କଂଗ୍ରେସ, ବିଜେଡି, ବିଜେପିକୁ ନେଇ ଚାଲିଛି ଖେଳ : ପ୍ରକାଶଙ୍କୁ କିଭଳି ଗ୍ରହଣ କରିବେ ସାଲେପୁରବାସୀ?

କଟକ : ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ ହାବଭାବକୁ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି ଭୋଟର। ପ୍ରକାଶ କଂଗ୍ରେସରେ ରହିବେ, ବିଜେଡି ନା ବିଜେପିକୁ ଯିବେ, ତାହାକୁ ନେଇ ଯେଭଳି ପ୍ରହେଳିକା ସୃଷ୍ଟି କରିଛନ୍ତି, ତାହାକୁ ନେଇ ତିନିଟି ଯାକ ପ୍ରମୁଖ ଦଳର ସ୍ଥାନୀୟ ନେତା ଓ କର୍ମୀମାନେ ବି ଧିରେଧିରେ ବୀତସ୍ପୃହ ହେବାରେ ଲାଗିଲେଣି। ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲେ ବି ପ୍ରକାଶଙ୍କୁ ନେଇ କଂଗ୍ରେସ, ବିଜେଡି, ବିଜେପିର ଦ୍ବନ୍ଦ୍ବ ବିଭିନ୍ନ ମହଲରେ ଅସନ୍ତୋଷର କାରଣ ହୋଇଛି। ଆଗକୁ କର୍ମୀ ଓ ସାଧାରଣ ଭୋଟର ଏହାକୁ କିଭଳି ଗ୍ରହଣ କରିବେ, ତାହାକୁ ନେଇ ବି ଆଶଙ୍କା ଓ ଆଲୋଚନା ଜାରି ରହିଛି।

କଟକ ଜିଲ୍ଲାର ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକମାତ୍ର ନିର୍ବାଚନ ମଣ୍ଡଳୀ ଭାବେ ସାଲେପୁର ୨୦୧୪ରେ କଂଗ୍ରେସ ଖାତାକୁ ଯାଇଥିଲା। ବିଜୟ ବ୍ୟବଧାନ କମ ଥିଲେ ବି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ପରାସ୍ତ କରି ନିଜର ପ୍ରଭାବ ଆଉ ପତିଆରା ଦେଖାଇବାରେ ପ୍ରକାଶ ସଫଳ ହୋଇଥିଲେ। ନିର୍ବାଚନରେ ବିଜେଡି ସପକ୍ଷରେ ହାୱା ଥାଇ ବି କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରକାଶଙ୍କ ବିଜୟ ତାଙ୍କ ପତିଆରା ବୃଦ୍ଧିରେ ସହାୟକ ହୋଇଥିଲା। କିନ୍ତୁ କାର୍ଯ୍ୟକାଳର ଶେଷ ଦୁଇ ବର୍ଷ, ବିଶେଷକରି ୨୦୧୭-୧୮ ପରଠାରୁ ପ୍ରକାଶଙ୍କ ହାବଭାବ ପୁଣି ଥରେ ତାଙ୍କୁ ରାଜନୀତିରେ ଚର୍ଚ୍ଚାକୁ ଆଣିଥିଲା।

ପ୍ରକାଶ ବିଭିନ୍ନ କାର୍ଯ୍ୟକ୍ରମରେ, ନିଜ ପୋଷ୍ଟର ବ୍ୟାନରରେ ଅନ୍ୟ କଂଗ୍ରେସ ନେତା ଅଥବା କଂଗ୍ରେସ ପତାକା ବ୍ୟବହାର କରି ନଥିଲେ। ପ୍ରକାଶ କେବଳ ନିଜ ଫଟୋ ବ୍ୟବହାର କରି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପ୍ରକାଶଙ୍କ କାର୍ଯ୍ୟକ୍ରମରେ କେତେକ ସ୍ଥାନୀୟ କଂଗ୍ରେସ ନେତାଙ୍କୁ ବାଦ ଦେଲେ ଜିଲ୍ଲା ଅଥବା ରାଜ୍ୟ ନେତାଙ୍କୁ ଦେଖିବାକୁ ମିଳି ନଥିଲା। ଏଭଳି ସ୍ଥିତିରେ ପ୍ରକାଶ ବିଜେଡିକୁ ଡେଉଁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ପ୍ରକାଶ ବି ଏହି ହାୱାକୁ ଶକ୍ତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ତାଙ୍କର ଫଟୋ, ସ୍ବାଗତ ତୋରଣରେ ବିଜେଡି ପତାକାର ରଂଗ ଦେଖା ଦେବା ଘଟଣାରୁ ପ୍ରକାଶ ଖୁବଶୀଘ୍ର ବିଜେଡିରେ ଯୋଗ ଦେବେ ବୋଲି ସାଲେପୁରବାସୀ ଧରି ନେଇଥିଲେ। କିନ୍ତୁ ଏଭଳି ସ୍ଥିତିରେ ବି କଂଗ୍ରେସ ଟିକଟ ପାଇଁ ସାଲେପୁରରୁ ପ୍ରକାଶଙ୍କ ନାମ ଆଗରେ ରହିବା ଘଟଣା ପୁଣି ଦ୍ବନ୍ଦ୍ବ ସୃଷ୍ଟି କରିଥିଲା।

କିନ୍ତୁ ଗଲା ଦୁଇ, ତିନି ଦିନର ରାଜନୈତିକ ଗତିବିଧି ପ୍ରକାଶଙ୍କୁ ନେଇ ଅଧିକ ଦ୍ବନ୍ଦ୍ବ ସୃଷ୍ଟି କରିବାର କାରଣ ପାଲଟିଛି। ମନ୍ତ୍ରୀ ପ୍ରତାପ ଜେନା ଗୋଟିଏ ପଟେ ସାଲେପୁରର ଏକ ଦଳୀୟ କାର୍ଯ୍ୟକ୍ରମରେ ପ୍ରଶାନ୍ତ ବେହେରା ପୁଣି ଦଳର ପ୍ରାର୍ଥୀ ହେବେ ବୋଲି ଘୋଷଣା କରି ଦେଇଥିବା ବେଳେ ପ୍ରକାଶ ବିଜେପି ମୁହାଁ ହୋଇଥିବା ଚର୍ଚ୍ଚା ସାମନାକୁ ଆସିଥିଲା। ବିଜେପି ନେତୃୃବୃନ୍ଦଙ୍କ ସହ ପ୍ରକାଶଙ୍କ ଆଲୋଚନା ହୋଇଥିବା ଏବଂ ସେ ସାଲେପୁରରୁ ବିଜେପି ପ୍ରାର୍ଥୀ ହେବା ସମ୍ଭାବନାକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏହାର ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଉଥିବା କୁହାଯାଉଛି।

ପ୍ରକାଶ ‌େ‌ବହେରା ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ୬୫ ହଜାର ୯୮ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରା ୬୬ ହଜାର ୩୭୫ ଭୋଟ ପାଇ ବିଜୟୀ ହୋଇଥିଲେ। ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରକାଶ ୭୮ ହଜାର ୩୪୩ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ପାଇଥିଲେ ୭୬ ହଜାର ୨୨୬ ଖଣ୍ଡ ଭୋଟ। ରୋଚକ ତଥା ଦମଦାର ଲଢେଇର କ୍ଷେତ୍ର ଗଲା ଦୁଇଟି ନିର୍ବାଚନରେ ଦେଖାଇ ଆସିଛି ସାଲେପୁର ନିର୍ବାଚନ ମଣ୍ଡଳୀ। ତେଣୁ ଏଥର ବି ସେଭଳି ସ୍ଥିତି ହୁଏତ ପୁଣି ସୃଷ୍ଟି ହୋଇପାରେ।

କିନ୍ତୁ ବିଜେଡି ହାୱା ସତ୍ତ୍ବେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରକାଶଙ୍କୁ ଭୋଟ ଦେଇ ଜିତାଇଥିବା ସାଲେପୁରବାସୀ ପ୍ରକାଶଙ୍କୁ ଏଥର କିଭଳି ଗ୍ରହଣ କରିବେ, ତାହାକୁ ନେଇ ଆଲୋଚନା ହେଉଛି। ୨୦୧୪ ନିର୍ବାଚନରେ ବିଜେଡି ଭିତରେ ଅନ୍ତର୍ଦ୍ବନ୍ଦ୍ବ ପ୍ରକାଶଙ୍କ ବିଜୟର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଥିଲା। ପ୍ରକାଶଙ୍କୁ ଏଥର ସଦର-କଟକ ଆସନରୁ ବିଜେଡି ଟିକେଟ ଦେଇ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କୁ ସାଲେପୁର ଏବଂ ପ୍ରଶାନ୍ତ ବେହେରାଙ୍କୁ ଅନ୍ୟ କେଉଁଠୁ ସୁଯୋଗ ଦେବାକୁ ନେଇ ଆକଳନ ଚାଲିଥିଲା। କିନ୍ତୁ ପ୍ରତାପ ଜେନା ସାଲେପୁରରୁ ପ୍ରଶାନ୍ତଙ୍କ ପ୍ରାର୍ଥିତ୍ବ ଘୋଷଣା କରି ଦେବା ପରେ ଏବେ ପ୍ରକାଶଙ୍କ ଗତିବିଧି ଏବଂ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମକୁ ନେଇ ପୁଣି ଥରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ସାଲେପୁର ଆସନ ପାଇଁ ଦୀର୍ଘ ଦିନରୁ ଆଶାୟୀ ହୋଇ ରହିଛନ୍ତି। ବିଜେପି ତାଲିକାରେ ବି ଅନ୍ୟ ଏକାଧିକ ଆଶାୟୀ ରହିଛନ୍ତି। ତେଣୁ ପ୍ରକାଶଙ୍କ ପ୍ରାର୍ଥିତ୍ବକୁ ସେଠାରେ ବିଜେପିକର୍ମୀ ଓ ସ୍ଥାନୀୟ ନେତା କିଭଳି ଗ୍ରହଣ କରିବେ, ତାହାକୁ ନେଇ ପୁଣିଥରେ ଅଙ୍କକଷା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର