‘ଅନୁଭୂତିରୁ ସୃଷ୍ଟ ସାହିତ୍ୟ ପାଠକଙ୍କୁ ମୁଗ୍ଧ କରେ’

ସାଲେପୁର କଲେଜରେ ଆଲୋଚନାଚକ୍ର

ସାଲେପୁର : ଶବ୍ଦ ଏକ ଶକ୍ତିଶାଳୀ ମାଧ୍ୟମ। ଶବ୍ଦ କେତେବେଳେ ମହୌଷଧି ଭଳି ଉପଶମ ଆଣିଥାଏ ତ, ପୁଣି କେବେ ଧ୍ୱଂସଳୀଳା ସାଧନ କରିଥାଏ। ଏଥିପାଇଁ ସାହିିତ୍ୟିକମାନେ ଶବ୍ଦ ବ୍ୟବହାର କରିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ‘ସମ୍ବାଦ’ର ସଂପାଦକ (ଫିଚର) ତଥା କଥାକାର ଡକ୍ଟର ଗୌରହରି ଦାସ କହିଛନ୍ତି। ସାଲେପୁର କଲେଜ ଓଡ଼ିଆ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ପତ୍ରପତ୍ରିକା ପ୍ରଦର୍ଶନୀ ଅବସରରେ ଆଜିି ୟୁଜିସି ପକ୍ଷରୁ ଅନୁଷ୍ଠିତ ‘ସାଂପ୍ରତିକ ଓଡ଼ିଆ ଗଳ୍ପ ଓ ଲେଖକୀୟ ଅଭିବ୍ୟକ୍ତି’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଡକ୍ଟର ଦାସ କହିଲେ ଯେ ସାହିତ୍ୟ କରୁଣା, ସହାନୁଭୂତି, ଭଲପାଇବାର ଏକ ମାର୍ମିକ ପରିପ୍ରକାଶ। ଅଂଗୀକାର ନଥିବା ସାହିତ୍ୟର କୌଣସି ପ୍ରଭାବ ନଥାଏ। ଅନୁଭୂତିରୁ ସୃଷ୍ଟ ସାହିତ୍ୟ ପାଠକଙ୍କୁ ମୁଗ୍ଧ ଓ ପ୍ରଭାବିତ କରିଥାଏ ବୋଲି କଥାକାର ଡକ୍ଟର ଦାସ କହିଥିଲେ।

ଉତ୍ସବରେ ଅଧ୍ୟକ୍ଷତା କରି ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ମହାନ୍ତି କହିଥିଲେ ଯେ ଗଳ୍ପ ସାହିତ୍ୟ ଭାବାନୁଭୂତିର ଏକ ସାର୍ଥକ ପରିପ୍ରକାଶ। ସାହିତ୍ୟର ବିକାଶ ପାଇଁ ପତ୍ରପତ୍ରିକାର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଫେସର ମହାନ୍ତି କହିଥିଲେ। ଓଡ଼ିଆ ବିଭାଗୀୟ ମୁଖ୍ୟ ଡକ୍ଟର ବିଜୟାନନ୍ଦ ସିଂହ ସ୍ୱାଗତ ଭାଷଣ ଦେଇ କହିଲେ ଯେ ଉତ୍କଳ ଗୌରବ ମଧୁସୂଦନଙ୍କ ମାଟିରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆଗାମୀ ପିଢ଼ିଙ୍କୁ ସାହିତ୍ୟ ପ୍ରତି ପ୍ରେରଣା ଯୋଗାଇବ। କାର୍ଯ୍ୟକ୍ରମରେ ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଡକ୍ଟର ପ୍ରଭାତ କିଶୋର ନାୟକ, ଡକ୍ଟର ଜୟଶ୍ରୀ ନନ୍ଦ, ବୈଶାଖୀ ପ୍ରିୟଦର୍ଶିନୀ, ସସ୍ମିତା ଦାସ, ସରୋଜ ଶତପଥୀ, ପ୍ରଫେସର ଜ୍ୟୋତ୍ସ୍ନାରାଣୀ ରଥ, ଡକ୍ଟର ସୁଷମାରାଣୀ କର ପତ୍ରପତ୍ରିକାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରୀ ମୋନାଲିକା ସାହୁ, ରାନୁ ସାହୁ, ବିପିନ କୁମାର ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଡକ୍ଟର ପ୍ରଭାତ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଦର୍ଶନୀରେ ୭୫ଟି ପୂଜା ପତ୍ରିକା ସ୍ଥାନ ପାଇଥିଲା।

ସମ୍ବନ୍ଧିତ ଖବର