସ୍‌ କୋଡ୍‌ର ଅବମାନନା କରି କର୍ମଚାରୀମାନେ ନିଜ ଗ୍ରେଡ୍‌କୁ ଅନ୍ୟ କ୍ୟାଡରରେ ଦର୍ଶାଉଥିଲେ। ଫଳରେ ମେଡିକାଲ୍‌ ଟ୍ରେଜେରିରୁ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୧୦ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ମିନିଷ୍ଟେରିଆଲ୍‌ କ୍ୟାଡର କର୍ମଚାରୀମାନେ ନିଜ କ୍ୟାଡରକୁ ବଦଳାଇ ଟେକ୍ନିକାଲ କ୍ୟାଡରରୁ ଦରମା ଉଠାଇ ଆସୁଛନ୍ତି। ଏସବୁ ଘଟଣା ବିଷୟରେ କର୍ତ୍ତୃପକ୍ଷ ଅଜ୍ଞ ରହୁଥିଲେ। ହେଲେ ଫାଇଲ୍‌ରେ ନିୟମ ବିଷୟରେ କିଛି ନଜଣାଇ କର୍ତ୍ତୃପକ୍ଷଙ୍କ ଦସ୍ତଖତ କରାଯାଉଥିବାରୁ ଉକ୍ତ କର୍ମଚାରୀମାନେ ଦରମା ଉଠାଇବାରେ କୌଣସି ସମସ୍ୟା ହେଉନଥିଲା। ଅଡିଟ୍‌ ବେଳେ ମଧ୍ୟ ଅଡିଟର୍‌ଙ୍କୁ ସଂପୂର୍ଣ୍ଣ ଅନ୍ଧାରରେ ରଖାଯାଉଥିଲା। ଏଜି ଅଡିଟ୍‌ରେ ୨୫ ପ୍ରତିଶତ ଓ ବିଭାଗୀୟ ଅଡିଟ୍‌ରେ ୩ପ୍ରତିଶତ ଫାଇଲ୍‌ ଯାଞ୍ଚ କରାଯିବା ପରେ ଅନ୍ୟଗୁଡ଼ିକୁ ପାସ୍‌ କରି ଦିଆଯାଉଥିଲା। ତେଣୁ ବର୍ଷବର୍ଷଧରି ଏଭଳି ଲୁଟ ହୋଇ ଚାଲିଥିଲେ ବି କେହି ତାହାର ଟେର୍‌ ପାଉନଥିଲେ। କେବଳ ଏତିକି ନୁହେଁ ଜଣେ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଏକାଧିକ କର୍ମଚାରୀଙ୍କୁ ବେଆଇନ୍‌ ଭାବେ ନିଜ ପଦବିରୁ ତଳକୁ ଖସାଇ ଦିଆଯାଇଥିଲା। ଚଞ୍ଚକତା କରି ଗୋଟିଏ ପଦରେ ଦୁଇଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଧରା ନପଡ଼ିବା ପାଇଁ ଉଭୟଙ୍କୁ ଭିନ୍ନଭିନ୍ନ ସ୍ଥାନରେ କାର୍ଯ୍ୟକରିବାକୁ ଅନୁମତି ଦିଆଯାଇଥିଲା। ଏଭଳି ବିଭିନ୍ନ କେଳେଙ୍କାରୀ ସାମନାକୁ ଆସିଥିବା ବେଳେ ଭିଜିଲାନ୍ସ ସଂପୂର୍ଣ୍ଣ ଘଟଣାର ତଦନ୍ତ କରି ଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର