ଭୁବନେଶ୍ୱର: ବୁଧବାର କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍ ଦ୍ୱିତୀୟ ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ ବଲିଉଡ୍ ସୁପରଷ୍ଟାର ତଥା ଦବଙ୍ଗ ଖାନ୍ ସଲମାନ୍ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ସଲମାନ୍ଙ୍କର ଗୋଟିଏ ଝଲକ ପାଇବା ପାଇଁ ବିମାନ ବନ୍ଦର ଓ ରାସ୍ତାରେ ତାଙ୍କର ଫ୍ୟାନମାନଙ୍କର ପ୍ରବଳ ଭିଡ ଜମି ରହିଛି। ସଲମାନ୍ ସଡ଼କ ପଥରେ ଭୁବନେଶ୍ୱରରୁ କଟକ ବାରବାଟୀ ଷ୍ଟାଡିୟମ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
ତେବେ ସଲମାନ୍ ଆଜି ନିଜ ଟୁଇଟ୍ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ୍ କରି କହିଛନ୍ତି ଯେ, ମୁଁ ସଲମାନ୍ ଖାନ୍। ବିଶ୍ୱକପ୍ ହକି ପାଇଁ କଟକର ବାରବାଟୀ ଷ୍ଟାଡିୟମ ଆସୁଛି। ସେଠାରେ ଆପଣଙ୍କ ସହ ଦେଖାହେବ ବାଏ, ଟେକ୍ କେୟାର। ଏହାସହ ଟୁଇଟ୍ କରିଛନ୍ତି ଯେ, ମିଲେନିୟମ ସିଟି କଟକରେ ଆୟୋଜିତ ହକି ପୁରୁଷ ବିଶ୍ୱକପ୍ ସେଲିବ୍ରେସନ୍- ୨୦୧୮ରେ ଯୋଗଦେଉଥିବାରୁ ମୁଁ ବହୁତ ଖୁସି। ଆସନ୍ତୁ, ବିଶ୍ୱର ଶ୍ରେଷ୍ଠଙ୍କୁ ଉତ୍ସାହିତ କରି ଏହାକୁ ସ୍ମରଣୀୟ କରିବା। ଏହି କାର୍ଯ୍ୟକ୍ରମରେ ଏ.ଆର୍.ରହେମାନ୍ ସଙ୍ଗୀତ ପରିବେଷଣ କରିବେ।
ଏଥିପାଇଁ ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଗତକାଲି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଏ.ଆର୍ ରହେମାନ୍ ସଙ୍ଗୀତରେ ଦର୍ଶକ ଝୁମି ଉଠିଥିଲେ।