କାମାକ୍ଷାନଗର : ମନ୍ତ୍ରୀଙ୍କ ବୋହୂଙ୍କ ପିଏଚ୍ଡି ପ୍ରସଙ୍ଗ। ପାଠପଢ଼ା ନାଁରେ କଲେଜ କର୍ତୃପକ୍ଷ ତାଙ୍କୁ ଦେଖାଇଛନ୍ତି ଅନୁକମ୍ପା। କଲେଜକୁ ନ ଆସି ଦେଇଛନ୍ତି ଦରମା ଆଉ ଛୁଟି। ଲୋକାୟୁକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ସାରାରାଜ୍ୟରେ ଏହି ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଛି ହଟଚମଟ । ବୋହୂଙ୍କ ପାଇଁ ଟାର୍ଗେଟ୍ ହୋଇଛନ୍ତି ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ବିଜେପି ପୂର୍ତ୍ତ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିବା ପରେ ବୋହୂ ଲିପ୍ସା ପ୍ରଧାନ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି।
ଲିପ୍ସା କହିଛନ୍ତି, ‘ପିଏଚ୍ଡି କଥା ସତ। ଉତ୍କଳ ବିଶ୍ବବିଦ୍ୟାଳୟକୁ ମୁଁ ପିଏଚ୍ଡି କରିବାକୁ ଯାଇଥିଲି। ପ୍ରି-ପିଏଚ୍ଡି ପାଇଁ ନାମ ମଧ୍ୟ ଲେଖାଇଥିଲି। ଚୟନ ବି ହୋଇଥିଲା। କିନ୍ତୁ, ପୁଅ ଦେହ ଖରାପ ଥିବାରୁ ମୁଁ ପିଏଚ୍ଡିରେ ରେଜିଷ୍ଟ୍ରେସନ୍ କରିପାରିଲି ନାହିଁ। କଲେଜକୁ ଫେରି ଆସିଥିଲି। ପିଲାଙ୍କ ପାଠପଢ଼ା କାମରେ ଲାଗିଥିଲି। ଛୁଟିରେ ଥାଇ ମୁଁ ଦରମା ନେଇନାହିଁ। ’ ପିଲାଙ୍କୁ ପାଠ ପଢ଼ାଇଛି ବୋଲି ଲିପ୍ସା ‘ସମ୍ବାଦ’କୁ କହିଛନ୍ତି।
ସୂଚନା ଅଧିକାର ଆଇନରେ ୨୦୧୬-୧୭ ଶିକ୍ଷାବର୍ଷରୁ ଲିପ୍ସା ପିଏଚ୍ଡି କାର୍ଯ୍ୟରେ ନିୟୋଜିତ ହୋଇଥିବା କଲେଜ କର୍ତୃପକ୍ଷ ସୂଚନା ଦେଇଛନ୍ତି ବୋଲି ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା ଦାବି କରୁଥିବା ବେଳେ ଅନ୍ୟପଟେ ୨୦୧୬ ମସିହାରେ ପିଏଚ୍ଡି ଶେଷ ନ କରି ପୁଣି କଲେଜରେ ପିଲାଙ୍କୁ ପାଠ ପଢ଼ାଇଛନ୍ତି ବୋଲି ଲିପ୍ସା କହିବା ଘଟଣା ସ୍ବତଃ ଦ୍ବନ୍ଦ୍ବ ସୃଷ୍ଟି କରିଛି। ବାସ୍ତବରେ କାହା କଥା ଠିକ୍ ତାହାକୁ ନେଇ ସନ୍ଦେହ ଅଧିକ ଘନୀଭୂତ ହୋଇଛି।
ଲିପ୍ସାଙ୍କ କହିବା ମୁତାବକ, ପିଏଚ୍ଡି କରିବା ପାଇଁ ୨୦୧୬ ମସିହା ମାର୍ଚ୍ଚ ମାସରେ ଯାଇଥିଲେ। ପ୍ରି-ପିଏଚ୍ଡି ପାଇଁ ତାଙ୍କର ରୋଲ୍ ନମ୍ବର ଥିଲା ୧୬ଜୁଲୋଜି/ପ୍ରି-ପିଏଚ୍ଡି/୦୦୫। ମାର୍ଚ୍ଚ ୧୨ତାରିଖ ଦିନ ତାଙ୍କର ସାକ୍ଷାତକାର ନିଆଯାଇଥିଲା। ମାର୍ଚ୍ଚ ୧୮ତାରିଖ ଦିନ ତାଙ୍କର ଚୟନ ହୋଇଛି ବୋଲି ସେ ଜାଣିବାକୁ ପାଇଥିଲେ। ମାର୍ଚ୍ଚ ୨୯ତାରିଖ ଦିନ ପ୍ରି-ପିଏଚ୍ଡିରେ ଆଡ଼୍ମିସନ୍ କରିଥିଲେ। ତା’ପରେ ପାଠପଢ଼ା ଜାରି ରଖିବା କଥା। କିନ୍ତୁ, ପୁଅକୁ ଟାଇଫଏଡ଼୍ ହେବାରୁ ସେ ଆଉ ପଢ଼ିପାରିଲେ ନାହିଁ। ବିଶ୍ବବିଦ୍ୟାଳୟରୁ ସେ କଲେଜକୁ ଫେରି ଆସିଥିଲେ। ତା’ ପରେ ଅଗଷ୍ଟ ମାସରୁ ସେ କାମାକ୍ଷାନଗର କଲେଜରେ ପିଲାଙ୍କୁ ପାଠପଢ଼ାଇଛନ୍ତି ବୋଲି ଲିପ୍ସା ‘ସମ୍ବାଦ’କୁ କହିଛନ୍ତି।
ଏ ସମ୍ପର୍କରେ ଲୋକାୟୁକ୍ତଙ୍କୁ ମଧ୍ୟ ସେ ତଥ୍ୟ ପ୍ରମାଣ ସହିତ ଜଣାଇଥିବା କହିଛନ୍ତି। ଗୋଟିଏପଟେ ଲିପ୍ସା ୨୦୧୬ମସିହାରେ ପିଲାଙ୍କୁ କଲେଜରେ ପାଠ ପଢ଼ାଇଥିବା କଥା କହୁଥିବାବେଳେ ଅନ୍ୟପଟେ ୨୩/୦୫/୨୦୧୭ ତାରିଖରେ କଲେଜ କର୍ତୃପକ୍ଷ ଦେଇଥିବା ଆର୍ଟିଆଇ ତଥ୍ୟରେ କେମିତି ଲିପ୍ସା ୨୦୧୬-୧୭ମସିହାରୁ ପିଏଚ୍ଡି କରିବାକୁ ଯାଇଛନ୍ତି ବୋଲି ସୂଚନା ଦେଇଛନ୍ତି ତାହାକୁ ନେଇ ସନ୍ଦେହ ଆହୁରି ଘନୀଭୂତ ହୋଇଛି। କଲେଜର ଆର୍ଟିଆଇ ତଥ୍ୟ ଏବଂ ଲିପ୍ସାଙ୍କ କଥାରେ ତାଳମେଳ ରହୁ ନ ଥିବାବେଳେ ପ୍ରକୃତ ଘଟଣା କ’ଣ, ଲୋକାୟୁକ୍ତ ତଦନ୍ତ ହିଁ ସ୍ପଷ୍ଟ କରିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Odisha-Ministers-Daughter-In-Law.jpg)