ମୃତବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି, ସବ୍‌ ରେଜିଷ୍ଟ୍ରାରଙ୍କୁ ସୁରକ୍ଷା

ଅଂଶୀଦାରଙ୍କ ଅଭିଯୋଗ ସତ୍ତ୍ବେ ରୁଜୁ ହେଲା ନାହିଁ ମାମଲା

କେନ୍ଦୁଝର: ମୃତ ବ୍ୟକ୍ତିଙ୍କ ନାମରେ ଜମି ବିକ୍ରି ଘଟଣାରେ ସବ୍‌ରେଜିଷ୍ଟ୍ରାର ଗାୟତ୍ରୀ ସୋରେନଙ୍କ ପକ୍ଷରୁ ବିକ୍ରେତାଙ୍କ ନାମରେ ଟାଉନ ଥାନାରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଜମିର ଅଂଶୀଦାରଙ୍କ ପକ୍ଷରୁ ସବ୍‌ରେଜିଷ୍ଟ୍ରାରଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଆଧାରରେ ଏଯାଏ ମାମଲା ରୁଜୁ ହୋଇନାହିଁ। ସବୁଠୁ ବଡ଼କଥା ହେଉଛି ହାଟଡିହି ତହସିଲରେ ଜାଲ୍‌ ରସିଦରେ ଟଙ୍କା ହେରଫେର କରିଥିବା ନେଇ ସବ୍‌ରେଜିଷ୍ଟ୍ରାର ତଥ‌ା ତତ୍କାଳୀନ ହାଟଡିହି ତହସିଲଦାର ଗାୟତ୍ରୀ ସୋରେନଙ୍କ ନାମରେ ଲୋକାୟୁକ୍ତରେ ମାମଲା ଚାଲିଥିବା ବେଳେ ବର୍ତ୍ତମାନ ଏହି ଜାଲିଆତିରେ ତାଙ୍କର ସଂପୃକ୍ତି ବେଶ୍‌ ଆଲୋଚ୍ୟ ହୋଇଛି।

ଅଭିଯୋଗକାରିଣୀ ସ୍ନେହଲତା ବାରିକଙ୍କ କହିବା ଅନୁସାରେ, ତାଙ୍କ ଶ୍ବଶୁର ଦାମୋଦର ବାରିକଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଥିବା ଜମି ବିକ୍ରି କରାଯାଇଛି। ଏ ସଂପର୍କରେ ସବ୍‌ରେଜିଷ୍ଟ୍ରାର ଜାଣିବା ସତ୍ତ୍ବେ ଜାଲିଆତି କରି ଜମି ବିକ୍ରି କରାଇଛନ୍ତି। ଏନେଇ ୨୦ ତାରିଖରେ ଲିଖିତ ଭାବେ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ ହୋଇଛି। ମାତ୍ର ଅଭିଯୋଗକୁ ପଞ୍ଜୀକରଣ କରାନଯିବାରୁ ଆଉଥରେ ରେଜେଷ୍ଟ୍ରି ଡାକ ଯୋଗେ ମଧ୍ୟ ଟାଉନ ଥାନାକୁ ଅଭିଯୋଗପତ୍ର ପଠାଯାଇଛି। ରେଜିଷ୍ଟ୍ରି ଡାକ ଯୋଗ‌େ ଟାଉନ ଥାନାରେ ଅଭିଯୋଗ ପହଞ୍ଚିବା ସତ୍ତ୍ବେ ସବ୍‌ରେଜିଷ୍ଟ୍ରାର ଗାୟତ୍ରୀ ସୋରେନଙ୍କ ବିରୋଧରେ ଏଯାଏ ମାମଲା ରୁଜୁ ହୋଇନାହିଁ। କିନ୍ତୁ ସବ୍‌ରେଜିଷ୍ଟ୍ରାର ଗାୟତ୍ରୀ ସୋରେନ ଅତ୍ୟନ୍ତ ତରବରିଆ ଭାବେ ୨୧ ତାରିଖରେ ୬ଜଣ ବିକ୍ରେତାଙ୍କ ନାମରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ତତ୍‌କ୍ଷଣାତ ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ, କେନ୍ଦୁଝରର ମାଧପୁର ଅଞ୍ଚଳରେ ରହୁଥିବା ସ୍ନେହଲତା ବାରିକଙ୍କ ଶ୍ବଶୁର ହେଉଛନ୍ତି ସ୍ବର୍ଗତ ଦାମୋଦର ବାରିକ। ତାଙ୍କର ତିନିଭାଇ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବାରିକ, ଶ୍ୟାମସୁନ୍ଦର ବାରିକ ଏବଂ ଭୋଳାନାଥ ବାରିକ। ଏମାନେ ସମସ୍ତେ ମୃତ। ଏମାନଙ୍କ ନାମରେ କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ମାଗୁରଗାଡ଼ିଆର ଶିରିପୁରଠାରେ ଖାତା ନମ୍ବର-୧୫୭ରେ ୫୩ ଡିସିମିଲ ଏବଂ ଆଟପୁର ବଡ଼ପୋଖରୀ ତଳେ ଖାତା ନମ୍ବର-୩୯୯‌ରେ ୩ ଏକର ଜମି ରହିଛି। ପୂର୍ଣ୍ଣଚନ୍ଦ୍ର, ଶ୍ୟାମସୁନ୍ଦର ଏବଂ ଭୋଳାନାଥଙ୍କ ବହୁ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଦାମୋଦରଙ୍କ ମାର୍ଚ୍ଚ ୧୧ର ମୃତ୍ୟୁ ଘଟିଥିଲା। ଉକ୍ତ ଜମିର ଅନ୍ୟ ଅଂଶୀଦାର ସ୍ବର୍ଗତଃ ଭୋଳାନାଥଙ୍କ ଦୁଇପୁଅ ବିଜୟ ବାରିକ, ଅଶୋକ ବାରିକ, ସ୍ବର୍ଗତଃ ଦାମୋଦର ବାରିକଙ୍କ ବଡ଼ପୁଅ ଭରତ ଚନ୍ଦ୍ର ବାରିକ ଏହି ଜମିକୁ ଏପ୍ରିଲ ୨୫ ତାରିଖରେ ବିକ୍ରି କରିଥିଲେ। ଏନେଇ ଦାମ‌ୋଦରଙ୍କ ସାନପୁଅ ସନ୍ତୋଷ ଜାଣି ନଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଦାମୋଦରଙ୍କ ବୋହୂ ତଥା ସନ୍ତୋଷଙ୍କ ପତ୍ନୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସବ୍‌ରେଜିଷ୍ଟ୍ରାର ଗାୟତ୍ରୀ ‌ସୋରେନ ସଦର ତହସିଲଦାରଙ୍କୁ ଚିଠି ଲେଖିବା (ଚିଠି ନମ୍ବର-୧୧୪୭) ପରେ ନମ୍ବର-୧୦୦୨୨୦୦୭୭୮, ୧୦୦୨୨୦୦୭୮୦, ୧୧୦୦୨୨୦୦୭୮୧, ୧୦୦୨୨୨୦୦୭୮୨, ୧୦୦୨୨୦୦୭୮୩, ୧୦୦୨୨୦୦୭୮୪, ୧୦୦୨୨୦୦୭୮୮ କବଲା ରଦ୍ଦ ହୋଇଛି।

ସମ୍ବନ୍ଧିତ ଖବର