ସମୁଦ୍ର ଜୁଆର ରୋକିବାକୁ ନିର୍ମାଣ ହେବ ଲୁଣାବନ୍ଧ, କେନ୍ଦ୍ରୀୟ ଟିମ୍‌ ଓ ରାଜ୍ୟ ସରକାର ଆଲୋଚନା

ଭୁବନେଶ୍ବର: ବାତ୍ୟା ଓ ସୁନାମି ପରି ପ୍ରାକୃତିକ ଦୁର୍ବିପାକ ବେଳେ ତଟବର୍ତ୍ତୀ ଅଞ୍ଚଳ ଭିତରକୁ କିପରି ସମୁଦ୍ର ଜୁଆର ମାଡ଼ି ନ ଆସିବ, ସେଥିପାଇଁ ସ୍ଥାୟୀ ପ୍ରତିକାର କରାଯିବ। ରାଜ୍ୟର ତଟବର୍ତ୍ତୀ ଅଞ୍ଚଳରେ ଉଚ୍ଚ ଲୁଣାବନ୍ଧ ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ୟାସ୍‌ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍‌ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। କହିଛନ୍ତି, ଏଣିକି ରାଜ୍ୟ ସରକାର ତଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ନିରୋଧୀ ବିଦ୍ୟୁତ ଭତ୍ତିଭୂମି ନିର୍ମାଣ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ଏ ନେଇ ଡିପିଆର୍‌ ପ୍ରସ୍ତୁତ ଚାଲିଛି। ଆସନ୍ତା ୪ରୁ ୫ ଦିନ ଭିତରେ ୟାସ୍‌ ବାତ୍ୟା କ୍ଷୟକ୍ଷତି ନେଇ କେନ୍ଦ୍ରକୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ।

ଆଜି କେନ୍ଦ୍ରୀୟ ଟିମ୍‌ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ବେଳେ କେନ୍ଦ୍ରୀୟ ଟିମ୍‌ ସଦସ୍ୟମାନେ ଦୁର୍ବଳ ଲୁଣାବନ୍ଧ ଘେରି ଯୋଗୁ ପ୍ରାୟ ପ୍ରତିବର୍ଷ ହେଉଥିବା ବାତ୍ୟାରେ ସମୁଦ୍ର ଜୁଆର ତଟବର୍ତ୍ତୀ ଅଞ୍ଚଳକୁ ମାଡ଼ିଆସୁଥିବା ନେଇ ଉଦବେଗ ପ୍ରକାଶ କରିଥିଲେ। ବୈଠକରେ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି, ୧୮୯୧ରୁ ୨୦୦୦ ମସିହା ଭିତରେ ଓଡ଼ିଶା ୯୮ଟି ବାତ୍ୟା ମୁକାବିଲା କରିଥିଲା। ଏହି ସମୟ ଭିତରେ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଗୁଜୁରାଟ, କେରଳ, କର୍ଣ୍ଣାଟକ ଆଜି ଉପକୂଳ ରାଜ୍ୟ ଯଥାକ୍ରମେ ୬୯, ୬୨, ୨୮, ୩ ଓ ୨ଟି ବାତ୍ୟାର ସମ୍ମୁଖୀନ ହୋଇଥିଲେ। ୧୯୯୯ରୁ ୨୦୨୧ ମଧ୍ୟରେ ଓଡ଼ିଶା ୮ଟି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ୟାସ୍‌ ସ୍ଥଳଭାଗ ଛୁଇଁବା ଯଥେଷ୍ଟ ପୂର୍ବରୁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ଶ୍ରୀ ଜେନା ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ପ୍ରାଥମିକ ଆକଳନ ଅନୁଯାୟୀ, ୧୧ଟି ଜିଲ୍ଲାର ୨୧୩୮ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ୧୦ ହଜାର ୬୪୪ ଗ୍ରାମ ଏବଂ ୩୦ଟି ସହରାଞ୍ଚଳର ପ୍ରାୟ ୪୨୫ଟି ଓ୍ବାର୍ଡ଼ ଏହି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରାୟ ୭୫ ଲକ୍ଷ ଲୋକ ପ୍ରଭାବିତ ହେବା ସହ ୨୬ ହଜାର ୭୮୧ ଘର ଭାଙ୍ଗିଯାଇଛି। ୬ ହଜାର ୩୪୮ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ପ୍ରାୟ ୭ ଲକ୍ଷ ୧୦ ହଜାର ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଶ୍ରୀ ଜେନା କହିଛନ୍ତି।

କେନ୍ଦ୍ରୀୟ ଟିମ୍‌ର ନେତୃତ୍ବ ନେଇଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ସୁନୀର ବର୍ଣ୍ଣଓ୍ବାଲ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ପ୍ରଶଂସନୀୟ। ରାଜ୍ୟରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଗୋଟିଏ ଟିମ୍‌ରେ ସମସ୍ତ କାମ କରିଛନ୍ତି। ଏ ନେଇ କେନ୍ଦ୍ରୀୟ ଟିମ୍‌ ସଦସ୍ୟମାନେ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳ, ସରପଞ୍ଚ, ଓ୍ବାର୍ଡ଼ମେମ୍ବର ଓ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବିପର୍ଯ୍ୟୟ ସହନଶୀଳ ରାସ୍ତା, ବିଦ୍ୟୁତ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ରାଜ୍ୟର ଉପଯୁକ୍ତ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଯୋଗୁଁ ଧନଜୀବନ ହାନିକୁ ସର୍ବନିମ୍ନ କରାଯାଇପାରିଛି। ତଥାପି କ୍ଷତିଗ୍ରସ୍ତ ଅଞ୍ଚଳରେ ସର୍ବସାଧାରଣ ସମ୍ପତ୍ତି ବ୍ୟାପକ ଭାବେ ନଷ୍ଟ ହୋଇଛି। ବାତ୍ୟା ଓ ଦୁର୍ବିପାକ ସମୟରେ ଏହି କ୍ଷତିକୁ କିପରି ଶୂନ କିମ୍ବା କମ୍‌ କରାଯାଇପାରିବ ସେ ଦୃଷ୍ଟିରୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ଆସିବାବେଳେ ପୁନରୁଦ୍ଧାର କାର୍ଯ୍ୟର ଖର୍ଚ୍ଚ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଦେଇଥିଲେ। କିନ୍ତୁ ଓଡ଼ିଶା ଗୋଟିଏ ପ୍ରାକୃତିକ ଦୁର୍ବିପାକ ପ୍ରବଣ ରାଜ୍ୟ ହୋଇଥିବାରୁ ଏଠାରେ ସ୍ଥାୟୀ ଓ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି। ବିପର୍ଯ୍ୟୟ ସହନଶୀଳ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଓ ସମୁଦ୍ର ଜୁଆର ରୋକିବା ପାଇଁ ସୁଦୃଢ଼ ଓ ଉଚ୍ଚ ଲୁଣାଘେରି ବନ୍ଧ ନିର୍ମାଣ କରାଯିବ। ଏଥିପାଇଁ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାରଙ୍କ ବିପର୍ଯ୍ୟୟ ଗାଇଡଲାଇନ୍‌ ଅନୁସାରେ ପ୍ରସ୍ତାବ ପ୍ରସ୍ତୁତ କରି ଅନୁମୋଦନ ପାଇଁ ପଠାଯିବ।

୭ ଜଣିଆ ସଦସ୍ୟ କେନ୍ଦ୍ରୀୟ ଟିମ୍‌ ଦୁଇ ଭାଗରେ ବିଭକ୍ତ ହୋଇ ବାଲେଶ୍ବର, ଭଦ୍ରକ, ମୟୂଭଞ୍ଜ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ବୁଲି ଦେଖିଥିଲେ। ଆଲୋଚନା ବେଳେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ୍‌ଙ୍କ ସମେତ ବିଭାଗୀୟ ଶାସନ ସଚିବ ଓ ପ୍ରମୁଖ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର