ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟରତ ନିର୍ଦ୍ଦିଷ୍ଟ ଠିକା କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇଛି। ବୁଧବାର ପ୍ରକାଶିତ ବିଭାଗୀୟ ବିଜ୍ଞପ୍ତି ଅନୁସାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲଗୁଡିକରେ କାର୍ଯ୍ୟରତ ଠିକା ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଦରମା ବୃଦ୍ଧି ପାଇଛି।

Advertisment

ପୂର୍ବରୁ ପ୍ରଫେସରମାନେ ମାସିକ ୧ ଲକ୍ଷ ୨୫ ହଜାର ଓ ବର୍ଷକୁ ୩ ପ୍ରତିଶତ ଲେଖାଏଁ ବୃଦ୍ଧିରେ ଦରମା ପାଉଥିଲେ। ବର୍ତ୍ତମାନ ସେମାନେ ମାସିକ ୨ ଲକ୍ଷ ୩୦ ହଜାର ଦରମା ପାଇବେ ଓ ତା’ ସହିତ ୫ ପ୍ରତିଶତ ଲେଖାଏଁ ବର୍ଷକୁ ବୃଦ୍ଧି କରାଯିବ। ସେହିପରି ଆସୋସିଏଟ ପ୍ରଫେସରମାନେ ପୂର୍ବରୁ ୧ ଲକ୍ଷ ଓ ବର୍ଷକୁ ୩ ପ୍ରତିଶତ ଲେଖାଏଁ ବୃଦ୍ଧିରେ ଦରମା ପାଉଥିଲେ। ବର୍ତ୍ତମାନ ସେମାନେ ୨ ଲକ୍ଷ ସହିତ ବର୍ଷକୁ ୫ ପ୍ରତିଶତ ଲେଖାଏଁ ବୃଦ୍ଧିରେ ଦରମା ପାଇବେ।

ସେହିପରି ଆସିଷ୍ଟାଣ୍ଟ ପ୍ରଫେସରମାନେ ପୂର୍ବରୁ ୭୫ ହଜାର ଓ ବର୍ଷକୁ ୩ ପ୍ରତିଶତ ଲେଖାଏଁ ବୃଦ୍ଧିରେ ଦରମା ପାଉଥିଲେ। ବର୍ତ୍ତମାନ ସେମାନେ ୧ ଲକ୍ଷ ୨୦ ହଜାର ସହିତ ବର୍ଷକୁ ୫ ପ୍ରତିଶତ ବୃଦ୍ଧିରେ ଦରମା ପାଇବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିସୋଲ୍ୟୁସନ ନଂ. ୮୯୬୭ ତା ୨୫.୪.୨୦୨୨ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଅନେକ ଠିକା ଶିକ୍ଷକ ମେଡିକାଲ କଲେଜଗୁଡିକରେ କାର୍ଯ୍ୟରତ ଅଛନ୍ତି। ସେମାନେ ଏହି ଦରମା ପାଇବେ। ଏଭଳି ଦରମା ବୃଦ୍ଧିକୁ ଅର୍ଥ ବିଭାଗ ପକ୍ଷରୁ ମଂଜୁରୀ ମିଳିଛି।