ରାଉରକେଲା: ଆର୍ଜିଏଚ୍ରୁ ବିକ୍ରି ନବଜାତ ଶିଶୁକୁ ୧୦ ଦିନ ପରେ ଉଦ୍ଧାର କରାଯାଇଛି। ଉଦିତନଗର ଆର୍ଏମ୍ସି ସମ୍ମୁଖ ବସ୍ତିରୁ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି)ର ସଦସ୍ୟଙ୍କ ଉପସ୍ଥିତିରେ ଚାଇଲ୍ଡ ଲାଇନ ଟିମ୍ ନବଜାତ ଶିଶୁକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ନବଜାତ ଶିଶୁ ଓ ମା’ଙ୍କୁ ଆର୍ଜିଏଚ୍ ‘ସଖୀ’ରେ ରଖାଯାଇଛି। ପରିବାରର ଅଭାବରୁ ନବଜାତ ଶିଶୁକୁ ଅନ୍ୟ ମା’ କୋଳକୁ ଟେକି ଦେଇଥିବା ଝାଡ଼ଖଣ୍ଡର ମା’ ଜଣକ କହିଛନ୍ତି। ସେ କହିଛନ୍ତି, ତାଙ୍କର ୩ଟି ସନ୍ତାନ ଅଛନ୍ତି। ପରିବାର ଆର୍ଥିକ ଅନଟନ ଲାଗି ରହୁଥିବାରୁ ବାଧ୍ୟ ହୋଇ ଆର୍ଜିଏଚ୍ରେ ମୃତ୍ୟୁବରଣ କରିଥିବା ନବଜାତ ଶିଶୁର ମା’ଙ୍କୁ ଦେଇ ଦେଇଥିଲି। କାହାକୁ କିଛି ନ କହି ଝାଡ଼ଖଣ୍ଡର ଗାଁକୁ ଚାଲି ଯାଇଥିଲି। କେତେ ଟଙ୍କାରେ ନବଜାତ ଶିଶୁକୁ ବିକ୍ରି କରିଛନ୍ତି, ଏ ସମ୍ପର୍କରେ କିଛି କହି ନାହାନ୍ତି ବୋଲି ସିଡବ୍ଲ୍ୟୁସିର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା କହିଛନ୍ତି।
ସେ କହିଛନ୍ତି, ନବଜାତ ଶିଶୁକୁ ନେଇଥିବା ମା’ ଓ ଦେଇଥିବା ଝାଡ଼ଖଣ୍ଡର ମା’ଙ୍କୁ ପଚରାଉଚୁରା କରିବା ପରେ ଶିଶୁ ବିକ୍ରି ହୋଇଛି କି ନାହିଁ ଜଣାପଡିବ। ଆସନ୍ତାକାଲି ନୂଆ ସିଡବ୍ଲ୍ୟୁସି୍ ଟିମ୍ କାର୍ଯ୍ୟଭାର ଗ୍ରହଣ କରିବା ପରେ ଘଟଣାର ତଦନ୍ତ କରିବେ। ଯଦି ଛୁଆ ବିକ୍ରି ସଂକ୍ରାନ୍ତରେ ସୁରାକ ମିଳିବ, ମାମଲା ରୁଜୁ ପାଇଁ ଉଦିତନଗର ଥାନାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି। ସେପଟେ ଆର୍ଜିଏଚ୍ କର୍ତ୍ତୃପକ୍ଷ ଆର୍ଜିଏଚ୍ ପରିସରରେ ନବଜାତ ଶିଶୁ ବିକ୍ରି ହୋଇ ନାହିଁ ବୋଲି କହିଛନ୍ତି। ତେବେ ମୃତ୍ୟୁବରଣ କରିଥିବା ନବଜାତ ଶିଶୁ ମା’ ଓ ମେଡ଼ିକାଲରୁ ନବଜାତ ଶିଶୁ ସହ ଡିସ୍ଚାର୍ଜ ଝାଡ଼ଖଣ୍ଡର ମା’ଙ୍କ ମଧ୍ୟରେ ପରିଚୟ କେମିତି ହେଲା ? ଏମାନଙ୍କୁ ଆର୍ଜିଏଚ୍ର କୌଣସି କର୍ମଚାରୀ ପରିଚିତ କରାଇ ନାହାନ୍ତି ତ ? ଯାହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି।
ଉଲ୍ଲେଖଯୋଗ୍ୟ, ଉଦିତନଗର ବସ୍ତିର ଜଣେ ଗର୍ଭବତୀ ମହିଳା ଗତ ୧ ତାରିଖରେ ଆର୍ଜିଏଚ୍ରେ ଭର୍ତ୍ତି ହୋଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ନବଜାତର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତା’କୁ ଏସ୍ଏନ୍ସିୟୁରେ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ସାଢ଼େ ୭ଟାରେ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକ ମୃତ ଶିଶୁକୁ ନେଇ ନିଜ ବସ୍ତି ଇଲାକାରେ ପୋତି ଦେଇଥିଲେ। ଆର୍ଜିଏଚ୍କୁ ପଡ଼ୋଶୀ ଝାଡ଼ଖଣ୍ଡର ସୀମାବର୍ତ୍ତୀ ଅନେକ ଗାଁରୁ ବହୁ ରୋଗୀ ଆସନ୍ତି। ସେହି କ୍ରମରେ ସେହି ସମାନ ୱାର୍ଡରେ ଝାଡ଼ଖଣ୍ଡ ମନୋହରପୁର ଆନନ୍ଦପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳା ନଭେମ୍ବର ୨୯ରେ ଭର୍ତ୍ତି ହୋଇଥିଲେ। ସେହିଦିନ ହିଁ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କୁ ୩୦ ତାରିଖରେ ଡିସ୍ଚାର୍ଜ କରାଯାଇଥିଲା। କିନ୍ତୁ କୌଣସି କାରଣବଶତଃ ସେହିଦିନ ସେ ଡାକ୍ତରଖାନାରୁ ଯାଇ ପାରି ନଥିଲେ। ପରଦିନ ସନ୍ଧ୍ୟାରେ ସେହି ୱାର୍ଡରେ ମୃତ୍ୟୁବରଣ କରିଥିବା ନବଜାତ ପୁତ୍ର ସନ୍ତାନର ମା’ ଓ ତାଙ୍କ ସ୍ବାମୀ ଝାଡ଼ଖଣ୍ଡର ଉକ୍ତ ମହିଳାଙ୍କୁ ନବଜାତ ପୁତ୍ର ସନ୍ତାନକୁ ବିକ୍ରି କରିବାକୁ ଟଙ୍କାର ଲୋଭ ଦେଖାଇଥିଲେ। ମହିଳା ଜଣକ ୫୦ ହଜାର ଟଙ୍କା ଦାବି କରିଥିଲେ। ତେବେ ଶିଶୁକୁ ନେବାକୁ ଇଚ୍ଛୁକ ମହିଳା ଓ ତାଙ୍କ ସ୍ବାମୀ ମାତ୍ର ୨୫ ହଜାର ଟଙ୍କା ଦେଇହେବ ବୋଲି କହିଥିଲେ। ଏମିତି ମୂଲଚାଲ ପରେ ଝାଡ଼ଖଣ୍ଡର ମହିଳା ସେଥିରେ ରାଜି ହୋଇଥିଲେ। ତା’ପରେ ଅନ୍ୟ ମହିଳାଙ୍କ ସ୍ବାମୀ ଘରେ ଥିବା ସୁନାଗହଣାକୁ ବନ୍ଧକ ରଖି ୨୫ ହଜାର ଟଙ୍କା ଆଣିଥିଲେ। ଝାଡ଼ଖଣ୍ଡର ଦମ୍ପତି ସେହି ୨୫ ହଜାର ଟଙ୍କା ନେଇ ନିଜ ନବଜାତ ପୁଅକୁ ଏମାନଙ୍କୁ ଦେଇ ନିଜ ଘରକୁ ବାହୁଡ଼ି ଯାଇଥିଲେ।