ଚଣ୍ଡିଖୋଲ/ବାଲିକୁଦା,୨୭/୧୧ : ବଡ଼ଚଣା ବ୍ଲକ ମଝିପଡ଼ା ପଞ୍ଚାୟତର ସ୍ୱାବଲମ୍ବୀ କାରିଗର (ଏସ୍ଇଏମ୍) ସୁଶାନ୍ତ କୁମାର ବଳ ଗତ ଫେବ୍ରୁଆରି ମାସରୁ ଦରମା ପାଇ ନାହାନ୍ତି। ଏନେଇ ସରପଞ୍ଚ ଶୋଭା ବଜ୍ରକବାଟଙ୍କୁ ସେ ବାରମ୍ବାର ଜଣାଇଥିଲେ ମଧ୍ୟ ତାଙ୍କ ଦରମା ପ୍ରଦାନ କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ। ଗତ ଅକ୍ଟୋବର ୧୩ ରେ ବିଡିଓ ପତ୍ର ମାଧ୍ୟମରେ ସରପଞ୍ଚଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଶାନ୍ତ ଦରମା ପାଇନାହାନ୍ତି। ତେଣୁ ଗତ ୨୫ ତାରିଖ ଦିନ ବିଡିଓଙ୍କ ପତ୍ର ସଂଖ୍ୟା ୫୭୩୧/୨୨ ରେ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୪୬ ଧାରା ୧୧୫ ଅନୁଯାୟୀ ଆପଣଙ୍କୁ କାହିଁକି ନିଲମ୍ବନ କରାନଯିବ ତାହାର ଉତ୍ତର ୩ ଦିନ ମଧ୍ୟରେ ଦେବା ପାଇଁ କୁହାଯାଇଛି।
ଏହାପରେ ପ୍ରଥମ ଚିଠିର ଉତ୍ତର ରଖିଛନ୍ତି ସରପଞ୍ଚ ବଜ୍ରକବାଟ। ପତ୍ର ସଂଖ୍ୟା -୭୪ ତା ୨୫-୧୧-୨୨ରେ ବିଡିଓଙ୍କୁ ଜଣାଇଛନ୍ତି ଯେ ଗତ ମାର୍ଚ୍ଚ ମାସରେ ପମ୍ପ ଚାଳକ ଗାଁ’ରେ ଏକ ଗଣ୍ଡଗୋଳ କରି ଫେରାର ଥିଲେ। ଜଳ ଯୋଗାଣ ବନ୍ଦ ହେବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ଜଣାଇଥିଲେ। ଏହାପରେ ଜଳ ଯୋଗାଣ ବିଭାଗ ଏସଡିଓଙ୍କ ସହ ଆଲୋଚନା କରି ମାସକୁ ୨ ହଜାର ଟଙ୍କା ଦରମାରେ ଗ୍ରାମର ଅନ୍ୟଜଣେ ବ୍ୟକ୍ତିଙ୍କୁ ପମ୍ପ ଚାଳକ ଭାବେ ନିଯୁକ୍ତି ଦିଆଯାଇଥିଲା। ସୁଶାନ୍ତଙ୍କ ଅଭିଯୋଗ ପରେ ଚିଠି ନଂ -୪୯୯୩ ତା ୧୩-୧୦-୨୦୨୨ ରେ ବିଡିଓ ବଡ଼ଚଣା ସରପଞ୍ଚଙ୍କୁ ତୁରନ୍ତ ଦରମା ପୈଠ କରିବାକୁ ନିର୍ଦେଶ ଦେଇଥିଲେ। ନିର୍ବାହୀ ଅଧିକାରୀ ତା ୧୮-୧୧-୨୦୨୨ ରେ ଏହି ଚିଠିଟି ତାଙ୍କୁ ଦେଇଥିଲେ ବୋଲି ସରପଞ୍ଚ ଦର୍ଶାଇଛନ୍ତି। ଏହାପରେ ସେ ୨୫ ନଭେମ୍ବରରେ ଚିଠିର ଉତ୍ତର ରଖିଛନ୍ତି।