ଜାମତାରା ଗ୍ୟାଙ୍ଗ୍‌କୁ ୧୬ହଜାର ସିମ୍‌ ବିକ୍ରି, ବାଲେଶ୍ବରରୁ ମିଳିଲା ୨୮୨ ଆକ୍ଟିଭ୍‌ ସିମ୍‌

ଦଲାଲ ଦୀପକ ଦାସ ଫେରାର୍‌, ଅନ୍ଧେରିରୁ ଜଣକୁ ଉଠାଇଲା କ୍ରାଇମବ୍ରାଞ୍ଚ

କଟକ/ଭୁବନେଶ୍ବର : ବିହାରୀ ଜାମ୍‌ତରା ସାଇବର ଠକଙ୍କୁ ବ୍ୟାଙ୍କ୍‌ ଆକାଉଣ୍ଟ ତଥ୍ୟ ଓ ମୋବାଇଲ୍‌ ସିମ୍‌ ଯୋଗାଉଥିବା ଦୁଇଟି ବଡ଼ ଉତ୍ସର ସନ୍ଧାନ ପାଇଛି କଟକ କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନା ଓ କଟକ କମିସନରେଟ୍‌ ସାଇବର ଥାନା ପୁଲିସ। ବାଲେଶ୍ବର ବସ୍ତା ଅଞ୍ଚଳରେ ଏକ ମୋବାଇଲ ସିମ୍‌ କମ୍ପାନିର ମ୍ୟାନେଜର ଥିବା ବାଲେଶ୍ବର ସିଙ୍ଗଲା ଥାନା ନବର ଅଞ୍ଚଳର ଶଙ୍କର ଦାସ ଅଧିକାରୀ(୩୫) ଓ ଆସିଷ୍ଟାଣ୍ଟ ମ୍ୟାନେଜର ଥିବା ରୁପ୍‌ସା ଓଡ଼ିଆପଡ଼ାର ସୁଶାନ୍ତ କୁମାର ବେହେରା ଓରଫ ଟିକିନା(୩୩)ଙ୍କୁ କଟକ ସାଇବର୍ ଥାନା ପୁଲିସ ଗିରଫ କରିଛି। ସେହିଭଳି ମୁମ୍ବାଇ ପୂର୍ବ ଅନ୍ଧେରିରୁ ବିହାର ଭାଗଲପୁରର ସୁନ୍ଦରମ୍‌ ଚରଣକୁ କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନା ପୁଲିସ ଉଠାଇଛି। ଉକ୍ତ କମ୍ପାନିର ଦୁଇ ଅଧିକାରୀ ସାଇବର ଠକଙ୍କୁ ସିମ୍‌ ‌ବିକ୍ରି କରିଥିବା ଅଭିଯୋଗ ହୋଇଥିବା ବେଳେ ସୁନ୍ଦରମ୍‌ ଠକଙ୍କୁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଯୋଗାଉଥିବା ଜଣାପଡ଼ିଛି। ୨୦୧୭ ମସିହାରୁ ଏହି ଗ୍ୟାଙ୍ଗ୍‌କୁ ଓଡ଼ିଆ ଗ୍ରାହକଙ୍କ ୧୬ ହଜାରରୁ ଉର୍ଦ୍ଧ୍ବ ସିମ୍ କାର୍ଡ ବିକ୍ରି କରାଯାଇଥିବା ଜଣାପଡ଼ିବା ପରେ ଅଭିଯୁକ୍ତ ଅଧିକାରୀଦ୍ବୟଙ୍କ ହାତ ଥିବା ସନ୍ଦେହ କରାଯାଉଛି। ତେବେ ଏହି ଅଧିକାରୀଦ୍ବୟ ବାଲେଶ୍ବରର ଦୀପକ ଦାସ ଜରିଆରେ ସାଇବର ଗ୍ୟାଙ୍ଗ୍‌କୁ ସିମ୍‌ ଯୋଗାଉଥିବା ତଦନ୍ତରୁ ଜଣାପଡ଼ିଛି। କିନ୍ତୁ ଦଲାଲ ଦୀପକ ଫେରାର୍ ହୋଇଯାଇଛି।

ଫେବ୍ରୁଆରି ୨୮ରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଅତିଥି ଅଧ୍ୟାପକ ଡ. ଜୟଦେବ ଜେନାଙ୍କୁ କେୱାଇସି ଅପ୍‌ଡେଟ୍‌ କରିବାକୁ ଜଣେ ବିଏସ୍‌ଏନ୍‌ଏଲ ଅଧିକାରୀ ନାଁରେ ଫୋନ୍‌ କଲ୍ ଆସିଥିଲା। ଠକ ତଥା ନକଲି ବିଏସ୍‌ଏନ୍‌ଏଲ୍‌ ଅଧିକାରୀଙ୍କୁ ବୁଝିନପାରି ଡ. ଜେନା ତା’ ନିର୍ଦ୍ଦେଶାନୁସାରେ ତାଙ୍କ ମୋବାଇଲରେ ଦୁଇଟି ଆପ୍ଲିକେସନ୍ ଡାଉନ୍‌ଲୋଡ୍ କରିଥିଲେ ଓ ଠକ ଦେଇଥିବା ଏକ ଆକାଉଣ୍ଟରେ ୧୦ ଟଙ୍କା ଜମା କରିଥିଲେ। ପରେ ପରେ ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୯୯ ହଜାର ୯୯୬ ଟଙ୍କା ଗାଏବ୍‌ ହୋଇଯାଇଥିଲା। ଏନେଇ ସେ କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଅଭିଯୋଗ କରିଥିଲେ। ସାଇବର୍ ଥାନା ଆଇଆଇସି ଚନ୍ଦ୍ରିକା ସ୍ବାଇଁ ତଦନ୍ତ ଆରମ୍ଭ କରି ଠକ ବ୍ୟବହାର କରିଥିବା ନମ୍ବରକୁ ଟ୍ରାକ୍ କରିଥିଲେ। ଉକ୍ତ ଫୋନ୍ କଲ୍ ବିହାରରୁ ଆସିଥିବା ସିମ୍ କାର୍ଡ ବାଲେଶ୍ବର ବସ୍ତା ଅଞ୍ଚଳର ଏକ ଟେଲିକମ୍‌ କମ୍ପାନିର ଆସିଷ୍ଟାଣ୍ଟ ମ୍ୟାନେଜର ସୁଶାନ୍ତ କୁମାର ବେହେରାର ମୋବାଇଲରୁ ଆକ୍ଟିଭ୍ ହୋଇଥିବା ଜଣାପଡ଼ିଥିଲା। ପୁଲିସ ସୁଶାନ୍ତକୁ ଧରିବା ପରେ ସାଇବର୍ ଅପରାଧ ସହିତ ସମ୍ପର୍କ ରଖିଥିବା ଏକ ବଡ଼ ନେଟ୍‌ୱର୍କ ଧରାପଡ଼ିଥିଲା। ସୁଶାନ୍ତ ବିଭିନ୍ନ ଗ୍ରାହକଙ୍କ ଅଗୋଚରରେ ସେମାନଙ୍କ ଫଟୋ ଓ ଆଧାର କାର୍ଡ ଚୋରି କରି ଏଭଳି ଏକାଧିକ ସିମ୍ ଆକ୍ଟିଭ୍ କରୁଥିଲା। ସୁଶାନ୍ତ ଶଙ୍କରକୁ ସିମ୍ ପିଛା ୯୦ରୁ ୧୦୦ ଟଙ୍କାରେ ବିକ୍ରି କରୁଥିଲା। ଶଙ୍କର ବାଲେଶ୍ବରର ଦୀପକ ଦାସକୁ ୧୪୦ରୁ ୧୫୦ ଟଙ୍କାରେ ବିକ୍ରି କରୁଥିଲା। ଦୀପକ ଏହି ସବୁ ସିମ୍ ଜାମ୍‌ତାରା ସାଇବର୍ ଅପରାଧୀଙ୍କୁ ଯୋଗାଉଥିଲା। ପୁଲିସ ସୁଶାନ୍ତ ନିକଟରୁ ୩ଟି ମୋବାଇଲ୍ ଫୋନ୍‌, ଗୋଟିଏ ଜିଓ ସିମ୍ ଆକ୍ଟିଭେସନ୍ ମୋବାଇଲ୍, ଆଗୁଆ ଆକ୍ଟିଭ ହୋଇଥିବା ୨୪୨ଟି ସିମ୍, ୬ଟି ଭିଆଇ ସିମ୍, ୩୪ଟି ବିଏସଏନଏଲ୍ ସିମ୍ ଜବତ କରିଛି। ଡିସିପି ପ୍ରତୀକ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସାଇବର୍ ଅପରାଧ ଗ୍ୟାଙ୍ଗ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେହିଭଳି ଜମ୍‌ତରା ଗ୍ୟାଙ୍ଗ୍‌କୁ ତଥ୍ୟ ବିକିବା ଅଭିଯୋଗରେ କଟକ କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନା ପୁଲିସ ମୁମ୍ବାଇର ପୂର୍ବ ଅନ୍ଧେରିରୁ ସୁନ୍ଦରମ୍ ଚରଣକୁ ଗିରଫ କରିଛି। ତାକୁ ବାନ୍ଦ୍ରା କୋର୍ଟରେ ହାଜର କରାଇବା ପରେ ୫ଦିନିଆ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଭୁବନେଶ୍ବର ଆଣି ଆଜି ଏସଡିଜେଏମ୍‌ କୋର୍ଟରେ ହାଜର କରାଇଛି। ତା’ର ବ୍ୟାଙ୍କ୍ ଆକାଉଣ୍ଟ୍ ଅଚଳ କରାଯାଇଛି। ସୁନ୍ଦରମ୍‌ର ବ୍ୟାଙ୍କ ଆକାଉଣ୍ଟକୁ ୧୭ଲକ୍ଷ ୨୯ହଜାର ୨ଶହ ଟଙ୍କା ପଠାଯାଇଥିବା ପୁଲିସ ଜାଣିବାକୁ ପାଇଛି। ସୂଚନା ଅନୁଯାୟୀ, ଗତ ୨୯ତାରିଖରେ ରାଜଧାନୀରୁ ୩ଜଣ ଜାମ୍‌ତରା ସାଇବର ଠକଙ୍କୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ୍‌ ସାଇବର ଥାନା ପୁଲିସ। ଏମାନେ ଲୋକଙ୍କ ତଥ୍ୟ ବିକ୍ରି କରୁଥିଲେ। ଜଣେ ଲୋକର ତଥ୍ୟ ପିଛା ୧୦ରୁ ୧୫ପଇସା ଦେଉଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ମୁମ୍ବାଇର ଜଣେ ଜାମ୍‌ତରା ଗ୍ୟାଙ୍ଗ୍‌ଠୁ ଆରମ୍ଭ କରି ବିଭିନ୍ନ ସାଇବର ଅପରାଧୀଙ୍କୁ ତଥ୍ୟ ବିକିଛି। ତେଣୁ ପୁଲିସ ଏହି ଆଧାରରେ ମୁମ୍ବାଇରେ ଡେରା ପକାଇଥିଲା ଓ ଗତ ୧୫ ତାରିଖରେ ତାକୁ ଡାଫୋଡିଲ ଆପାର୍ଟମେଣ୍ଟରୁ ଗିରଫ କରାଯାଇଥିଲା। ସୁନ୍ଦରମ୍ ମୁମ୍ବାଇରେ ୩୬୦ ପ୍ରା.ଲି. ନାମରେ ବିଜ୍ଞାପନ ସଂସ୍ଥା ଖୋଲି ବିଭିନ୍ନ କମ୍ପାନିର ଡିଜିଟାଲ୍ ମାର୍କେଟିଂ କରୁଥିଲା। ଯେଉଁଥିପାଇଁ ସେ ଏସ୍‌ଏମ୍‌ଏସ୍, ଇମେଲ୍, ହ୍ବାଟ୍ସଆପ୍, ଫେସବୁକ୍ ଭଳି ସାମାଜିକ ଗଣମାଧ୍ୟମରେ କମ୍ପାନିର ପ୍ରମୋଟ୍ କରାଉଥିଲା। ଯେଉଁଥିରେ ଜଷ୍ଟ୍ ଡାଏଲ୍, ଇଣ୍ଡିଆ ମାର୍ଟ, ସୁଲେଖା, ଟେଡ୍ ଇଣ୍ଡିଆ ଭଳି ସଂସ୍ଥାର ପ୍ରମୋସନ୍ କରାଇଥିଲା। ଏହାରି ଭିତରେ ସେ ସାଇବର୍ ଠକଙ୍କ ସଂଯୋଗରେ ଆସିଥିଲା। ସେ ପ୍ରତି ଲୋକଙ୍କର ନାଁ, ଫୋନ୍ ନମ୍ବର, ଇମେଲ୍ ଆଇଡି ସାଇବର ଠକଙ୍କୁ ଦେଉଥିଲା। ଏହିଭଳି ସେ ସାଇବର ଠକଙ୍କୁ ଟେଲିଗ୍ରାମ୍ ମାଧ୍ୟମରେ ତଥ୍ୟ ଦେଇ ଟଙ୍କା ନେଉଥିଲା। ଟଙ୍କା ନେବା ପାଇଁ ସେ ନିଜର ବ୍ୟକ୍ତିଗତ ଏସ୍‌ବିଆଇ ବ୍ୟାଙ୍କ୍ ଆକାଉଣ୍ଟ୍ ବ୍ୟବହାର କରୁଥିବା ଜଣାପଡ଼ିଛି। ଗତ ୬ ମାସରେ ସାଇବର ଠକଙ୍କ ପାଖରୁ ପ୍ରାୟ ୧୭ଲକ୍ଷ ୨୯ହଜାର ୨ଶହ ଟଙ୍କା ନେଇଛି। ସେ ପ୍ରାୟ ଦେଢ଼କୋଟିରୁ ୨କୋଟି ଲୋକଙ୍କ ତଥ୍ୟ ବିକ୍ରି କରିଛି ବୋଲି ସାଇବର ଥାନା ଜାଣିବାକୁ ପାଇଛି। ସେ ୨୦୧୭ ମସିହାରୁ ଏହିଭଳି ତଥ୍ୟ ସାଇବର ଠକଙ୍କୁ ବିକ୍ରି କରୁଥିଲା। ତେଣୁ ପ୍ରତିବର୍ଷ କୋଟି କୋଟି ଲୋକଙ୍କ ତଥ୍ୟ ବିକି ସୁନ୍ଦରମ୍ ବର୍ଷକୁ ପ୍ରାୟ ୫୦ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଥିବା ସୂତ୍ରରୁ ଜଣାପଡ଼ିଛି। ତେଣୁ ସୁନ୍ଦରମ୍ ସହ ଲିଙ୍କ୍‌ରେ ଥିବା ସବୁ ସାଇବର ଠକଙ୍କୁ ଧରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ୍ ଏବେ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର