ଜିଏସ୍‌ଟି ଯୋଗୁଁ କେନ୍ଦୁପତ୍ର ବିକ୍ରି ପ୍ରଭାବିତ

ଝାରସୁଗୁଡ଼ା : କେନ୍ଦୁପତ୍ର ଏକଦା ରାଜସ୍ବର ସିଂହଭାଗ ତୁଲାଉଥିଲା। କେନ୍ଦୁପତ୍ର ଲାଭାଂଶରୁ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ କରାଯାଉଥିଲା। ଝାରସୁଗୁଡ଼ା ଜିଲ୍ଲାରେ ଉତ୍ପାଦିତ କେନ୍ଦୁପତ୍ରର ରାଜ୍ୟ ବାହାରେ ଢେର ଚାହିଦା ରହିଥିଲା। ମାତ୍ର ସମୟଚକ୍ରରେ ଏବେ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଉଥିବା ବେଳେ ଏହାର ଗୁଣାତ୍ମକ ମାନ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। କେନ୍ଦୁପତ୍ରକୁ ନେଇ ଜୀବନ ଜୀବିକା ଚଳାଉଥିବା ହଜାର ହଜାର ତୋଳାଳି, ବନ୍ଧାଳି ଓ କର୍ମଚାରୀ କେନ୍ଦୁପତ୍ର ବିକ୍ରିରେ ମାନ୍ଦାବସ୍ଥା ଯୋଗୁଁ  ତାଙ୍କ ଜୀବିକା ଏବେ ପ୍ରଭାବିତ ହେଉଥିବା ଦେଖା ଯାଉଛି। କେନ୍ଦୁପତ୍ର ଉପରେ ଜିଏସ୍‌ଟି ମାଡ଼ ସାରା ପ୍ରକ୍ରିୟାକୁ କ୍ଷତିଗ୍ରସ୍ତ କରିଥିବା ଅଭିଯୋଗ ହୋଇଛି।

କେନ୍ଦୁପତ୍ର ଉପରେ ସରକାର ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିଛନ୍ତି। କେନ୍ଦୁପତ୍ର କଞ୍ଚାମାଲ ସଂଗ୍ରହ ଉପରେ ଏବଂ ସେଥିରୁ ପ୍ରସ୍ତୁତ ବିଡ଼ି ଉପରେ ପୁଣି ୨୮ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଉଛି। ଏହା ଉପରେ ପୁଣି ୫ ପ୍ରତିଶତ ପରିବହନ ଟିକସ୍‌ ଆଦାୟ କରାଯାଉଛି। କେନ୍ଦୁପତ୍ର ଲାଭାଂଶ ଉପରେ ସରକାର କିଛି ନେଉ ନଥିବା ବେଳେ ଲାଭର କିଛି ଅଂଶ କାର୍ଯ୍ୟରତ ତୋଳାଳି, ବନ୍ଧାଳି ଓ ଋତୁକାଳୀନ କର୍ମଚାରୀଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ କରିଥାନ୍ତି। ୨୦୦୭ ମସିହାରେ ଜଙ୍ଗଲ ଅଧିକାର ଓ ପେସା ଆଇନ ଅନୁଯାୟୀ ରାଜ୍ୟ ସରକାର ଏହାର ସର୍ବମୟ କର୍ତ୍ତା ନହୋଇ ବିଭିନ୍ନ ବର୍ଗର ପ୍ରତିନିଧି, ଶ୍ରମିକ ପ୍ରତିନିଧି, ପଞ୍ଚାୟତ ପ୍ରତିନିଧି ଓ ସଂଘର ପ୍ରତିନିଧିଙ୍କୁ ନେଇ ବିଭିନ୍ନ ସମୟରେ ଆଲୋଚନା କରାଯାଇ ଆସୁଛି।

ଝାରସୁଗୁଡ଼ାରେ ଦ୍ରୁତ ଶିଳ୍ପାୟନ ଫଳରେ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଇଥିବା ବେଳେ ପ୍ରତିବର୍ଷ ଉତ୍ପାଦନ ସମୟରେ କିଛିନା କିଛି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଛି। ଫଳରେ  ଶହ ଶହ ବସ୍ତା କେନ୍ଦୁପତ୍ର ବିକ୍ରି ନହୋଇ ପଡ଼ି ରହୁଛି। ବର୍ଷା, କୁଆପଥର ମାଡ଼ ସହିତ କରୋନା ମହାମାରୀ କେନ୍ଦୁପତ୍ର ବ୍ୟବସାୟକୁ ଆହୁରି କ୍ଷତିଗ୍ରସ୍ତ କରିଛି। ଅନ୍ୟପଟେ ଅତ୍ୟାଧିକ ଜିଏସ୍‌ଟି ଓ ଟିକସ ଯୋଗୁଁ ବ୍ୟବସାୟୀ କେନ୍ଦୁପତ୍ର କ୍ରୟ କରିବାକୁ ମନବଳାଉ ନାହାନ୍ତି। ଏହାର ପ୍ରଭାବ ସିଧାସଳଖ କେନ୍ଦୁପତ୍ର ତୋଳାଳି ଓ ଅନ୍ୟ ଶ୍ରମିକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଛି। ଏହି ସମସ୍ୟାକୁ ନେଇ କେନ୍ଦୁପତ୍ର ତୋଳଳି, ବନ୍ଧାଳି ଓ କର୍ମଚାରୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ସେମାନେ କଳାବ୍ୟାଜ୍‌ ପରିଧାନ ସହିତ ପ୍ରତି ଫଡ଼ିରେ ଦସ୍ତଖତ ଅଭିଯାନ ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ଉପରେ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ଚାପ ସୃଷ୍ଟି କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର