ଘୁ.ଉଦୟଗିରି: ସରକାରଙ୍କ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ହେଉଛି। ଅନାବଶ୍ୟକ କାର୍ଯ୍ୟ ପାଇଁ ମଧ୍ୟ ବ୍ୟୟ ବରାଦ ହେଉଛି। ରାସ୍ତା ଉପରେ ରାସ୍ତା ନିର୍ମାଣ ହେଉଛି ହେଲେ ଘୁ.ଉଦୟଗିରି ସହରର ଜୀବନରେଖା ସାଲୁଙ୍କି ନଦୀ ପ୍ରତି କାହାର ନଜର ନାହିଁ। ଏହି ନଦୀ ଏବେ ଇତିହାସ ହେବାକୁ ବସିଲାଣି। ଲୋପ ହେବାକୁ ବସିଲାଣି ସାଲୁଙ୍କି ନଦୀ। ସାଲୁଙ୍କି ନଦୀ ସଙ୍କୁଚିତ ହେବା ସହ ଏଥିରେ ପ୍ରବାହିତ ଜଳ ଏବେ ଜହର ପାଲଟିଛି। ସାରା ସହରର ନର୍ଦ୍ଦମାର ମଇଳା ଜଳ ସାଲୁଙ୍କି ନଦୀରେ ପ୍ରବାହିତ ହେଉଛି। ସାଲୁଙ୍କି ନଦୀର ଜଳ ତାର ରଙ୍ଗ ବଦଳେଇ କଳା କଳା ପାଣି ପ୍ରବାହିତ ହେଉଛି। ସହର ସାରା ହଜାର ହଜାର ଗରିବ ଲୋକ ଏହି ସାଲୁଙ୍କି ନାଳ ଉପରେ ନିର୍ଭରଶୀଳ। ପ୍ରତ୍ୟେକ ଦିନ ରାତି ପାହିଲେ ଲୋକ ଏହି ନଦୀକୁ ଆସି ନିଜ ନିଜ ନିତ୍ୟକର୍ମ ସାରିଥାନ୍ତି। ହେଲେ ଏବେ ଏହି ନଦୀର ପାଣି ଜହର ପାଲଟିଛି। ଘୁ.ଉଦୟଗିରି ସହରର ୫ନଂ ୱାର୍ଡର କ୍ଳବ ସାହି, ହାଟପଦା ସାହି, ଏମଏମସି ରୋଡ଼ ନୂଆ ହାଟପଦା, ୪ନଂ ୱାର୍ଡର ଶିବମନ୍ଦିର ସାହି, ୩ନଂ ୱାର୍ଡର ତେଲିସାହି, କନ୍ଧସାହି, ଚମ୍ପସାହି, ୨ନଂ ୱାର୍ଡର ଚୁଆଁ ସାହି, ଶଙ୍ଖସାହି ଏହିଭଳି ବହୁ ସାହି ବାସିନ୍ଦାଙ୍କ ଦୈନଦିନ ଜୀବନର ଜୀବନ ରେଖା ପାଲଟିଥିବା ସାଲୁଙ୍କି ନଦୀ ଏବେ ଲୋପ ପାଇବାକୁ ବସିଲାଣି। ସହରର ସମସ୍ତ ଡ୍ରେନ ପାଣି ସିଧାସଳଖ ନାଳରେ ପଡୁଛି, କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ି ପୋତିହେବାରେ ଲାଗିଲାଣି।
/sambad/media/post_attachments/wp-content/uploads/2024/04/IMG-20230121-WA0165-1.jpg)
ସାଲୁଙ୍କି ନଦୀ କଡ଼େକଡ଼େ ଘର କରିଥିବା ଲୋକ ନିଜ ନିଜ ଶୌଚାଳୟକୁ ଏହି ନଦୀରେ ଖଞ୍ଜି ଦେଇଛନ୍ତି। ଏହାଦ୍ୱାରା ନଦୀର ଜଳ ଜହର ହୋଇସାରିଲାଣି। ସାଲୁଙ୍କି ନଦୀର ପୁନରୁଦ୍ଧାର ପାଇଁ ସ୍ଥାନୀୟ ନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଆଗ୍ରହ ନାହିଁ। ସହରର ନର୍ଦ୍ଦମା ପାଣିକୁ ଅନ୍ୟ କେଉଁଠି ପକେଇବା ସହ ଅଳିଆ ଆବର୍ଜନା ସଫା କରିବା ସହ ସାଲୁଙ୍କି ନଦୀର ପୁନରୁଦ୍ଧାର ପାଇଁ ସାଧାରଣରେ ଦାବି ହୋଇଛି।
ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ସ୍ବତନ୍ତ ଦୃଷ୍ଟି ଦେଇ ସାଲୁଙ୍କି ନଦୀର ପୁନରୁଦ୍ଧାର କରିବାକୁ ଦାବି ହୋଇଛି। ଦିନ ଥିଲା ଏହି ନଦୀ ଜଳରେ ଏକର ଏକର ଚାଷ ଜମିରେ ଜଳସେଚନ ହୋଇ ବିଭିନ୍ନ କିସମର ଫସଲ ହେଉଥିଲା। ବର୍ତ୍ତମାନ ନଦୀତଟରେ ଥିବା ଚାଷ ଜମି ସବୁ ପଡିଆ ପଡ଼ିଛି। କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଚେକ ଡେମ ପାର୍ଶ୍ଵ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଛି। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି। କାରଣ ଅର୍ଥର ଅଭାବ। ସାଲୁଙ୍କି ନଦୀର ପୁନରୁଦ୍ଧାର ଏବଂ ତାର ରକ୍ଷଣା ବେକ୍ଷଣ ପାଇଁ ସ୍ବତନ୍ତ ବ୍ୟବସ୍ଥା ପାଇଁ ସହରବାସୀ ଦାବି କରିଆସୁଥିଲେ ମଧ୍ୟ କାହାର ନଜର ପଡୁନି। ନିର୍ବାଚନ ପରେ ନିର୍ବାଚନ ସରୁଛି ନେତା ପରେ ନେତା ଆସୁଛନ୍ତି ଯାଉଛନ୍ତି ହେଲେ ସାଲୁଙ୍କି ନଦୀ କଥା ଭୁଲି ଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/IMG-20220113-WA0096.jpg)