ଗଣିଆ: ଗଣିଆ ବ୍ଲକ୍ ଅନ୍ତର୍ଗତ କରଡ଼ାପଡ଼ା ପଞ୍ଚାୟତ ଗୁଣ୍ତୁରୀବାରୀ ଅଙ୍ଗନବାଡ଼ି କେନ୍ଦ୍ରରେ ନିମ୍ନମାନର ଛତୁଆ ଓ ସୁଜି-ହାଲୁଆ ପ୍ୟାକେଟ୍ରେ ପୋକ ସାଲୁବାଲୁ ହୋଇଥିବାରୁ ସ୍ଥାନୀୟ ଅଭିଭାବକ ଅଙ୍ଗନବାଡ଼ି କେନ୍ଦ୍ରରେ ଅଭିଯୋଗ କରିଛନ୍ତି। ଏଠାରେ ହାଲୁଆ ପ୍ୟାକେଟକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣା ନେଇ ତାତି ଉଠିଛନ୍ତି ଅଭିଭାବକ। ଉକ୍ତ କେନ୍ଦ୍ରରେ ୯ ଜଣ କୋମଳମତି ଶିଶୁ ପାଠ ପଢ଼ୁଛନ୍ତି। କିନ୍ତୁ ପରିତାପର ବିଷୟ, ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ ସୁଷମ ଖାଦ୍ୟ ସହ ଉତ୍ତମ ପାଠପଢ଼ା ନିମନ୍ତେ ଅଙ୍ଗନବାଡ଼ି କେନ୍ଦ୍ର ତିଆରି କରିଛନ୍ତି ସତ କିନ୍ତୁ ଗୁଣ୍ତୁରୀବାରୀ କେନ୍ଦ୍ରରେ ତାହା ଫେଲ୍ ମାରିଥିବା ଦେଖିବାକୁ ମିଳିଛି। ଏହି କେନ୍ଦ୍ର ଚାରିପଟେ ବର୍ଷା ଦିନ ଆସିଲେ ପାଣି ଜମି ରହିବା ଦ୍ବାରା ପିଲାମାନେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବର୍ଷାଦିନେ ପାଣିରେ ଯିବାଆସିବା କରିବା ଦ୍ବାରା ନାନା ରୋଗରେ ଆକ୍ରାନ୍ତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ଅନେକ ଅବ୍ୟବସ୍ଥା ଭିତରେ ଏହି କେନ୍ଦ୍ରରେ ପିଲାମାନେ ପାଠ ପଢ଼ୁଛନ୍ତି। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ସ୍ଥାନୀୟ ସରପଞ୍ଚ ପ୍ରମୋଦିନୀ ସାହୁଙ୍କୁ ପଚାରିବାରୁ, ଏ ସମ୍ପର୍କରେ ଗଣିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳି ନଥିବାରୁ ସରପଞ୍ଚ ନିଜସ୍ବ ପାଣ୍ଠିରୁ ୨ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଏବଂ ଶୀଘ୍ର ଉକ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି କହିଛନ୍ତି। କିନ୍ତୁ ଉକ୍ତ କେନ୍ଦ୍ରରେ ନିମ୍ନମାନର ପୋକ ସାଲୁବାଲୁ ସୁଜି ହାଲୁଆ ଦିଆଯାଉଥିବା ନେଇ ସମନ୍ନିତ ଶିଶୁ ବିକାଶ କେନ୍ଦ୍ରର ଅଧିକାରୀ ଉଷାରାଣୀ ସାହୁଙ୍କୁ ପଚାରିବାରୁ, ମୁଁ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ତଦାରଖ କରିଆସିଛି, କୌଣସି କେନ୍ଦ୍ରରୁ ମୋ ପାଖକୁ ଅଭିଯୋଗ ଆସିନଥିଲା, କିନ୍ତୁ ଗୁଣ୍ତୁରିବାରୀ କେନ୍ଦ୍ରରୁ ଅଭିଯୋଗ ଆସିଲା ପରେ ମୁଁ ଛତୁଆ ଓ ହାଲୁଆ ଯୋଗାଉଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବି ବୋଲି କହିଛନ୍ତି। ଯଦି ଆଗାମୀ ଦିନରେ ଆମ ପିଲାମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଏ ତେବେ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲାମାନଙ୍କୁ ନ ଛାଡ଼ିବା ସହିତ କେନ୍ଦ୍ରରେ ତାଲା ପକାଇଦେବୁ ବୋଲି ଜନସାଧାରଣ ଦାବି କରିଛନ୍ତି।