ସରକାରଙ୍କ ଚିଠିକୁ ଭ୍ରୂକ୍ଷେପ କଲେନି: ୫ କଲେଜ ପ୍ରିନ୍‌ସିପାଲ୍‌ଙ୍କ ଦରମା ବନ୍ଦ

ଅନୁଗୁଳ : ଉଚ୍ଚଶିକ୍ଷା ବିଭାଗର ଚିଠିକୁ ଅବମାନନା କରିବା ଅନୁଗୁଳ ଜିଲ୍ଲାର ୫ଟି କଲେଜ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଦଣ୍ଡସ୍ବରୂପ, ବିଭାଗୀୟ ସ୍ବତନ୍ତ୍ର ସଚିବ ଏହି ୫ଗୋଟି କଲେଜର ଅଧ୍ୟକ୍ଷ, ମୁଖ୍ୟ କିରାଣି ଏବଂ କିରାଣିଙ୍କ ଦରମା ବନ୍ଦ କରି ଦେଇଛନ୍ତି।

ସୂଚନା ମୁତାବକ, ଚଳିତବର୍ଷ ଜାନୁଆରିଠାରୁ ଆରମ୍ଭ କରି ଚଳିତ ମେ ମାସ ଯାଏ, ଉଚ୍ଚଶିକ୍ଷା ବିଭାଗ ଅନୁଗୁଳ ଜିଲ୍ଲାର ବିଭିନ୍ନ କଲେଜକୁ କଲେଜର ବିଭିନ୍ନ ବିବରଣୀ ସମ୍ପର୍କରେ ସୂଚନା ମାଗିଥିଲା। ତଥ୍ୟ ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏମିତିକି, ଚିଠି ଉପରେ ଦୁଇ ଦୁଇ ଥର ରିମାଇଣ୍ଡର ବି ଦେଇଥିଲା। କିନ୍ତୁ, ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ତଳମୂଳ ଡିଗ୍ରି କଲେଜ, ଆଠମଲ୍ଲିକ ବ୍ଲକ୍‌ର କାଶୀ ବିଶ୍ବନାଥ କନିଷ୍ଠ ମହାବିଦ୍ୟାଳୟ, ସାଉଥ୍‌ବଲଣ୍ଡାର ନୀଳକଣ୍ଠେଶ୍ବର ଡିଗ୍ରି ମହାବିଦ୍ୟାଳୟ, ରେଙ୍ଗାଳି ପବିତ୍ରମୋହନ ମେମୋରିଆଲ୍ ଡିଗ୍ରି ମହାବିଦ୍ୟାଳୟ ଏବଂ ବଅଁରପାଳ ବ୍ଲକ୍‌ର ପାଞ୍ଚଗଡ଼ ସୋମନାଥ ସିଂହ ଜଗଦ୍ଦେବ ମହାବିଦ୍ୟାଳୟ ଏ ଚିଠିକୁ ଭ୍ରୂକ୍ଷେପ କରିନଥିଲେ। ସରକାରୀ ଚିଠିର ଉତ୍ତର ଦେବା ପରିବର୍ତ୍ତେ ଗାଲୁ ମାରି ବସିଗଲେ। ଯାହାକୁ ନେଇ ବିଭାଗ କ୍ଷୁବ୍ଧ ହୋଇଛି।
ଏହି ୫ଟି କଲେଜକୁ କଡ଼ା ଭାଷାରେ ଚିଠି ଲେଖିଛି। ବିଭାଗୀୟ ଚିଠିକୁ ଅବମାନନା ଅର୍ଥ ସରକାରୀ କାର୍ଯ୍ୟରେ ଅବହେଳା। ତେଣୁ, ତଥ୍ୟ ନ ଦେବା ପର୍ଯ୍ୟନ୍ତ ଚଳିତ ମାସର ଦରମା ନ ଉଠାଇବାକୁ ଚିଠି‌ରେ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର