କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ବଜାରରେ ମିଳୁଥିବା ପ୍ୟାକିଂ ପାଣି ବୋତଲର ଶୁଦ୍ଧତା ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିନା ଆଇଏସଆଇ ମାର୍କରେ ବିଭିନ୍ନ ପାଣି ବିତରଣ କମ୍ପାନୀ ପାଣି ପ୍ୟାକିଂ କରି ବଜାରକୁ ଛାଡୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏହାର କୌଣସି ଯାଞ୍ଚ କରୁ ନଥିବାରୁ ଏହି ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ଖରା ଦିନରେ ସାଧାରଣତଃ ଥଣ୍ଡା ପାଣିର ଚାହିଦା ଅଧିକ ଥିବାରୁ କମ୍ପାନିମାନେ ସ୍ୱଚ୍ଛ ପାଣି ର ନାମରେ ସାଧାରଣ ଏବଂ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେଉଥିବା ପାଣି ବଜାରକୁ ଛାଡି ମୁନାଫା କମାଉଛନ୍ତି । ବିବାହ, ବ୍ରତଘର, ଜନ୍ମଦିନ, ବିଭିନ୍ନ ସଭାସମିତି ଓ ଶୁଦ୍ଧିକ୍ରିୟାରେ ପାଣି ଜାରର ଚାହିଦା ଅଧିକ ଥିବାବେଳେ ଏହା ପ୍ରକୃତରେ ବିଶୁଦ୍ଧ ପାଣି ନା ଦୂଷିତ ପାଣି ତାହା ଗ୍ରାହକଙ୍କ ପାଇଁ ଜାଣିବା କଷ୍ଟକର ହୋଇପଡ଼େ। କେତେକ ପାଣି କମ୍ପାନି ମଧ୍ୟ ଆକର୍ଷଣୀୟ ପ୍ୟାକିଂ କରି ବଜାରକୁ ବିକ୍ରି ପାଇଁ ଛାଡୁଥିବାରୁ ଗ୍ରାହକ ଏହାର ଶୁଦ୍ଧତା ପରଖି ପାରିବାର ସୁଯୋଗ ପାଇ ନଥାନ୍ତି।

Advertisment

ପାଣି କମ୍ପାନି ଦୋକାନୀଙ୍କୁ ଅଧିକ ରିହାତି ଦେଇ ଅଧିକ ପାଣି ପାଣି ବିକ୍ରି ପାଇଁ ପ୍ରବର୍ତ୍ତାଇଥାନ୍ତି। ପ୍ରକୃତରେ ଆଇଏସଆଇ ଦ୍ୱାରା ପରୀକ୍ଷା କରା ନଯାଇ କେବଳ ଆଇଏସଆଇ ଲୋଗ ଲଗାଇ ଗ୍ରାହକମାନଙ୍କୁ ଠକୁଥିବାର ଜଣାପଡ଼ିଛି । ବିନା ଆଇଏସଆଇରେ ବହୁ କମ୍ପାନି ବେଧଡକ ବ୍ୟବସାୟ କରୁଛନ୍ତି । ଫଳରେ ପାଣିର ମାନ ଯାଞ୍ଚ ହୋଇ ପାରୁନାହିଁ । ପାଣି କମ୍ପାନିମାନେ ପାଣିକୁ ଜୀବାଣୁମୁକ୍ତ କରିବା ପାଇଁ ଅଲଟ୍ରା ଭାଓଲେଟ ଓ ରିଭର୍ସ ଅସମୋସିସ ପ୍ରକ୍ରିୟା ଅବଲମ୍ବନ କରି ପାଣି ପ୍ୟାକିଂ କରିବା ଉଚିତ। ଏହି ପାଣିକୁ ମଧ୍ୟ ପରୀକ୍ଷାଗାରରେ ପରୀକ୍ଷା କରାଯାଇ ବଜାରକୁ ବିକ୍ରି ପାଇଁ ଛଡାଯିବା ଉଚିତ। କିନ୍ତୁ ଏଭଳି ପ୍ରକ୍ରିୟା ଅନୁସରଣ ନକରି ଲୋକଙ୍କ ଜୀବନ ସହ ଖେଳ ଖେଳି ପାଣି ବିକ୍ରି କରୁଛନ୍ତି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୁଏ। ଜିଲ୍ଲା ବାହାରୁ ଆସୁଥିବା ଅନେକ ପାଣି ବୋତଲରେ ତିଆରି ତାରିଖ ଏବଂ ବ୍ୟବହାରର ଶେଷ ତାରିଖ ଉଲ୍ଲେଖ କରା ନଯାଇ ପାଣି ବିକ୍ରି କରାଯାଉଛି। ଫଳରେ ବହୁ ଦିନ ଧରି ପଡି ରହିଥିବା ପାଣି ବୋତଲ ବିକ୍ରି ହେଉଛି। ଶୋଷିଲା ଗ୍ରାହକମାନେ ମଧ୍ୟ ଅନେକ ସମୟରେ ଏହି ତାରିଖକୁ ନିଘା ନକରି ପାଣି ପିଇ ପେଟ ରୋଗରେ ପଡ଼ନ୍ତି।

ଜିଲ୍ଲାରେ କେବଳ ନକଲି ବ୍ରାଣ୍ଡର ପାଣି ବୋତଲ ବିକ୍ରି ସହିତ ମୃଦୁ ପାନୀୟ ମଧ୍ୟ ବିକ୍ରି ବହୁମାତ୍ରାରେ ବଢିଛି । ଏହି ଅବାଧ କାରବାର ସହରର ମୁଖ୍ୟ ରାସ୍ତାକଡ ସମେତ ବିଭିନ୍ନ ଗଳିକନ୍ଦିରେ ଥିବା ଚା' ପାନ ଦୋକାନ, ଜଳଖିଆ ଦୋକାନ, ହୋଟେଲ, ରେଷ୍ଟୁରାଷ୍ଟ ଓ ଫାଷ୍ଟଫୁଡ୍ ଦୋକାନ ଓ ମୃଦୁପାନୀୟ ଦୋକାନ ଗୁଡିକରେ ବହୁଳ ଭାବରେ ନକଲି ବ୍ରାଣ୍ଡର ପାଣି ବୋତଲ ଉପଲବ୍ଧ ହେଉଛି । ବିଭିନ୍ନ ଗାଁ ଗଣ୍ଡାରେ ମଧ୍ୟ ଏଭଳି ନକଲି ବ୍ରାଣ୍ଡର ପାଣି ବୋତଲ ମଧ୍ୟ ସୁବିଧା ଓ ସହଜରେ ମିଳୁଛି। ଏସବୁ ପାଣି ବୋତଲ ଯେ ଅସଲି କିମ୍ବା ନକଲି ତାର ଗୁଣାତ୍ମକ ମାନ ଜାଣିବା ଦୂରେ ଥାଉ କିନ୍ତୁ ଦୋକାନୀକୁ ୧୦ ଟଙ୍କା କିମ୍ବା ୨୦ ଟଙ୍କା ବଢ଼ାଇଲେ ମିଳିଯାଉଛି ବିଭିନ୍ନ ବ୍ରାଣ୍ଡର ପାଣି ବୋତଲ। ପାଣି ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରିକୁ ଗ୍ରାହକ ଲାଗି ସଚେତନ ଓ ସତର୍କତା ପୂର୍ବକ ବିଶୁଦ୍ଧ ଓ ଗୁଣବତ୍ତା ପାଣି ପ୍ରସ୍ତୁତ କରୁଥିବା ବେଆଇନ୍ ଭାବେ ଏବେ ଛତୁ ଫୁଟିଲା ଭଳି ମାଳ ମାଳ ନକଲି ପାଣି ବୋତଲ ପ୍ରସ୍ତୁତକାରୀ ବ୍ୟବସାୟୀ ମୁଣ୍ଡ ଟେକିଥିବା ଜଣାପଡ଼ିଛି । ସ୍ଥାନୀୟ ସହର ସମେତ ଆଖପାଖ ଅଂଚଳରେ ଏଭଳି ଅସାଧୁ କାରବାରର ଚେର ଲମ୍ବିଥିବା ବେଳେ ତୃଷାର୍ତ୍ତ ଗ୍ରାହକ ସିଧାସଳଖ ଠକାମୀର ଶିକାର ହେଉଥିବା ଅଭିଯୋଗ ହେଉଛି । ଏଭଳି ବେଆଇନ୍ ଭାବେ ଦୈନିକ ହଜାର ହଜାର ଲିଟର ନକଲି ବ୍ରାଣ୍ଡର ପାଣି ବୋତଲ ଏବଂ ୨୦ ଲିଟର ପାଣି ଜାର ବିକ୍ରି ହେଉଛି । ପ୍ରଶାସନିକ ନିଷ୍କ୍ରିୟତାର ଫାଇଦା ଉଠାଇ ନକଲି ପାଣି ପ୍ରସ୍ତୁତକାରୀ ବ୍ୟବସାୟୀ ଆଇନ୍ କାନୁନକୁ ଦଳି ମକଚି ସିଧାସଳଖ ଗ୍ରାହକଙ୍କ ଉପରେ ଶୋଷଣ ନୀତି ଆପଣେଇଥିବା ଜଣାପଡିଛି । ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏଭଳି ବେଆଇନ୍ କାରବାର ପ୍ରତି ଧ୍ୟାନ ଦେଇ ଦୃଢ ପଦକ୍ଷେପ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହେଉଛି । ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ବେଆଇନ ଭାବେ ପାଣି ବିକ୍ରୀ କରୁଥିବା କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଜିଲ୍ଲାରେ ଗୋଟିଏ କମ୍ପାନି ରିମୁଳିର ମହାଦେବ ମିନେରାଲ୍ସ ପ୍ରଦୂଷଣ ବୋର୍ଡ ଠାରୁ ଅନୁମତି ନେଇଛି। ଯେଉଁ କମ୍ପାନି ସିଟିଓ ନେଇ ନାହାଁନ୍ତି ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ପ୍ରକାଶ କରିଛନ୍ତି। ୧୩ ଟି ସଂସ୍ଥା ଫୁଡ ଲାଇସେନ୍ସ ନେଇଥିବା ଖାଦ୍ୟ ନିରାପତ୍ତା ଅଧିକାରୀ ଜିତେନ୍ଦ୍ର ମହାନ୍ତ ପ୍ରକାଶ କରିଛନ୍ତି।