ଦାୟିତ୍ବରେ ଅବହେଳା ଅଭିଯୋଗରେ ୭ କଲେଜ୍‌ ଅଧ୍ୟକ୍ଷ ଓ କିରାଣିଙ୍କ ଦରମା ବନ୍ଦ

ଝାରସୁଗୁଡ଼ା : ଦାୟିତ୍ବରେ ଅବହେଳା, ସରକାରୀ ନିର୍ଦ୍ଦେଶ ଅନୁପାଳନ କରିବାରେ ହେଳା ତଥା ସହକାରୀ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ପାଳନ କରିବାରେ ବିଫଳ ଅଭିଯୋଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାର ୭ କଲେଜର ଅଧ୍ୟକ୍ଷ, ମୁଖ୍ୟ କିରାଣି ଓ କିରାଣିଙ୍କ ଦରମା ବନ୍ଦ କରାଯାଇଛି। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ଚିଠି କରି ସମ୍ପୃକ୍ତ କଲେଜଗୁଡ଼ିକୁ ଅବଗତ କରାଯାଇଛି। ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିର ଉତ୍ତର ପ୍ରଦାନ ନକରାଯିବା ଯାଏ ଓ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ ନହେବା ଯାଏ ଏହି ଅଧ୍ୟକ୍ଷ ଓ କିରାଣିଙ୍କ ମେ’ ମାସର ଦରମା ପ୍ରଦାନ କରାଯିବ ନାହିଁ ବୋଲି ଉଚ୍ଚ ଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ରମାକାନ୍ତ ନାୟକ ଚିଠି କରିଛନ୍ତି। ସେପଟେ, ଉଚ୍ଚ ଶିକ୍ଷା ବିଭାଗ ମାଗିଥିବା ତଥ୍ୟ ପ୍ରଦାନ କରିବା ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ତାକୁ ନେଇ ଏବେ କିଛି କଲେଜର ଅଧ୍ୟକ୍ଷ ଓ କର୍ମଚାରୀ ଦ୍ବନ୍ଦ୍ବରେ ରହିଛନ୍ତି।

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କଲେଜଗୁଡ଼ିକ ହେଲା ତାଲମୁଣ୍ଡା ଆଞ୍ଚଳିକ କନିଷ୍ଠ କଲେଜ, ବେଲପାହାଡ଼ ଡିଗ୍ରି କଲେଜ, ବାଘମରା ଡିପିଏ କନିଷ୍ଠ କଲେଜ, ବ୍ରଜରାଜନଗର ଆଇଜି ମହିଳା କନିଷ୍ଠ କଲେଜ, ଲଇକେରା ପଞ୍ଚାୟତ ସମିତି ଡିଗ୍ରି କଲେଜ, କିର୍ମିରା ଏସ୍‌ଏମ୍‌ପି କନିଷ୍ଠ କଲେଜ ଓ କୁମ୍ଭାରବନ୍ଧ ପଞ୍ଚାୟତ ଆଞ୍ଚଳିକ କଲେଜ। ଏହି କଲେଜ ଗୁଡ଼ିକ­ରୁ ମିଳିଥିବା ତଥ୍ୟ ଅନୁସାରେ, ଜାନୁଆରି ୨୧ ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ସଂଖ୍ୟା ୨୮୬୬ ଅନୁଯାୟୀ, ସମସ୍ତ କଲେଜଗୁଡ଼ିକୁ ଚିଠି ଆସିଥିଲା। ଯେଉଁଥିରେ କଲେଜରେ ଥିବା କର୍ମଚାରୀଙ୍କ ସଂଖ୍ୟା, ଶିକ୍ଷକ-ଅଣଶିକ୍ଷକ ମଞ୍ଜୁରିପ୍ରାପ୍ତ ପଦବି, ଅବସର ନେଇଥିବା କର୍ମଚାରୀ ସଂଖ୍ୟା ଓ ତାରିଖ, ବର୍ତ୍ତମାନ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ସଂଖ୍ୟା, ସେମାନେ କେଉଁ ବେତନ କମିସନ ଆଧାରରେ ଦରମା ନେଉଛନ୍ତି ଆଦି ସମ୍ପର୍କରେ ଉତ୍ତର ମଗାଯାଇଥିଲା। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବି ୨ଟି ଫର୍ମାଟ୍‌ ପ୍ରଦାନ କରାଯାଇଥିଲା। ଏହି ଚିଠି ଅନୁସାରେ କିଛି କଲେଜ ବିଭାଗକୁ ଉତ୍ତର ପଠାଇଥିଲେ। ଯେଉଁ କଲେଜଗୁଡ଼ିକରୁ ଉତ୍ତର ଆସି ନଥିଲା ସେମାନଙ୍କ ନିକଟକୁ ଏପ୍ରିଲ ୧୮ ତାରିଖରେ ରିମାଇଣ୍ଡର ଚିଠି ସଂଖ୍ୟା ୧୫୮୫୫ ଯାଇଥିଲା। ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ବି କିଛି କଲେଜ ଉତ୍ତର ରଖି ନଥିଲେ। ଫଳରେ ଗତ ୯ ତାରିଖରେ ବିଭାଗ ଉକ୍ତ କଲେଜଗୁଡ଼ିକୁ ପୁଣିଥରେ ରିମାଇଣ୍ଡର ନୋଟିସ୍‌ ଚିଠି ସଂଖ୍ୟା ୧୯୭୫୧ରେ ଦେଇଥିଲା। ମାତ୍ର ଏଥିରେ ଦିଆଯାଇଥିବା ଅବଧି ମଧ୍ୟରେ ବି କିଛି କଲେଜ ଉତ୍ତର ନରଖିବା ପରେ ଉଚ୍ଚ ଶିକ୍ଷା ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।

ଲଇକେରା ପଞ୍ଚାୟତ ସମିତି ଡିଗ୍ରି କଲେଜ ଲଇକେରାର ଅଧ୍ୟକ୍ଷ ସୁଧାଂଶୁ ଶେଖର ପୁରୋହିତଙ୍କ କହିବାନୁସାରେ, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମଗାଯାଇଥିବା ତଥ୍ୟ ସମ୍ପର୍କରେ ତାଙ୍କ କଲେଜରୁ ଉତ୍ତର ଦିଆଯାଇଥିଲା। ତଥାପି ମଧ୍ୟ ବିଭାଗ କାହିଁକି କାର୍ଯ୍ୟାନୁଷ୍ଠାନ ନେଲା ତାହା ଜାଣି ହେଉନାହିଁ ବୋଲି ଶ୍ରୀ ପୁରୋହିତ କହିଛନ୍ତି। ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ୬୬୨ ଅନୁଦାନପ୍ରାପ୍ତ, ୪୮୮ ଅନୁଦାନ ପ୍ରାପ୍ତ କଲେଜ ଅନୁସାରେ ବିଭାଗୀକରଣ ହୋଇ ତଥ୍ୟ ମଗାଯାଇଥିଲା। ଏହାବାଦ୍‌ ୨୦୦୪, ୨୦୦୮, ୨୦୦୯ ଓ ୨୦୧୪ ମସିହାରେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ବିଭାଗୀକରଣ ମଧ୍ୟ ଏଥିରେ ରହିଥିଲା। ତେବେ ଯେଉଁ କଲେଜ ଯେଉଁ ବିଭାଗରେ ଆସୁଛି, ସେମାନେ ନିଜ ବିଭାଗର ଫର୍ମାରେ ଉତ୍ତର ଦେଇ ଅନ୍ୟ ଚିଠିଗୁଡ଼ିକୁ ଅଣଦେଖା କରିଥିଲେ। ଯେଉଁଥିପାଇଁ ଏହି ପରିସ୍ଥିତି ଉପୁଜି ଥାଇପାରେ ବୋଲି ଅଧ୍ୟକ୍ଷ ଶ୍ରୀ ପୁରୋହିତ କହିଛନ୍ତି।

ସମ୍ବନ୍ଧିତ ଖବର