ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା, ୨୦୧୮ ମସିହା ଜାନୁଆରି ପହିଲାଠାରୁ ପିଛିଲା ଭାବେ ଲାଗୁ

ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର। ରାଜ୍ୟର  ସରକାରୀ ଚାକିରିଆଙ୍କ ଲାଗି ରାଜ୍ୟ ସରକାର ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହି ଭତ୍ତା ବୃଦ୍ଧି ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହି ମହଙ୍ଗା ଭତ୍ତା ୨୦୧୮ ମସିହା ଜାନୁଆରି ମାସ ପହିଲା ଠାରୁ ପିଛିଲା ଭାବେ ଲାଗୁ ହେବ ବୋଲି ଜଣାପଡ଼ିଛି। ଏହା ଫଳରେ ମହଙ୍ଗା ଭତ୍ତା ୫ ପ୍ରତିଶତରୁ ବଢ଼ି ୭ ପ୍ରତିଶତ ହୋଇଛି। ଏହି ବଢ଼ନ୍ତା ଭତ୍ତା ଲାଗୁ ହେବା ଫଳରେ କେବଳ କର୍ମଚାରୀ ନୁହଁନ୍ତି ପେନ୍‌ସନ୍‌ ଭୋଗୀ ବି ଉପକୃତ ହେବେ ବୋଲି ଘୋଷଣା ହୋଇଛି। ସଂଶୋଧିକ ହାରରେ ପେନସନ ପାଉ ନ ଥିବା ପେନ୍‌ସନ ଭୋଗୀଙ୍କ ଟି.ଆଇରେ ୩ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି ସୂଚନା ରହିଛି। ସେହିପରି ପେନ୍‌ସନ୍‌ ଭୋଗୀମାନଙ୍କର ଟିଆଇ ମଧ୍ୟ ସରକାର ୨% ବୃଦ୍ଧି କରିଛନ୍ତି ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର