ସାଲେପୁର ବିଧାୟକଙ୍କ ଗାଡ଼ି ଦୁର୍ଘଟଣା : ଟ୍ରକ୍‌ ଚଢ଼ାଇ ମାରିଦେବା ଉଦ୍ୟମ ଅଭିଯୋଗ

ଟାଙ୍ଗୀ : ସାଲେପୁର ବିଧାୟକଙ୍କ ପ୍ରକାଶ ଚନ୍ଦ୍ର ବେହେରାଙ୍କ କାର୍‌କୁ ଟ୍ରକ୍‌ ଧକ୍କା ଦେବା ଘଟଣା ଭିନ୍ନ ମୋଡ଼ ନେଇଛି। ଦୁର୍ଘଟଣା ଘଟାଇ ସମସ୍ତଙ୍କୁ ମାରିଦେବା ପାଇଁ ଷଡଯନ୍ତ୍ର କରାଯାଇଥିଲା ବୋଲି ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଗଲା ୨୫ ତାରିଖ ଅପରାହ୍ନରେ ଗରୁଡଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମ ଗସ୍ତକରିବା ସହ ସପନପୁର ଗ୍ରାମରେ ଏକ ବିବାହ ଉତ୍ସବରେ ଯୋଗଦେଇ ବିଧାୟକ ଫେରୁଥିବା ବେଳେ ମୁଣ୍ଡକରା ଛକରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ (ଓଡି୦୫ଏମ୍‌୦୫୬୧) ଦ୍ରୁତଗତିରେ ତାଙ୍କ କାର ଆଡକୁ ମାଡିଆସିଥିଲା। ଗାଡି ଡ୍ରାଇଭର ଅବଦୁଲ ରହିମ୍‌ (କାଲା) ବିଧାୟକଙ୍କ କାର୍‌ (ଓଡି୦୫ଏମ୍‌୦୦୦୭)କୁ ବାମପଟକୁ ନେଇଯାଇଥିଲେ। ତଥାପି ଟ୍ରକ୍‌ଟି ବିଧାୟକଙ୍କ କାର୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବିଧାୟକଙ୍କ କାର୍‌ର ସମ୍ମୁଖଭାଗ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଗାଡିର ବେଲୁନ୍‌ ଖୋଲିଯିବାରୁ ବିଧାୟକ ଓ ଡ୍ରାଇଭର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।

ଗାଡିରେ ବିଧାୟକ, ଡ୍ରାଇଭର ଓ ବିଧାୟକଙ୍କ ପିଏସ୍‌ଓ ଥିଲେ। ତେବେ ବିଧାୟକଙ୍କ ଗାଡିପଛରେ ବାଇ୍‌କରେ ଆସୁଥିବା ଦଳୀୟକର୍ମୀ ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରକୁ କାବୁ କରିଥିବା ବେଳେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚ ଦୁର୍ଘଟଣାଗ୍ରସ୍ତ କାର, ଟ୍ରକ ଓ ଟ୍ରକ ଡ୍ରାଇଭର ସପନପୁର ଗ୍ରାମର ଜିତେନ୍ଦ୍ର ପ୍ରଧାନଙ୍କୁ ଥାନାକୁ ଆଣିଥିଲା। ପରେ ବିଧାୟକ ଅନ୍ୟ ଏକ ଗାଡିରେ ସେଠାରୁ ବାହାରିଯାଇଥିଲେ। ଏନେଇ କାର୍‌ ଡ୍ରାଇଭର ଅବଦୁଲ ରହିମ୍‌ ଟାଙ୍ଗୀ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ବିଧାୟକଙ୍କ ସମେତ କାରରେ ଥିବା ସମସ୍ତ ଦଳୀୟ କର୍ମୀଙ୍କୁ ମାରିଦେବା ପାଇଁ ଷଡଯନ୍ତ୍ର କରାଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି।

ଦୁର୍ଘଟଣାଗ୍ରସ୍ତ ଟ୍ରକଟି ମଙ୍ଗୁଳି ଅଞ୍ଚଳର ପପୁ ଶୁକ୍ଳାଙ୍କର ବୋଲି ଜଣାପଡିଛି। କିଛିଦିନ ତଳେ ଟାଙ୍ଗୀ ଅଞ୍ଚଳରେ ହୋଇଥିବା ଏକ ଗୁଳିକାଣ୍ଡ ଘଟଣାରେ ସେ ସାକ୍ଷୀ ଥିଲେ। ପୁଲିସ ଘଟଣାର ଅଧିକ ଛାନ୍‌ଭିନ କରୁଥିବାବେଳେ ଏହା ଏକ ସୁପରିକଳ୍ପିତ ଘଟଣା ବୋଲି ବିଧାୟକଙ୍କ ସମର୍ଥକ ଓ ଦଳୀୟକର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ତଦନ୍ତ ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ବିଧାୟକ ଶ୍ରୀ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର