ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଏତଲାକାରୀଙ୍କ ସାକ୍ଷ୍ୟ ଗ୍ରହଣ

କଟକ : ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ମୃତ ନାବାଳିକାଙ୍କ ଜେଜେ ତଥା ଏତଲାକାରୀ ମାସୁଦ ଅହମ୍ମଦ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। କଟକ ତୃତୀୟ ଅତିରିକ୍ତ ଦୌରାଜଜ୍‌ ଆନନ୍ଦ ନାରାୟଣ ମହାରଣାଙ୍କ ଇଜିଲାସରେ ମାମଲାର ଶୁଣାଣି ସମୟରେ ନମାଜ ପାଠ କରି ଫେରିବା ପରେ ନିଖୋଜ ଥିବା ନାବାଳିକାକୁ ଖୋଜିଥିଲେ ଓ ପରବର୍ତ୍ତୀ ସମୟରେ ନାବାଳିକା ଗୁରୁତର ଅବସ୍ଥାରେ ପଡିଥିବା ଜାଣିବାକୁ ପାଇଥିଲେ ବୋଲି ମାସୁଦ ବୟାନରେ କହିଥିଲେ। ସେ ପୁଲିସ ନିକଟରେ ଘଟଣା ନେଇ ଏତଲା ଦେଇଥିବା କଥା କହିଥିଲେ। ଏଥିସହିତ ନିଖୋଜ ହେବା ପୂର୍ବରୁ ନାବାଳିକାକୁ ଶେଷ ଥର ଦେଖିଥିବା ସେକ୍‌ ଇମତିଆଜ୍‌ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ ୫ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇସାରିଛି। ପୂର୍ବରୁ ପ୍ରଥମେ ପୀଡିତା ନାବାଳିକାଙ୍କ ଚିକିତ୍ସା କରିଥିବା ସାଲେପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏସ୍‌.ଯାଜୋଡିଆ, ଶବବ୍ୟବଚ୍ଛେଦ କରିଥିବା ଏସସିବି ମେଡିକାଲର ଡାକ୍ତର ଅମରେନ୍ଦ୍ର ନାୟକ ଓ ଏସସିବି ମେଡ଼ିକାଲ କଲେଜ ଏଫଏମଟି ବିଭାଗ ଡାକ୍ତର ଆର. ସ୍ୱାଇଁ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରି ସାରିଛନ୍ତି। ଜୁନ୍‌ ୧୮ ଓ ୧୯ ତାରିଖ ଦୁଇ ଦିନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏହି ମାମଲାରେ ପ୍ରସିକ୍ୟୁସନ୍‌ ପକ୍ଷରୁ ୪୬ ଜଣ ସାକ୍ଷୀଙ୍କ ତାଲିକା ଚାର୍ଜସିଟ୍‌ ସହିତ ଦାଖଲ କରାଯାଇଛି। ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ଅକ୍ଷୟ କୁମାର ନାୟକ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୮, ଏପ୍ରିଲ ୨୧ ତାରିଖ ରାତିରେ ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଫୋଗଳ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୬ ବର୍ଷର ଶିଶୁ କନ୍ୟାଙ୍କ ସହିତ ଦୁଷ୍କର୍ମ ହୋଇଥିଲା। ଚିକିତ୍ସିତ ଅବସ୍ଥାରେ ଏପ୍ରିଲ୨୯ ତାରିଖରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସାଲେପୁର ଥାନା ପୁଲିସ ଭାରତୀୟ ପିଙ୍ଗଳ ଆଇନର ଦଫା ୩୭୬(ଏ),(ବି), ୩୦୨, ୩୬୩ ଏବଂ ପୋକ୍ସ ଆଇନର ଧାରା ୬ ଅନୁଯାୟୀ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମେ’ ୧୧ରେ ଅଦାଲତରେ ଏହି ମାମଲାର ଚର୍ଜସିଟ ଦାଖଲ ହୋଇଥିଲା। ୫୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ହୋଇଥିଲା। ମାମଲା ରୁଜୁ ହେବାର ମାତ୍ର ୨୧ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା।

ସମ୍ବନ୍ଧିତ ଖବର