ସାଲେପୁର ବିଧାୟକ ପ୍ରକାଶ ମିଶିଲେ ବିଜେପିରେ

ଭୁବନେଶ୍ବର/ନୂ୍ଆଦିଲ୍ଲୀ : ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା କଂଗ୍ରେସ ଛାଡ଼ିବାର ଦିନକ ପରେ ଆଜି ବିଜେପିରେ ମିଶିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କେ. ଭି ସିଂହଦେଓଙ୍କ ଉପସ୍ଥିତିରେ ପ୍ରକାଶ ବିଜେପିରେ ଯୋଗଦେଇଛନ୍ତି। ଏହାପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାରେ ଆକର୍ଷିତ ହୋଇ ସେ ବିଜେପି‌େର ଯୋଗ ଦେଇଛନ୍ତି ବୋଲି ପ୍ରକାଶ କହିଛନ୍ତି। ଆଗାମୀ ଦିନରେ ବିଜେପି ନେତୃତ୍ବରେ ଓଡ଼ିଶାର ବିକାଶ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।

ପ୍ରକାଶଙ୍କୁ ବିଜେପିକୁ ସ୍ବାଗତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କଂଗ୍ରେସର ଯୁବନେତା ଶ୍ରୀ ବେହେରା ଓଡ଼ିଶା ପ୍ରଦେଶ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। କଟକ ଭଳି ମହତ୍ତ୍ବପୂର୍ଣ୍ଣ ରାଜନୈତିକ ଜିଲ୍ଲାରେ ସେ ଜିଲ୍ଲା ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଓଡ଼ିଶାରେ ବିଜେପିକୁ ଦୃଢ଼ କରିବା ଦିଗରେ ପ୍ରକାଶଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସମ୍ବନ୍ଧିତ ଖବର