ଶିଶୁପୁତ୍ର ବିକ୍ରି ଘଟଣା: ଝୁମ୍ପୁଡ଼ିରେ ଭବିଷ୍ୟତ ଖୋଜୁଛନ୍ତି ୩ ଶିଶୁ

ଦୟନୀୟ ଅବସ୍ଥାରେ ଘନ ସିଙ୍କୁଙ୍କ ପରିବାର, ଓଳିଏ ଖାଇଲେ ଆର ଓଳି ଉପାସ

ଶିଶୁପୁତ୍ର ବିକ୍ରି ଘଟଣା: ଝୁମ୍ପୁଡ଼ିରେ ଭବିଷ୍ୟତ ଖୋଜୁଛନ୍ତି ୩ ଶିଶୁ

ଚଣ୍ଡିଖୋଲ : ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ। ୧୦-୧୨ ଫୁଟର ଚିରାଫଟା ପଲିଥିନ୍‌ ଛାଉଣି ଓ କାଠଖୁଣ୍ଟ ପୋତା ଅଖା ଘେରା ଆବଦ୍ଧ ଚାଳିଆଟି ତାଙ୍କ ପାଇଁ ପୃଥିବୀ। ତା’ ଭିତରୁ ୩ ଜଣ ଅବୋଧ ଶିଶୁଙ୍କ ୬ ଯୋଡ଼ା ଆଖି କରୁଣ ଚାହାଣିରେ ବାହାରକୁ ଚାହିଁ ରହିଥିଲେ। ଘରେ ଖାଇବାକୁ ନାହିଁ। ରାତିରେ କ’ଣ ଖାଇବେ, ତାହା ବି ଜଣାନାହିଁ। ଅଭାବୀ ମା’ର ପଣତ ସେମାନଙ୍କୁ ଢାଙ୍କି ପାରୁନାହିଁ କି ସୁରକ୍ଷା ଦେଇପାରୁ ନାହିଁ। ଯେଉଁଘରୁ ୮ବର୍ଷର ପିଲାକୁ ତା’ର ବାପା ବିକି ଦେଇଥିବା ଅଭିଯୋଗ ହୋଇଥିଲା, ଏହା ହେଉଛି ତାହାର ଏକ କରୁଣ ଦୃଶ୍ୟ। ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ଥାନା ଶାସନ ପୁରୁଷୋତ୍ତମପୁର ଗ୍ରାମ ନଡ଼ିଆଜୋରୀ ଆଦିବାସୀ ବସ୍ତିରେ ରହିଛି ଏହି ଘର।

ପିଲାଟାର ବାପା ଘନ ସି ହେଉଛନ୍ତି ଜଣେ ମଦ୍ୟପ। ଏହି ମଦ୍ୟପ ବାପ କିଛି ଟଙ୍କା ନେଇ ବଡ଼ପୁଅ (ପ୍ରାୟ ୮ ବର୍ଷ)କୁ ଏକ ପରିବାର ପାଖରେ ବିକି (ଛାଡ଼ି) ଦେଇଥିଲେ। ସାହିପଡ଼ିଶା ଓ ସଂପର୍କୀୟଙ୍କ କହିବା ଅନୁସାରେ ଏଥିପାଇଁ ଘନ ସି ପ୍ରଥମେ ୭ ହଜାର ଟଙ୍କା ନେଇଥିଲେ। ପରେ ସେ ଆଉ ୫ ହଜାର ଟଙ୍କା ନେଇଥା’ନ୍ତେ। ହେଲେ, ମା’ ସଙ୍ଗୀତାଙ୍କ ମନ ମାନିଲା ନାହିଁ। କାନ୍ଦବୋବାଳି କରିବାରୁ ସମସ୍ତେ ଜାଣିଲେ। ଆଉ ଜେନାପୁର ଥାନା କାଇଁଚମାଳିଆ ଗାଁରୁ ଏକ ପରିବାରରୁ ପୁଲିସ ଏହି ପିଲାଟିକୁ ଉଦ୍ଧାର କରି ଆଣି ଗତକାଲି ରାତିରେ ଛାଡ଼ିଦେଇଛି। ଏତିକିରେ ସମସ୍ତ ବିଭାଗର ଦାୟିତ୍ବ ସରିଯାଇଛି। ଆଜି ବ୍ଲକ୍‌ ପ୍ରଶାସନ କିମ୍ବା ଅନ୍ୟ ​କେଉଁ ବିଭାଗର ଅଧିକାରୀ ଏଠାରେ ପହଞ୍ଚି ନାହାନ୍ତି। ହେଲେ, ପୁଅକୁ ଫେରି ପାଇଥିବାରୁ ମା’ ସଙ୍ଗୀତାଙ୍କ ମନରେ କାହିଁରେ କେ‌ତେ ଖୁସି। ପୁଲିସ ସହାୟତାରେ ମୋ ପୁଅକୁ ଫେରି ପାଇଲି ବୋଲି କହିଛନ୍ତି ସଂଗୀତା ସି।

ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର କହିଛନ୍ତି ଯେ ଭର୍ଚୁଆଲ ମାଧ୍ୟମରେ ପିଲାଟିକୁ ଶିଶୁ ମଙ୍ଗଳ କମିଟି ଯାଜପୁରରେ ହାଜର କରାଯାଇ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି। ଖୁବ୍‌ଶୀଘ୍ର ତା’ର ରହିବା ଖାଇବା ଓ ପାଠପଢ଼ା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ତେବେ, ପୁଅକୁ ସେ କେଉଁଠି ବିକ୍ରି କରିନଥିବା ନେଇ ଘନ ସିଙ୍କୁ ଉଭୟ ପୁଲିସ ଓ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏହି ଆଦିବାସୀ ବସ୍ତିରେ ବର୍ଷବର୍ଷ ଧରି ରହିଆସୁଛନ୍ତି ଘନ ସିଙ୍କୁର ପରିବାର। ସେ ମୂଲମଜୁରି ଲାଗିଥାନ୍ତି। ପତ୍ନୀ ସଙ୍ଗୀତା ଛୋଟଛୋଟ ପିଲାମାନଙ୍କୁ ଛାଡ଼ି ବାହାରକୁ ଯାଇପାରନ୍ତି ନାହିଁ। ଖରା, ବର୍ଷା ଶୀତ କାକରରେ ତାଙ୍କର ଆଶ୍ରୟସ୍ଥଳ ହେଉଛି ଦୁଇ ତିନି ଖଣ୍ଡ ଚିରା ଫଟା ପାଲ ଢଙ୍କା ହୋଇଥିବା ଏକ ଝୁମ୍ପୁଡ଼ି। ଖରା, ବର୍ଷାରୁ ସୁରକ୍ଷା ମିଳିବାର କୌଣସି ସମ୍ଭାବନା ନାହିଁ। ତଥାପି ତାହା ସେମାନଙ୍କ ପାଇଁ ଘର। ଆବାସ ଯୋଜନାରୁ ସେ ବଞ୍ଚିତ। ସେହିଭଳି ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିଥିବା ରାସନ କାର୍ଡରେ ମାସକୁ ୩୦ କିଲୋଗ୍ରାମ ଚାଉଳ ମିଳୁଛି। ସେଥିରେ କିଛିଦିନ ଭାତ ଖାଇବା ତ ହୋଇଯାଇଥାଏ କିନ୍ତୁ ଡାଲି, ତରକାରି ନଥାଏ। ଦାରିଦ୍ର୍ୟର ଚାପରେ ଯେମିତି ପୂରା ପରିବାର ଓ ଘନ ସିଙ୍କୁ ଦବିଯାଇଛନ୍ତି। ଅବଶ୍ୟ ତାଙ୍କର ଭୋଟ ପରିଚୟପତ୍ର ରହିଛି ଏବଂ ପ୍ରତିଥର ନିର୍ବାଚନରେ ସେମାନେ ଭୋଟ ଦେଇଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe