ନଦୀବନ୍ଧ ଡେଇଁ ମାଡ଼ି ଆସୁଛି ଲୁଣିପାଣି, ବାଲେଶ୍ବର ଜିଲ୍ଲାରେ ଏଥର ବି ପଡ଼ିଆ ପଡ଼ିବ ଶହଶହ ହେକ୍ଟର ଚାଷଜମି!

ଗୋଦରୀ କୋଡ଼େ ଯେତେ, ମାଡ଼େ ସେତେ ନ୍ୟାୟରେ ଚାଲିଛି କାମ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁରାଡ଼ିହା ପଞ୍ଚାୟତର ସାନଧନାଡ଼ି ଅଞ୍ଚଳ ଜଳକା ଓ ପଞ୍ଚପଡ଼ା ନଦୀ ଲୁଣିପାଣି ଦ୍ବାରା ପ୍ରଭାବିତ ହେଉଛି। ‌ଫଳରେ ଚାଷ ଉପରେ ନିର୍ଭର କରୁଥିବା ଏହି ଅଞ୍ଚଳବାସୀଙ୍କ ଜୀବିକା ଏକପ୍ରକାର ଉଜୁଡ଼ି ଯାଇଛି। ଅନେକ ପରିବାର ହାତବାନ୍ଧି ଘରେ ବସିଥିବା ବେଳେ ଆଉ କିଛି ରୋଜଗାର ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେପଟେ ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ୟାସ୍‌ ବାତ୍ୟାରେ ବାଲେଶ୍ବର ଜିଲ୍ଲାର ଉପକୂଳ ଅଞ୍ଚଳ‌ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ମୁଖ୍ୟତଃ ବାହାନଗା, ବାଲେଶ୍ବର ସଦର, ରେମୁଣା, ବାଲିଆପାଳ ଓ ଭୋଗରାଇ ବ୍ଲକରେ ହଜାର ହଜାର ହେକ୍ଟର ଚାଷଜମିରେ ସମୁଦ୍ରର ଉଚ୍ଚ ଜୁଆର ମାଡ଼ି ଯାଇଥିଲା। ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ଦୁର୍ବଳ ବନ୍ଧ ସବୁ ଭାଙ୍ଗି ‌ଆଖପାଖ ଅଞ୍ଚଳରେ ଚାଷବାସ ବ୍ୟାପକ ଭାବେ ନଷ୍ଟ ହୋଇଥିଲା। ବିଶେଷ କରି ସଦର ବ୍ଲକ କୁରାଡ଼ିହା ପଞ୍ଚାୟତର ସାନଧନାଡ଼ି ଅଞ୍ଚଳରେ ଜଳକା ଓ ପଞ୍ଚୁପଡ଼ା ନଦୀର ପାଇକନଳା ଠାରୁ ସାନଧନାଡ଼ି ଦେଇ କରଞ୍ଜନାଳ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ନଦୀବନ୍ଧ ଉଚ୍ଚ ଜୁଆରରେ ବୁଡ଼ିଯିବା ଫଳରେ ଏହି ଅଞ୍ଚଳରେ ଲୁଣିପାଣି ପଶିଥିଲା। ୟାସ ବାତ୍ୟାକୁ ଇତିମଧ୍ୟରେ ବର୍ଷେ ପୂରିଥିବା ବେଳେ ଏଯାବତ ଚାଷଜମିରୁ ଲୁଣିପାଣି ଛାଡ଼ିନି। ନଦୀବନ୍ଧ କାମ ନିମ୍ନମାନର କରାଯାଇଥିବାରୁ ପ୍ରତି ଅମାବାସ୍ୟା ଓ ପୂର୍ଣ୍ଣିମାରେ ନଦୀରେ ଜୁଆର ଆସିଲେ ବନ୍ଧ ବୁଡ଼ି ଚାଷଜମିରେ ଲୁଣିପାଣି ପଶୁଛି। ଫଳରେ ଏହି ଅଞ୍ଚଳ ଏବେ ଧାନଚାଷ ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇ ପଡ଼ିଛି। ତେଣୁ ଅଧିକାଂଶ ଚାଷୀ ଏଥର ଚାଷରୁ ବିରତ ରହିଥିବା କହିଛନ୍ତି। ବାରମ୍ବାର ଏନେଇ ସ୍ଥାନୀୟ ଲୋକପ୍ରତିନିଧି, ଜଳସେଚନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ମଧ୍ୟ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆ ଯାଇନଥିବା ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବନ୍ୟା ଓ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ସରକାର ପ୍ରା‌ଧାନ୍ୟ ଦେବା ସହ ଭବିଷ୍ୟତରେ ଯେପରି ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ଜୀବନଜୀବିକା ସୁରକ୍ଷିତ ରହିବ ସେଥିପାଇଁ ଦୀର୍ଘସୂତ୍ରୀ କାର୍ଯ୍ୟପନ୍ଥା ଆପଣାଇଥିବା କହୁଛନ୍ତି। ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ କାମ ଗୋଦରୀ କୋଡ଼େ ଯେତେ, ମାଡ଼େ ସେତେ ନ୍ୟାୟରେ ହେଉଥିବାରୁ ସମସ୍ୟା ଅଞ୍ଚଳବାସୀଙ୍କ ପିଛା ଛାଡୁନି। ୩୦୦ରୁ ଅଧିକ ପରିବାର ଏବଂ ୧୫୦୦ରୁ ଅଧିକ ଜନସଂଖ୍ୟା ଥିବା‌ ଏହି ଗାଁ ଲୋକ ସେମାନଙ୍କ ମୁଖ୍ୟ ବେଉସା ଚାଷକୁ ନେଇ ଏବେ ଚିନ୍ତାରେ ରହିଛନ୍ତି।

ଅପରପକ୍ଷରେ ଦୁର୍ବଳ ନଦୀବନ୍ଧ ସୁଦୃଢ଼ୀକରଣ କରାଯାଇଥିବା ନେଇ ଜିଲ୍ଲାସ୍ତରୀୟ ବୈଠକରେ ଅଧିକାରୀମାନେ ଯେଉଁ ଭୁଲ ତଥ୍ୟ ଦେଇ ବାହାସ୍ଫୋଟ ମାରୁଛନ୍ତି ଜିଲ୍ଲାପାଳ ତାର ସଠିକ୍‌ ଯାଞ୍ଚ୍‌ କରି ଆବ୍ୟଶକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର