ଭୁବନେଶ୍ବର: ଓଡ଼ିଶାର ଅନେକ ଉପାନ୍ତ ଅଞ୍ଚଳ ରହିଛି, ଯେଉଁଠାରେ କେବଳ ସମ୍ବାଦ ହିଁ ପହଞ୍ଚି ପାରିଥାଏ। ରାତିରେ ହେଉ କି ଦିନରେ ହେଉ ଆଉ କୌଣସି ଖବରକାଗଜ ପହଞ୍ଚି ପାରେ ନାହିଁ। ସେଇଟା ମୋତେ ବହୁତ ଖୁସି ଦେଇଥାଏ। ଦୈନିକ ‘ସମ୍ବାଦ’ର ୪୧ତମ ବାର୍ଷିକ ଉତ୍ସବରେ ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ ଏହା କହିଛନ୍ତି।
ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଭବ୍ୟ ସମାରୋହରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି, ରକ୍ତଦାନ ଏକ ମହତ କାର୍ଯ୍ୟ। କେବଳ ଖବରକାଗଜ ଓ ବିଜ୍ଞାପନରେ ସୀମିତ ନରଖି ଆମେ ତୃଣମୂଳ ସ୍ତରକୁ ଯାଇ ସବୁ ଜାଗାରେ ଓ ସବୁ ବ୍ଲକରେ ରକ୍ତଦାନ ଶିବିର କରୁଛୁ। ଗତ ଦୁଇ ଦଶନ୍ଧି ହେବ ୯ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସମ୍ବାଦ ଓ ଆମ ଓଡ଼ିଶା ତରଫରୁ ସଂଗ୍ରହ କରାଯାଇଛି।
ସମାରୋହରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି, ଯେଉଁ ସାମ୍ବାଦିକମାନେ ପରିବେଶଭିତ୍ତିକ ଭଲ ରିପୋର୍ଟ କରିଥିବେ ସେମାନଙ୍କୁ ସମ୍ମାନିତ କରାଯିବ। ଏଥି ପାଇଁ ୩୦,୦୦୦ ଟଙ୍କାର ଫେଲୋସିପ୍ ପ୍ରଦାନ କରାଯିବ। ଏହି ଅଭିଯାନରେ ଅନ୍ୟ ଗଣମାଧ୍ୟମର ସାମ୍ବାଦିକମାନେ ମଧ୍ୟ ସାମିଲ ହୋଇପାରିବେ।
ଭୁବନେଶ୍ବର ଭଳି ସହରରେ ଆମେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରି ହଜାର ୟୁନିଟ୍ ରକ୍ତ ସଂଗ୍ରହ କଲେ ଯେତିକି ଖୁସି ଲାଗିଥାଏ, ନକ୍ସଲ ପ୍ରଭାବିତ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ନକ୍ସଲମାନଙ୍କ ଧମକ ମଧ୍ୟରେ ରକ୍ତ ଶିବିର ଆୟୋଜନ କଲେ, ତାହାଠାରୁ ଅଧିକ ଆନନ୍ଦ ଦେଇଥାଏ। ଆମର ସାମ୍ବାଦିକମାନେ ଏଥି ପାଇଁ ନିଜର ସମୟ, ସମ୍ବଳ ଓ ଲୋକସଂପର୍କ ମାଧ୍ୟମରେ ନିଷ୍ଠାର ସହିତ ରକ୍ତଦାନ ଶିବରର ଆୟୋଜନ କରିଥାନ୍ତି।
ଆମ ରାଜ୍ୟର ପିଲାମାନେ ଓ ଆମ ରାଜ୍ୟର ଯୁବପିଢ଼ି ନିଶ୍ଚିତ ଭାବରେ ଓଡ଼ିଶାର ଭବିଷ୍ୟତ। କିନ୍ତୁ ଯଦି ସେମାନଙ୍କର ନିଜର ମା’, ମାଟି ଓ ମାତୃଭାଷା ପ୍ରତି ପ୍ରୀତି ବଢ଼ିବ ନାହିଁ, ତାଙ୍କର ଭଲ ପାଇବା ବଢ଼ିବ ନାହିଁ, ତାଙ୍କର ସମ୍ନାନ ବଢ଼ିବ ନାହିଁ, ତାହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ବଳ ନାହିଁ। ଭାଷା ଜ୍ଞାନ ପାଇଁ ସମ୍ବାଦ ପକ୍ଷରୁ ନିଆରା ପଦକ୍ଷେପ ନିଆଯାଇଛି। ୨୦୦୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଆମେ ବିଦ୍ୟାଳୟସ୍ତରରେ ପରୀକ୍ଷା କରି ଆସୁଛୁ। ଏପର୍ଯ୍ୟନ୍ତ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀମାନେ ସମ୍ବାଦ-ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି।
ଏହି ଅବସରରେ ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି। ସମାରୋହରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ମାନିତ ଅତିଥି ହିନ୍ଦୀ ଦୈନିକ ‘ଦୈନିକ ଭାସ୍କର’ର ଗ୍ରୁପ ଏଡିଟର ପ୍ରକାଶ ଦୁବେ, ହିନ୍ଦୁ ବିଜନେସ୍ ଲାଇନ୍ର ରେସିଡେଣ୍ଟ ଏଡିଟର ପୂର୍ଣ୍ଣିମା ଯୋଶୀ, ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ ଗ୍ରୁପ ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ, ସମ୍ବାଦ-କନକ ନ୍ୟୁଜର ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ ଉପସ୍ଥିତ ଅଛନ୍ତି।
Bhubaneswar