କଳାହାଣ୍ଡି ଜିଲ୍ଲାରେ ଲୁଣର କୃତ୍ରିମ ଅଭାବ, ପ୍ରଶାସନ ନିରବ ଦ୍ରଷ୍ଟା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଲୁଣର କୃତ୍ରିମ ଅଭାବ ଦେଖା ଦେଇଛି। ପଡୋଶୀ ଜିଲ୍ଲା ନବରଙ୍ଗପୁର ଜିଲ୍ଲାରେ ଏହି ଅଭାବ ସୃଷ୍ଟି କରିଥିବା କଳା ବେପାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର କିଛି ଦିନ ଯାଇନି କଳାହାଣ୍ଡି ଜିଲ୍ଲାରେ ଲୁଣର କୃତ୍ରିମ ଅଭାବ ଦେଖା ଦେଇଛି। ଲୁଣ ଅଭାବ ନାଁ’ରେ ବେପାରୀମାନେ ଗ୍ରାହକ ମାନଙ୍କୁ ଚଢ଼ା ଦରରେ ଲୁଣ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଖାଉଟିମାନେ ଲୁଣ ପ୍ୟାକେଟ ପାଇଁ ସହରର ଛୋଟ ବଡ଼ ଦୋକାନ ଘୁରି ବୁଲୁଥିବା ଦେଖା ଯାଇଛି। ତଥାପି ସେମାନେ ଲୁଣ ପ୍ୟାକେଟ ପାଇ ନାହାନ୍ତି।

ଏ ସମ୍ପର୍କରେ ବ୍ୟବସାୟୀ ମାନଙ୍କ ପ୍ରତିକ୍ରିୟା ନେବାରୁ ସେମାନେ କହିଥିଲେ ଯେ, ଅଯଥାରେ ଖାଉଟି ମାନେ ହି ଏହି ଅଭାବ ସୃଷ୍ଟି କରୁଛନ୍ତି। ଖାଉଟିମାନେ ଲୁଣ ମିଳିବ ନାହିଁ କହି ଜଣେ ଜଣେ ଦଶରୁ ୧୫ ପ୍ୟାକେଟ ନେଉଛନ୍ତି। ଅନ୍ୟ ପଟେ ଲକଡାଉନ ଯୋଗୁଁ ଲୁଣ ମଧ୍ୟ ଆସୁ ନାହିଁ । ଖାଉଟି ଅନାବଶ୍ୟକ ସତ୍ବେ ଅଧିକା ନେଉଥିବାରୁ ଏହି ସମସ୍ୟା ଦେଖା ଦେଇଛି। ଜିଲ୍ଲାରେ ହଠାତ ହୋଲସେଲର ଓ ଡିଲର ମାନେ ଲୁଣ ର କୃତ୍ରିମ ଅଭାବ ସୃଷ୍ଟି କରିଥିବା ଯୋଗୁଁ ଲୋକେ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି । କାଁ ଭାଁ ଦୋକାନରେ ଲୁଣ ମିଳୁଥିବା ବେଳେ ବହୁ ଦୋକାନୀ ଏବେ ଲୁଣ ବିକ୍ରି କରୁନଥିବା ଦେଖିବାକୁ ମିଳିଛି ।

ଲୁଣର କୁତ୍ରିମ ଅଭାବ ଦେଖାଯାଇଥିଲେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୋୖଣସି କାର୍ଯନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଲୁଣ ମହଜୁଦ ରଖି କୁତ୍ରିମ ଅଭାବ ସୃଷ୍ଟି କରୁଥିବା ହୋଲସେଲର ଓ ଡିଲରମାନଙ୍କ ଗୋଦାମ ଉପରେ ମଧ୍ୟ କୌଣସି ଚଢଉ ହୋଇନାହିଁ । ସେମାନଙ୍କୁ ବିଭାଗୀୟ ଅଧିକାରୀ ମାନଙ୍କ ଘଣ୍ଟଘୋଡାଇବା ନୀତି ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କୁ ପଚାରିବାରୁ ସମସ୍ତ ଯୋଗାଣ ଅଧିକାରୀଙ୍କୁ ଏହା ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି ଏବଂ ଏଥି ନିମନ୍ତେ ଏକ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଛି ବୋଲି କହିଥିଲେ । ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର