ଫୁଲବାଣୀ: ନିକଟରେ ଉତ୍ତର ଭାରତର ବିଭିନ୍ନ ପାହାଡ଼ିଆ ନଦୀରେ ଜଳପ୍ରଳୟ ଯୋଗୁଁ କୋଠାବାଡ଼ି, ରାସ୍ତା ଭୁଶୁଡ଼ି ଗଲା। ନଦୀଗୁଡ଼ିକୁ ଜବରଦଖଲ କରି ନଦୀଶଯ୍ୟା ପୋତି କୋଠାବାଡ଼ି ଓ ରାସ୍ତାଘାଟ ନିର୍ମାଣ କରାଯାଉ ଥିବାରୁ ଜଳ ନିଷ୍କାସନ ପଥ ସଂକୀର୍ଣ୍ଣ ହେଉଛି । ଏହି କାରଣରୁ ପ୍ରବଳ ବର୍ଷାରେ ଜଳପ୍ରଳୟ ସୃଷ୍ଟି ହେଉଛି। ଫୁଲବାଣୀ ସହରର ଜୀବନ ରେଖା କୁହାଯାଉଥିବା ସାଲୁଙ୍କୀ ନଦୀର ଅନୁରୂପ ଅବସ୍ଥା ହୋଇଛି। ଏହି ପାହାଡ଼ିଆ ନଦୀର ଉଭୟ ପାର୍ଶ୍ବର ଶଯ୍ୟାକୁ ଜବରଦଖଲ କରି ପ୍ରଭାବଶାଳୀ ଲୋକେ ବଡ଼ବଡ଼‌ କୋଠା ନିର୍ମାଣ କରି ଚାଲିଛନ୍ତି। ଏମିତିକି ଫୁଲବାଣୀ ପୌରପାଳିକା ପକ୍ଷରୁ ନଦୀକୁ ପୋତି ତା' ଉପରେ ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି। ପ୍ରବଳ ବର୍ଷା କିମ୍ବା ବନ୍ୟା ଆସିଲେ ପ୍ରତିବର୍ଷ ଏ ରାସ୍ତା ଧୋଇଯାଏ ଏବଂ ପୌର ପ୍ରଶାସନ ପକ୍ଷରୁ ପୁନର୍ବାର ରାସ୍ତାର ମରାମତି ହୋଇଥାଏ। ସାଲୁଙ୍କୀ ନଦୀ କୂଳରେ ଫୁଲବାଣୀ ସହରର ନାରାୟଣୀ ରୋଡ୍‌, କଲେଜ ଛକ, ସାଲଙ୍କୀ ସାହି, ମାଦିକୁନ୍ଦା, ଚିଦାନନ୍ଦ ନଗର, କବରଖାନା ସାହି, ନଦୀଖଣ୍ଡିସାହି, କେନ୍ଦୁପଦର ଓ ସାର୍ତ୍ତାଗୁଡ଼ା ଆଦି ଜନବସତି ଗଢ଼ି ଉଠିଛି।

Advertisment

ନଦୀଖଣ୍ଡିସାହି, ଚିଦାନନ୍ଦ ନଗର, କବରଖାନା ସାହି ଓ କେନ୍ଦୁପଦର ଅଞ୍ଚଳରେ ସାଲୁଙ୍କୀ ନଦୀଶଯ୍ୟାକୁ ପୋତି ଅନେକ ବହୁତଳ କୋଠା ନିର୍ମାଣ ହୋଇଛି। ନଦୀଶଯ୍ୟାକୁ ଜବରଦଖଲ କରି ବେଆଇନ ନିର୍ମାଣ କରାଯାଉଥିଲେ ମଧ୍ୟ ଫୁଲବାଣୀ ତହସିଲ ପ୍ରଶାସନ କିମ୍ବା ପୌରପାଳିକା ସବୁ ଜାଣି ଚୁପ୍‌ ବସୁଛି। ସେହିଭଳି ଫୁଲବାଣୀ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ମଧ୍ୟ ନଦୀଶଯ୍ୟାକୁ ପୋତି ଅନେକ ବେଆଇନ କୋଠା ନିର୍ମାଣ କରାଯାଇଛି।  ପ୍ରଶାସନ କେବଳ ଜବରଦଖଲ ମାମଲା କରି ବସିଯାଉଛି। ଏହାପରେ ଜବରଦଖଲକାରୀମାନେ ଅଦାଲତରେ ମାମଲା ରୁଜୁ କରି ପ୍ରକ୍ରିୟାକୁ ଜଟିଳ କରୁଛନ୍ତି। ଫଳରେ ବିବାଦର ସମାଧାନ ହୋଇପାରୁନାହିଁ। 

ସାଲୁଙ୍କୀ ନଦୀ ଫୁଲବାଣୀ ସହରରେ ‘ପିଲା ସାଲୁଙ୍କୀ’ ନଦୀ ଭାବେ ପରିଚିତ। ପିଲାସାଲୁଙ୍କୀ ନଦୀଟି ଫୁଲବାଣୀ ସହରକୁ ଚାରି ଦିଗରୁ ଘେରି ରହିଛି। ଫୁଲବାଣୀ ସହର ଉପକଣ୍ଠରେ ଥିବା ସାର୍ତ୍ତାଗୁଡ଼ା ହିଲ୍‌ ଭ୍ୟୁ ପଏଣ୍ଟ କିମ୍ବା ନାରାୟଣୀ ମନ୍ଦିର ଘାଟି ରାସ୍ତା ଉପରକୁ ଚଢ଼ିଗଲେ, ଫୁଲବାଣୀ ସହରର ଗଳାରେ ପିଲାସାଲୁଙ୍କୀ ନଦୀ ମାଳଟିଏ ଭଳି ଗୁଡ଼େଇ ହୋଇଥିବା ଦୃଶ୍ୟମାନ ହୋଇଥାଏ। ପିଲାସାଲୁଙ୍କୀ ନଦୀ ଖଜୁରୀପଡ଼ା ବ୍ଲକର ପୂର୍ବଘାଟ ପର୍ବତମାଳାସ୍ଥ ସିଡିଙ୍ଗି (ବୁରୁପଦା)ର ସାମାନ୍ୟ ଉପର ମୁଣ୍ଡରୁ ଉତ୍ପତ୍ତିଲାଭ କରି ଫୁଲବାଣୀ ସହର ଦେଇ ପ୍ରବାହିତ ହୋଇଛି। ଅନ୍ୟପଟେ ଫୁଲବାଣୀ ସହର ପାର୍ଶ୍ବରେ ଅନେକ ପାହାଡ଼ ରହିଛି। ଏସବୁ ପାହାଡ଼ରେ ଲୋକେ ବେଆଇନ ଭାବେ ଘର ନିର୍ମାଣ କରିଛନ୍ତି। ଯଦି ଭୂସ୍ଖଳନ ହୁଏ, ଏସବୁ ଘର ଭୁଶୁଡ଼ିପଡ଼ିବା ଭୟ ରହିଛି। ଜିଲ୍ଲା ପ୍ରଶାସନ ଏବେଠୁ ନ ଚେତିଲେ ଆଗକୁ ପରିଣତି ଭୟଙ୍କର ହେବ ବୋଲି ବୁଦ୍ଧିଜୀବୀ ଓ ପରିବେଶପ୍ରେମୀ ଆଶଙ୍କା କରୁଛନ୍ତି।