ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି: ଲାଗିଲାନି ଦର ତାଲିକା, ଲୁଟୁଛନ୍ତି ଦଲାଲ

ମାନୁନାହାନ୍ତି କଟକଣା, କୋଇଲି ବୈକୁଣ୍ଠରେ ହେଉଛି ବିକ୍ରି

ପୁରୀ : ମହାପ୍ରଭୁଙ୍କ ମହାପ୍ରସାଦର ଦର ନିର୍ଦ୍ଧାରଣ ହେବ। ଭକ୍ତ ଶୋଷଣରୁ ମୁକ୍ତ ହେବେ। ମହାପ୍ରସାଦର ଦର ଆନନ୍ଦବଜାର ଓ ଅନ୍ୟ ସ୍ଥାନରେ ଲାଗିବ। ୪ ବର୍ଷ ତଳେ ଏଭଳି ସ୍ବପ୍ନ ଦେଖାଇ ବାହାବା ନେଇଥିଲେ ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ସ୍ବତନ୍ତ୍ର ଭାବେ ମହାପ୍ରସାଦ ପ୍ରସ୍ତୁତ ହେଲା। ଭକ୍ତଙ୍କ ସହ ବିଭିନ୍ନ ମହଲରୁ ବି ଏଭଳି ପଦକ୍ଷେପକୁ ସ୍ବାଗତ କରାଗଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଇତିମଧ୍ୟରେ ୩ଜଣ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳି ସାରିଲେଣି, ୪ ବର୍ଷ ବି ଅତିକ୍ରାନ୍ତ କରି ସାରିଲାଣି, ତଥାପି ମହାପ୍ରସାଦ ଦର ନିର୍ଦ୍ଧାରଣ ହୋଇ ପାରିନାହିଁ। ଯେଉଁଥିପାଇଁ ପ୍ରତିଦିନ ମହାପ୍ରସାଦ କିଣିବା ବେଳେ ଭକ୍ତ ଶୋଷଣର ଶିକାର ହେଉଛନ୍ତି। ଏହାର ସୁଯୋଗ ନେଇ ଶ୍ରୀମନ୍ଦିରରେ ଦଲାଲଙ୍କ ସଂଖ୍ୟା ବି ବଢ଼ିଗଲାଣି। ଯାହାକୁ ସେବାୟତମାନେ ବି ବିରୋଧ କରିବା ଆରମ୍ଭ କଲେଣି।

ସେପଟେ ଆନନ୍ଦବଜାର ବ୍ୟବସ୍ଥିତ କରିବାକୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ ବି ଏହି ଆଦେଶ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣଭାବେ କାର୍ଯ୍ୟକାରୀ ହୋଇପାରିନି। ଏବେ ବି ଆନନ୍ଦବଜାରରେ ପାଲ ବନ୍ଧା ହେଉଥିବାବେଳେ କୋଇଲି ବୈକୁଣ୍ଠ ଓ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ମହାପ୍ରସାଦ ବିକ୍ରି ହେଉଛି। ପୂର୍ବରୁ ୫୦ ଟଙ୍କା ଦେଲେ ଜଣେ ଭକ୍ତ ପେଟପୂରା ଅନ୍ନ, ଡାଲି, ବେସର, ମହୁର ଆଦି ଖାଇ ଶ୍ରୀମନ୍ଦିରରୁ ଫେରୁଥିଲା। ଏବେ ଦେଢ଼ଶହ ଟଙ୍କା ଦେଲେ ବି ଜଣେ ଭକ୍ତ ପେଟ ପୂରା ମହାପ୍ରସାଦ ଖାଇପାରୁନି। ସେପଟେ ଯେଉଁ ମହାପ୍ରସାଦ କୁଡ଼ୁଆ ଭକ୍ତ ଅଢ଼େଇ ଶହ ଟଙ୍କାରେ କିଣୁଥିଲା, ତାହା ଏବେ ୭ଶହରୁ ୧୨ଶହ ଟଙ୍କା ଦେଇ କିଣୁଛି। ଏହି କଷ୍ଟଠାରୁ ବଳିଯାଇଛି ଦଲାଲଙ୍କ ଯନ୍ତ୍ରଣା। ଏବେ ଉତ୍ତର ଦ୍ବାର ଦେଇ ପ୍ରବେଶ ନ ଥିବାରୁ କେହି ମହାପ୍ରସାଦ ଆଣିବାକୁ ଗଲେ, ସିଂହଦ୍ବାର ଦେଇ ଧାଡ଼ିରେ ଯିବାକୁ ପଡ଼ୁଛି। ଏଣୁ ଉତ୍ତର ଦ୍ବାରରେ ଭକ୍ତମାନେ ମହାପ୍ରସାଦ ପାଇଁ ଅପେକ୍ଷା କରି ରହୁଛନ୍ତି। ଏହାର ସୁଯୋଗ ନେଇ କିଛି ଦଲାଲ ଯେଉଁ ମହାପ୍ରସାଦ ୫ଶହ ଟଙ୍କାରେ ଆଣୁଛନ୍ତି, ତାକୁ ୮ଶହରୁ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି। ଏମାନେ ସୁଆର ସେବକ ହୋଇନଥିଲେ ବି ଉତ୍ତର ଦ୍ବାରରେ ଥିବା ଜେଟିପି, ପୁଲିସଙ୍କୁ ହାତ କରି ‌ସେବକ ବେଶରେ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି। ଏଥିପାଇଁ ଜେଟିପି, ପୁଲିସଙ୍କୁ ବି ଏମାନେ ଟଙ୍କା ଦେଉଥିବା ଗୁରୁତର ଅଭିଯୋଗ ହୋଇଛି। ତଥାପି ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

Quora

ସେପଟେ କୋଇଲି ବୈକୁଣ୍ଠରେ ମହାପ୍ରସାଦ ବିକ୍ରି ନିଷେଧ ଥିବାବେଳେ ୩ରୁ ଅଧିକ ସୁଆର ଏଠାରେ ମହାପ୍ରସାଦ ବିକ୍ରି କରି ନିୟମ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଅନ୍ୟ ସୁଆର ସେବକମାନେ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନକୁ ଅଭିଯୋଗ କରି ଆସୁଥିଲେ ବି କେହି ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଫଳରେ ଏଭଳି ବେନିୟମ କାର୍ଯ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦରଦାମ ଚୂଡ଼ାନ୍ତ ପାଇଁ ସ୍ବତନ୍ତ୍ର ଭାବେ ଚାଉଳ, ଡାଲି, ଘିଅ, ପନିପରିବା ଆଦି ଦେଇ କୋଠଭୋଗରେ ଶ୍ରୀମନ୍ଦିର ପ୍ରଶାସନ ଅବଢ଼ା ପ୍ରସ୍ତୁତ କଲା। ସବୁର ହିସାବ ପରେ ଦର ଚୂଡ଼ାନ୍ତ ହେଲା। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ନେତୃତ୍ବରେ ଏହାର ତର୍ଜମା ପାଇଁ ସ୍ବତନ୍ତ୍ର କମିଟି ବି ଗଠନ ହେଲା। କିନ୍ତୁ ୪ ବର୍ଷ ପରେ ବି ଏହି ଦର ତାଲିକା ସାର୍ବଜନୀନ ହୋଇପାରିଲାନି। ଯାହା ଦୁର୍ଭାଗ୍ୟଜନକ ବୋଲି ଭକ୍ତମାନେ କହିଛନ୍ତି। ଏଣୁ ଭକ୍ତଙ୍କୁ ଏହି ଶୋଷଣରୁ ରୋକିବା ପାଇଁ ଦର ତାଲିକା ଲଗାଇବା ସହ କୋଇଲି ବୈକୁଣ୍ଠରେ ମହାପ୍ରସାଦ ବିକ୍ରି ବନ୍ଦ କରିବା ଓ ମହାପ୍ରସାଦକୁ ନେଇ ଦଲାଲି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର