ମୃତବ୍ୟକ୍ତିଙ୍କ ଜମି ବିକ୍ରି, ସବ ରେଜିଷ୍ଟ୍ରାରଙ୍କ ନାଁରେ ଅଭିଯୋଗ

କେନ୍ଦୁଝର: ମୃତବ୍ୟକ୍ତିଙ୍କ ଜମି ବିକ୍ରି ହୋଇଛି। ଏନେଇ ଜମିର ପ୍ରକୃତ ମାଲିକ ସବ୍‌ରେଜିଷ୍ଟ୍ରାରଙ୍କ ସମେତ କାର୍ଯ୍ୟାଳୟର କିରାଣି, ଆର୍‌ଆଇଙ୍କ ନାମରେ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

କେନ୍ଦୁଝର ମାଧପୁରରେ ରହୁଥିବା ସ୍ନେହଲତା ବାରିକଙ୍କ ଶ୍ବଶୁର ହେଉଛନ୍ତି ସ୍ବର୍ଗତ ଦାମୋଦର ବାରିକ। ତାଙ୍କର ତିନିଭାଇ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବାରିକ, ଶ୍ୟାମସୁନ୍ଦର ବାରିକ ଏବଂ ଭୋଳାନାଥ ବାରିକ। ଏମାନେ ସମସ୍ତେ ମୃତ। ଏମାନଙ୍କ ନାମରେ କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ମାଗୁରଗାଡ଼ିଆ-ଶିରିପୁରଠାରେ ଖାତା ନମ୍ବର-୧୫୭ରେ ୫୩ ଡିସିମିଲ ଜମି ରହିଛି। ସେହିପରି ଆଟପୁର ବଡ଼ପୋଖରୀ ତଳେ ଖାତା ନମ୍ବର-୩୯୯‌ରେ ୩ ଏକର ଜମି ରହିଛି। ପୂର୍ଣ୍ଣଚନ୍ଦ୍ର, ଶ୍ୟାମସୁନ୍ଦର ଏବଂ ଭୋଳାନାଥଙ୍କ ବହୁ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଦାମୋଦରଙ୍କ ଗତ ମାର୍ଚ୍ଚ ୧୧ ତାରିଖର ମୃତ୍ୟୁ ଘଟିଛି।

ମାତ୍ର ଉକ୍ତ ଜମିର ଅନ୍ୟ ଅଂଶୀଦାର ସ୍ବର୍ଗତଃ ଭୋଳାନାଥ ବାରିକଙ୍କ ଦୁଇପୁଅ ବିଜୟ ବାରିକ, ଅଶୋକ ବାରିକ, ସ୍ବର୍ଗତଃ ଦାମୋଦର ବାରିକଙ୍କ ବଡ଼ପୁଅ ଭରତ ଚନ୍ଦ୍ର ବାରିକ ଏହି ଜମିକୁ ଏପ୍ରିଲ ୨୫ ତାରିଖରେ ବିକ୍ରି କରିଛନ୍ତି। ଜମିକୁ ବିକ୍ରି କରିବାକୁ ୭ଟି ଦଲିଲ ପ୍ରସ୍ତୁତ କରାଯାଇଛି। ସବୁଠୁ ବଡ଼କଥା ହେଉଛି, ଦାମୋଦରଙ୍କ ମାର୍ଚ୍ଚ ମାସରୁ ମୃତ୍ୟୁ ହୋଇଥିବା ବେଳେ ଏପ୍ରିଲରେ ତାଙ୍କ ଜମି ବିକ୍ରି କରାଯାଇଛି। ଏନେଇ ଦାମୋଦରଙ୍କ ସାନପୁଅ ସନ୍ତୋଷ ଜାଣି ନଥିଲେ। ଏ ସମ୍ପର୍କରେ ଦାମ‌ୋଦରଙ୍କ ବୋହୂ ତଥା ସନ୍ତୋଷଙ୍କ ପତ୍ନୀ ସ୍ନେହଲତା ଆଜି ସବ୍‌ରେଜିଷ୍ଟ୍ରାର ଗାୟତ୍ରୀ ସୋରେନ, ମୁଖ୍ୟ କିରାଣି ମନୋରଞ୍ଜନ ଜେନା, ଆର୍‌ଆଇ ଶ୍ରୀକାନ୍ତ ମାଝୀଙ୍କ ନାମରେ ଅଭିଯୋଗ କରିଛନ୍ତି। କ୍ଷମତାର ଅପବ୍ୟବହାର କରି ଜମି ବିକ୍ରି କରିବାରେ ଏହି ଅଧିକାରୀମାନେ ସହ‌ଯୋଗ କରିଛନ୍ତି ବୋଲି ସ୍ନେହଲତା ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର