ଗୃହରକ୍ଷୀଙ୍କ ଦରମା ବୃଦ୍ଧି, ଚାକିିରି ସର୍ତ୍ତାବଳୀ ଦାବି

ଭୁବନେଶ୍ୱର: ରାଜ୍ୟ ଗୃହରକ୍ଷୀ ମହାସଂଘ ପକ୍ଷରୁ ଦରମା ବୃଦ୍ଧି ସହିତ ଚାକିରି ସର୍ତ୍ତାବଳୀ ଲାଗୁ କରିବାକୁ ଦାବି ହୋଇଛି। ଏ ନେଇ ପ୍ରେସ୍‌ ବିଜ୍ଞପ୍ତିରେ ସଂଘର ସଭାପତି ଉପେନ୍ଦ୍ର ମହାପାତ୍ର ଜଣାଇଛନ୍ତି ଯେ, ୧୯୬୧ ହୋମଗାର୍ଡ ଆଇନର ବ୍ୟାପକ ସଂଶୋଧନ ଉପରେ ଗଠିତ ହୋଇଥିବା ଗୃହ କମିଟି ସକାରାତ୍ମକ ମତ ଦେଇଥିଲେ। ମାତ୍ର ଏହାକୁ ଲାଗୁ କରିବା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଅଛି। ୧୭ ହଜାରରୁ ଊର୍ଧ୍ୱ ହୋମଗାର୍ଡମାନଙ୍କର ଅନୁଭୂତିକୁ ବିଚାରକୁ ନେଇ ଆବଶ୍ୟକସ୍ଥଳେ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ହାବିଲଦାର କିମ୍ବା କନ୍‌ଷ୍ଟେବଲ ଅଥବା ତତୁଲ୍ୟ କିମ୍ବା ତାଠାରୁ ଊର୍ଧ୍ୱ ପଦବିରେ ଅବସ୍ଥାପିତ କରାଯାଉ। ଏପରିକି ସେମାନଙ୍କ ପରିବାରର ଶିକ୍ଷିତ ସନ୍ତାନ ସନ୍ତତିଙ୍କୁ ମଧ୍ୟ ଗ୍ରହଣ କରାଯାଇ ପାରନ୍ତା ବୋଲି ସେ ମତ ଦେଇଛନ୍ତି।

ଆଇନରେ ଗୃହରକ୍ଷୀଙ୍କ ପାଇଁ କୌଣସି ସର୍ତ୍ତାବଳୀ ନଥିବା ଫାଇଦା ଉଠାଇ ପ୍ରଶାସନିକ ଅଧିକାରୀମାନେ ଗୃହରକ୍ଷୀଙ୍କୁ ତାତ୍ସଲ୍ୟ କରୁଛନ୍ତି। ଏପରିକି ସାଧାରଣ ମଣିଷର ମର୍ଯ୍ୟାଦା ମଧ୍ୟ ଗୃହରକ୍ଷୀଙ୍କୁ ମିଳୁନାହିଁ ବୋଲି ମହାସଂଘର ଆଇନ୍‌ ପରାମର୍ଶଦାତା ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀ ଅଭିଯୋଗ କରିଛନ୍ତି। ରାଜ୍ୟସରକାର ତୁରନ୍ତ ଫାୟାର ସର୍ଭିସେସ୍‌ ରୁଲ୍‌କୁ ପ୍ରଣୟନ କରି ଗୃହରକ୍ଷୀମାନଙ୍କୁ ଫାୟାର ଫୋର୍ସ ହିସାବରେ ଚାକିରିର ସର୍ତ୍ତାବଳୀ ତଥା ସାମାଜିକ ସୁରକ୍ଷା ସହ ଜୀବନ ବୀମା ଏବଂ ପାରିବାରିକ ବୀମା ଲାଗୁକରିବକୁ ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି।। ୫୭ ବର୍ଷ ପୁରୁଣା ଗୃହରକ୍ଷୀ ଆଇନ୍‌ର ପରିବର୍ତ୍ତନ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କ୍ରମାଗତ ଆନ୍ଦୋଳନ ଜାରି ରଖିବେ ଏପରିକି ଆବଶ୍ୟକ ପଡ଼ିଲେ ସବୁ ଗୃହରକ୍ଷୀ ଜେଲ୍‌ ଯିବାକୁ ପ୍ରସ୍ତୁତ ହେବେ ବୋଲି ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସମ୍ବନ୍ଧିତ ଖବର