ସଲ୍‌ମାନ୍‌ ଖାନ୍‌ଙ୍କ ପାଉଣା ନେଇ ବିବାଦ

୧ କୋଟି ୮୯ ଲକ୍ଷ ଟଙ୍କା ନେଇଥିବା ଚର୍ଚ୍ଚା, ବିଜେପି-ବିଜେଡି ବାକ୍ ଯୁଦ୍ଧ, ସ୍ପଷ୍ଟୀକରଣ ଦେଲା ହକି ଇଣ୍ଡିଆ

ଭୁବନେଶ୍ବର : କଟକରେ ଆ‌ୟୋଜିତ ହକି ବିଶ୍ବକପ୍‌ ଉତ୍ସବରେ ଯୋଗ ଦେବା ପାଇଁ ବଲିଉଡ୍‌ ତାରକା ସଲମାନ୍ ଖାନ୍‌ ମୋଟା ଅଙ୍କର ପାରିଶ୍ରମିକ ନେଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ୧ କୋଟି ୮୯ ଲକ୍ଷ ଟଙ୍କା ନେଇଛନ୍ତି ବୋଲି କୁହାଯାଉଛି। ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଏହି ପାରିଶ୍ରମିକ ଦିଆଯାଇଥିବା ସମ୍ପର୍କିତ ଏକ ଚେକ୍ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ମାତ୍ର ୧୦ ମିନିଟ୍‌ ପାଇଁ ମଞ୍ଚରେ ଉପସ୍ଥିତ ରହି ସଲମାନ୍ ଏତେ ପରିମାଣରେ ଅର୍ଥ ନେଇଥିବାରୁ ବିଭିନ୍ନ ମହଲରେ ସମାଲୋଚନା ଦେଖିବାକୁ ମିଳୁଛି। ଏହାକୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଛି। ବିଜେପି ଓ ବିଜେଡି ପକ୍ଷରୁ ବାକ୍ ଯୁଦ୍ଧ ଚାଲିଥିଲା ବେଳେ ହକି ଇଣ୍ଡିଆ ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯାଇଛି।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଟ୍ବିଟ୍ କରି କହିଥିଲେ, ନିଜ ଆତ୍ମପ୍ରଚାର ପାଇଁ ‘ଶ୍ରେଷ୍ଠ ପ୍ରଶାସକ’ ବୋଲାଉଥିବା ନବୀନ ପଟ୍ଟନାୟକ ଏତେ ପରିମାଣର ଅର୍ଥ ସଲମାନ୍ ଖାନ୍‌ଙ୍କୁ ଦେଇଛନ୍ତି। ଏହି ୧ କୋଟି ୮୯ ଲକ୍ଷ ଟଙ୍କା ଆମ କଷ୍ଟ ଉପାର୍ଜିତ ଧନ, ଏହା ତାଙ୍କ ବାପା ସମ୍ପତ୍ତି ନୁହେଁ ଯେ ନିଜ ଭାବମୂର୍ତ୍ତି ସଜାଡ଼ିବାକୁ ଏହି ଅର୍ଥ ଦେଇଦେଲେ।

ଏହି ଟ୍ବିଟ୍‌କୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଲା ପରେ ହକି ଇଣ୍ଡିଆ ପକ୍ଷରୁ ଟ୍ବିଟ୍ କରାଯାଇ ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ଏଥିରେ କୁହାଯାଇଛି, ଭୁବନେଶ୍ବରରେ ଉଦ୍‌ଘାଟନୀ ଉତ୍ସବ ଓ କଟକରେ ଉତ୍ସବ ପାଇଁ ହକି ଇଣ୍ଡିଆର ପ୍ରାୟୋଜକମାନେ ଆର୍ଥିକ ସହାୟତା ଦେଇଥିଲେ। ଓଡ଼ିଶା ସରକାର ଏହି ଅର୍ଥ ଦେଇ ନାହାନ୍ତି। ଏହା ସହ ସହାୟତା ଯୋଗାଇଥିବା ସମସ୍ତଙ୍କୁ ହକି ଇଣ୍ଡିଆ ପକ୍ଷରୁ ଧନ୍ୟବାଦ ଦିଆଯାଇଛି।

ଲେଖାଶ୍ରୀ ଏହା ଉପରେ ପ୍ରଶ୍ନ କରିଛନ୍ତି, ଓଡ଼ିଶା ସରକାରଙ୍କ ଠାରୁ ପ୍ରା‌େୟାଜକ ଭାବେ ହକି ଇଣ୍ଡିଆ କେତେ ଅର୍ଥ ପାଇଛି, ତାହା ସର୍ବସାଧାରଣରେ ପ୍ରକାଶ କରାଯାଉ। ଏହା ସହ କେଉଁ ପ୍ରାୟୋଜକ କେତେ ଅର୍ଥ ଦେଇଛନ୍ତି, ତାହା ମଧ୍ୟ ଲୋକଙ୍କୁ ହକି ଇଣ୍ଡିଆ ଜଣାଉ। ନବୀନ ବାବୁ ଏହାକୁ ରାଜ୍ୟ ସରକାରଙ୍କର, ବିଶେଷ କରି ବିଜେଡିର କାର୍ଯ୍ୟକ୍ରମ ଭାବେ ପ୍ରଚାର କରୁଛନ୍ତି। ଓଡ଼ିଶା ରାଜକୋଷରୁ କେତେ ଅର୍ଥ ବ୍ୟୟ ହୋଇଛି, ତାହାକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ସେ ଦାବି କରିଛନ୍ତି।

ବିଜେଡି ପକ୍ଷରୁ ଏହି ପ୍ରସଙ୍ଗରେ ବିଜେପିକୁ ତୀବ୍ର ସମାଲୋଚନା କରାଯାଇଛି। ବିଜେଡି ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି, ସଲମାନ୍ ଖାନ୍‌ଙ୍କୁ ରାଜ୍ୟ ସରକାର ଅର୍ଥ ଦେବା ନେଇ ବିଜେପିର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ହକି ଇଣ୍ଡିଆ ପକ୍ଷରୁ ସଲମାନ୍‌ଙ୍କୁ ଅର୍ଥ ଦିଆଯାଇଛି ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାର ଏ ବାବଦରେ ଟଙ୍କାଟିଏ ବି ଦେଇ ନାହାନ୍ତି। ତେଣୁ ମିଛ କଥା କହି ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥିବାରୁ ଲେଖାଶ୍ରୀ ସାମନ୍ତସିଂହାର କ୍ଷମା ମାଗିବାକୁ ବିଜେଡି ଦାବି କରିଛି। ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବର ସଫଳତା ପାଇଁ ବିଜେପି ନେତାମାନେ ଈର୍ଷାନ୍ବିତ ହୋଇପଡ଼ିଛନ୍ତି। ସେଥି ପାଇଁ ସେମାନେ ଶସ୍ତା ରାଜନୀତି କରୁଛନ୍ତି ବୋଲି ବିଜେଡି କହିଛି।

ସମ୍ବନ୍ଧିତ ଖବର